ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଉଦ୍ୟମ ମାମଲା : ଚୁପ୍ ବସିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ବର: ୩ ଛୁଆଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ମା’ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଶିଶୁ ଅଧିକାର ସୁରକ୍ଷାକୁ ନେଇ ସରକାରୀ ବ୍ୟବସ୍ଥା ସ୍ଥାଣୁ ହୋଇ ଯାଇଛି। ଘଟଣାର ୩ ଦିନ ପର୍ଯ୍ୟନ୍ତ ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି) ମାମଲା ବାବଦରେ ଅଜ୍ଞ ଥିବାବେଳେ ଏବେ ବି ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର) ଚୁପ୍‌ ବସିଛି। ଏଣେ ଶିଶୁ ଭବନରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଢ଼ ବର୍ଷର ଶିଶୁକନ୍ୟା ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସୁସ୍ଥ ହେବା ପରେ ଶିଶୁକନ୍ୟା ଘରକୁ ଫେରିବାକୁ ଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଯତ୍ନକୁ ନେଇ ଓଏସ୍‌ସିପିସିଆର ଆଲୋଚନା ମଧ୍ୟ ଆରମ୍ଭ କରିନାହିଁ। ଏଣୁ ଶିଶୁକନ୍ୟାର ଯତ୍ନ ଓ ଅଧିକାରକୁ ନେଇ ପ୍ରଶ୍ନ ଉଠିଲାଣି।

ଅନ୍ୟପଟେ ମା’ ଜାନକୀ ଗାଗରାଇ ସୁସ୍ଥ ହୋଇଛନ୍ତି। ତାଙ୍କୁ ଆଇସିୟୁରୁ ସାଧାରଣ ୱାର୍ଡକୁ ଅଣାଯାଇଛି। ତାଙ୍କ ନାମରେ ଶିଶୁପୁତ୍ରଙ୍କୁ ହତ୍ୟା କରିବା ଅପରାଧରେ ମାମଲା ରୁଜୁ ହୋଇଥିବାରୁ ସେ ମେଡିକାଲ୍‌ରୁ ଫେରିବା ପରେ ଗିରଫ ହେବା ସମ୍ଭାବନା ରହିଛି। ଜାନକୀଙ୍କ ପରିବାରରେ ତାଙ୍କ ଦିଅର ଅଛନ୍ତି ଯିଏ କି ଅବିବାହିତ। ଏଣୁ ଶିଶୁକନ୍ୟା ଯେ ଅବହେଳିତ ହେବାକୁ ଯାଉଛି ତାହା ଜଳଜଳ ଦିଶୁଛି।ଏ ନେଇ ଆମେ ଓଏସ୍‌ସିପିସିଆର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଥିଲେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଘଟଣା ଉପରେ ଆମର ନଜର ରହିଛି। ଶିଶୁକନ୍ୟାର ଅଧିକାରର ସୁରକ୍ଷା ଓ ଯତ୍ନକୁ ନେଇ ବିଚାର କରାଯାଉଛି। ଆସନ୍ତାକାଲି ଏହା ଉପରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୨୮ ତାରିଖରେ ତିନି ଶିଶୁଙ୍କୁ ବିଷ ଦେଇ ମା’ ନିଜେ ବିଷ ପିଇ ଦେଇଥିଲା। ଏଥିରେ ଦୁଇ ଶିଶୁ ପ୍ରା‌ଣ ହରାଇଥିବା ବେଳେ ଦେଢ଼ବର୍ଷର ଶିଶୁକନ୍ୟା ମା’ ସହ ଅଳ୍ପକେ ରକ୍ଷା ପାଇ ଯାଇଥିଲା। ଘଟଣାର ୫ ଦିନ ପର୍ଯ୍ୟନ୍ତ କୌଣସି ସରକାରୀ ସଂସ୍ଥା ସିଡବ୍ଲୁସି ଓ ଓଏସ୍‌ସିପିସିଆର ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶିଶୁକନ୍ୟାର ଯତ୍ନ ଓ ଅଧିକାର ସୁରକ୍ଷା ପାଇଁ ହସ୍ତକ୍ଷେପ କରିନଥିଲେ। ଚାଇଲ୍ଡ ଲାଇନ୍‌ ନିଜ ଆଡ଼ୁ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଉଭୟ ସଂସ୍ଥାକୁ ରିପୋର୍ଟ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର