ଶିଶୁର ଖାଦ୍ୟ ଉପରେ ମା’ମାନେ ସତର୍କ ହେବା ଦରକାର

ଭୁବନେଶ୍ବର: ଶିଶୁଟିଏ ବଢ଼ିବା ସହିତ ତା’ର ଖାଦ୍ୟପଦାର୍ଥ ଉପରେ ମା’ମାନେ ସତର୍କ ହେବା ଦରକାର। ଶିଶୁ ପାଇଁ ୬ମାସରୁ ଆରମ୍ଭ ହୋଇଥାଏ କମ୍ପ୍ଲିମେଣ୍ଟାରି ଫିଡିଂ ବା ପୂରକ ଆହର। ଏହି ସମୟ ଭିତରେ ମା’ କ୍ଷୀର ସହିତ ଘ‌ରେ ଉପଲବ୍ଧ ହେଉଥିବା ଖାଦ୍ୟ ତରଳ ଆକାରରେ ଶିଶୁକୁ ଦିଆଯାଇଥାଏ। ହେଲେ ଅବହେଳା ଯୋଗୁଁ ଅନେକ ମା’ ପୂରକ ଆହାର ଆରମ୍ଭ କରିବାରେ ବିଳମ୍ବ କରିଥାନ୍ତି। ଶିଶୁକୁ ୧ବର୍ଷ ହେବା ପରେ ଖାଦ୍ୟରେ ସଂପୂର୍ଣ୍ଣ ପରିବର୍ତନ କରିବାକୁ ପଡ଼ିଥାଏ। ୧ବର୍ଷର ଶିଶୁକୁ ୧୦୦୦ କ୍ୟାଲୋରି ଆବଶ୍ୟକ ହେଉଥିବା ବେଳେଏକାଧିକ ବାର ଖାଦ୍ୟରେ ଏହି ଆବଶ୍ୟକତା ପୂରଣ ହୋଇଥାଏ। ଶିଶୁରୋଗ ବିଶେଷଜ୍ଞ ଡା. ବିଶ୍ବରଂଜନ ପାଢ଼ୀଙ୍କ କହିବା ଅନୁଯାୟୀ, ଶିଶୁମାନଙ୍କର ପେଟ ଛୋଟ ତେଣୁ ଏକକାଳୀନ ଅଧିକ ମାତ୍ରାରେ ଖାଦ୍ୟ ସେମାନେ ଖାଇପାରି ନ ଥାନ୍ତି। ଶିଶୁଟିଏ ୬ମାସ ହେବା ସମୟରେ ତାକୁ ୩ଥର ଖାଇବାକୁ ଦେବାକୁ ପଡ଼ିଥାଏ। ଭାତ, ଡାଲି, ଆଳୁ ଚକଟା ଓ ଫଳ ତରଳ କରି ଖାଇବାକୁ ଦେବାକୁ ପଡ଼ିଥାଏ। ତେବେ ୧ବର୍ଷ ହେବା ପରେ ଶିଶୁକୁ ସଂପୂର୍ଣ୍ଣ ଘର ଖାଦ୍ୟ ଦିଆଯାଇଥାଏ। ୧୦ମାସଠାରୁ ଶିଶୁକୁ ପିଠା ଓ ଆମିଷ ଜାତୀୟ ଖାଦ୍ୟ ଦିଆଯାଇପାରିବ। ସବୁପ୍ରକାର ଆମିଷ ଶିଶୁକୁ ଦିଆଯାଇ ପାରିବ। ତେବେ ଏହି ସମୟ ଭିତରେ ଶିଶୁକୁ ଚଣାଜାତୀୟ ଖାଦ୍ୟ ପ୍ରଦାନ କରିବା ଅନୁଚିତ। ଶିଶୁର ପାଟିରେ ଚଣା ଲାଖିଯିବାର ଆଶଙ୍କା ରହିଛି। ତେଣୁ ମା’ମାନେ ଏଥିପାଇଁ ସତର୍କ ହେବା ଜରୁରୀ। ଗର୍ଭଧାରଣ ସମୟରୁ ହିଁ ମା’ମାନେ ନିଜର ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ପିଲା ଜନ୍ମ ପ‌ରେ ଅନେକ ମା’ ନିଜର ଖାଇବା ଉପରେ ଗୁରୁତ୍ବ ଦେଇ ନଥାନ୍ତି। ଯାହାକି ଗର୍ଭବତୀ ସମୟରେ ୫ଶହ କ୍ୟାଲୋରି ଓ ପ୍ରସବ ପରେ ଅଧିକ ୨ଶହ କ୍ୟାଲୋରି ଖାଦ୍ୟ ଖାଇବା ଦରକାର। କହିବାକୁ ଗଲେ ସାଧାରଣଭାବେ ମା’ମାନେ ଯେତିକି ଖାଦ୍ୟ ଖାଇଥାନ୍ତି ଗର୍ଭଧାରଣ ସମୟ ଓ ପ୍ରସବ ପରେ ଅଧିକ ଖାଦ୍ୟ ଖାଇବା ଜରୁରୀ। ଶିଶୁଟିଏ ୨ବର୍ଷ ହେବା ପର୍ଯ୍ୟନ୍ତ ମା’କୁ ଏଭଳି ଢଙ୍ଗରେ ଖାଦ୍ୟ ଜାରି ରଖିବାକୁ ପଡ଼େ ବୋଲି ଡା. ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର