ଭୁବନେଶ୍ବର: ଦିନ ଦିପହରରେ ବିଚ୍‌ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ କଟୁରିରେ ଚୋଟ ପରେ ଚୋଟ ମାରିଚାଲିଥିଲା। ପ୍ରତିବାଦ କରିବାରୁ ପୁଅକୁ ବି ଛାଡ଼ିଲା ନାହିଁ। ଏଭଳି ଛାତିଥରା ଘଟଣା ଘଟିଛି ଭରତପୁର ଥାନା ସାମ୍‌ପୁର ନୂଆସାହି ଅଞ୍ଚଳରେ। ଆକ୍ରମଣ ଯୋଗୁ ବିନୋଦିନୀ ରଥ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପୁଅ ଜ୍ଞାନରଂଜନ ମିଶ୍ର ଆହତ ହୋଇଛନ୍ତି। ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ତାଙ୍କ ପୁଅକୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତିକରିଛି। ସେହିପରି ଆକ୍ରମଣ କରିଥିବା ସ୍ଥାନୀୟ ଅଞ୍ଚଳର ଗାଡ଼ିଚାଳକ ତପନ ଦାସକୁ ପୁଲିସ କାବୁ କରିବା ସହ କଟୁରି ଜବତ କରିଛି। ତେବେ ସେ କାହିଁକି ମହିଳାଙ୍କୁ ଏଭଳି ବୀଭତ୍ସ ଭାବେ ହାଣିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି। ଯୁବକଙ୍କ ଏଭଳି ଆତଙ୍କ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ‌ହୋଇଛି। 
ସୂଚନା ମୁତାବକ, ବିନୋଦିନୀ ଏକ ଘରୋଇ ହସ୍ପିଟାଲ୍‌ରେ କାମ କରୁଥିବା ବେଳେ ପରିବାର ସହ ସାମ୍‌ପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ତପନ ମଧ୍ୟ ବିନୋଦିନୀଙ୍କ ଘରଠାରୁ କିଛି ଦୂରରେ ରୁହେ। ସବୁଦିନ ଭଳି ଆଜି ସକାଳୁ ବିନୋଦିନୀ ହସ୍ପିଟାଲ୍‌ ଯାଇଥିଲେ। ସ୍ବାମୀ ଗାଡ଼ି ଚଳାଉଥିବାରୁ ସେ ବି କାମରେ ବାହାରିଯାଇଥିଲେ। ଅପରାହ୍ଣ ପାଖାପାଖି ସାଢ଼େ ୪ଟା ସମୟରେ ହସ୍ପିଟାଲ୍‌ରୁ ଘରକୁ ଫେରିଥିଲେ। ସେ ଘର ଗେଟ୍‌ ଖୋଲୁଥିବା ସମୟରେ ତାଙ୍କୁ ହସ୍ପିଟାଲ୍‌ରୁ ପିଛାକରି ଆସିଥିବା ତପନ ହଠାତ୍‌ ସେଠାରେ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲା। କ’ଣ ହୋଇଛି? କାହିଁକି ଗାଳିଗୁଲଜ କରୁଛୁ? ଏତିକି କଥାରୁ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ଆଉ ମହିଳା କିଛି ବୁଝିବା ପୂର୍ବରୁ ତପନ ଅଣ୍ଟାରେ ଖୋସିଥିବା କଟୁରି କାଢ଼ି ପ୍ରଥମେ ତାଙ୍କ ମୁଣ୍ଡକୁ ଶକ୍ତ ଚୋଟ ମାରିଥିଲା। ଜୀବନ ବିକଳରେ ବିନୋଦିନୀ ପାଟିକରି ଦୌଡ଼ିଥିଲେ। ରାଗରେ ଜଳୁଥିବା ତପନ ତାଙ୍କୁ ପିଛାକରି ଗୋଟିଏ ପରେ ଗୋଟିଏ ଚୋଟ ତାଙ୍କ ବେକ, ଗୋଡ଼କୁ ମାରିଚାଲିଥିଲା। ବିଚ୍‌ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣୁଥିଲେ ବି ତପନର ଏଭଳି ଆତଙ୍କ ଦେଖି ତାକୁ କେହି ଅଟକାଇବାକୁ ସାହସ ଜୁଟାଇ ନଥିଲେ। ହେଲେ ମା’ର ପାଟିଶୁଣି ପୁଅ ଜ୍ଞାନରଂଜନ ଧାଇଁ ଆସି ଅଟକାବାକୁ ଚେଷ୍ଟା କରିବାରୁ ତପନ ତାଙ୍କୁ ବି ଛାଡ଼ିନଥିଲା। ତାଙ୍କ ମୁଣ୍ଡ, ହାତକୁ ହାଣିପକାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ଦେଖାଦେଇଥିଲା। ସ୍ଥିତି ଅଣାୟତ୍ତ ହେବା ଖବରପାଇ ଭରତପୁର ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଗୁରୁତର ଆହତ ହୋଇଥିବା ବିନୋଦିନୀ ଓ ତାଙ୍କ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେହିପରି ତପନକୁ କାବୁକରି ଥାନାକୁ ଆଣି ପଚରାଉଚରା କରୁଛି।
ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଆଜି ଅର୍ଥାତ ଗୁରୁବାର ଦିନ ପାଖାପାଖି ୧ଟା ସମୟରେ ବିନୋଦିନୀ ସମ୍‌ ହସ୍ପିଟାଲ୍‌ ଛକରେ ଥିବା ତପନର ଦୋକାନକୁ ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ଖାଇବା ଦେବାରେ ବିଳମ୍ବ ହେବାରୁ ସେ ରାଗିଯାଇ ତପନ ଉପରେ ପାଟିକରିଥିଲେ। ଯାହାକୁ ନେଇ ସେଠାରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ତପନ ଅପମାନିତ ହୋଇ ତାଙ୍କୁ ପାଦେ ଦେବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲା। ବିନୋଦିନୀ ହସ୍ପିଟାଲ୍‌ରୁ କାମ ସାରି ଘରକୁ ଫେରିବା ସମୟରେ ପିଛାକରି ଘର ନିକଟରେ ଆକ୍ରମଣ କରିଥିଲା।