ମା’, ଝିଅଙ୍କୁ ମ୍ୟାକ୍ସି ପିନ୍ଧା ଯୁବକର ଆକ୍ରମଣ ମାମଲା: ଏବେ ବି ରହସ୍ୟ ଘେରରେ ଉଦ୍ଦେଶ୍ୟ

ଲୁଟ୍‌ ଉଦ୍ୟମରୁ ଆକ୍ରମଣ ସନ୍ଦେହ, ଘର ତିଆରି ପାଇଁ ଋଣଭାର କାରଣ କି?

ଚନ୍ଦ୍ରଶେଖରପୁର: ଦୁଇ ଦିନ ହେଲା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି ପଡ଼ୋଶୀ ଘରେ ପଶି ମ୍ୟାକ୍ସି ପିନ୍ଧା ଯୁବକର ରହସ୍ୟମୟ ଆକ୍ରମଣ ଘଟଣା। ଏକ ଟିଭି ଚ୍ୟାନେଲ୍‌ରେ ଗ୍ରାଫିକ୍‌ସ ଡିଜାଇନର୍‌ ଭାବ‌େ କାମ କରୁଥିବା ଅଭିଯୁକ୍ତ ରୂପେଶ ପଣ୍ଡା ମୁଣ୍ଡରେ ହେଲ୍‌ମେଟ୍‌ ଓ ମ୍ୟାକ୍ସି ପିନ୍ଧି ଯୁବତୀ ଭଳି ଛଦ୍ମବେଶରେ ପଡ଼ୋଶୀ ଘରେ ପଶି ମା’ ଓ ଝିଅଙ୍କୁ ଛୁରିରେ ଆକ୍ରମଣ କରିଥିଲା। ମା’ ଓ ଝିଅ ଆହତ ହୋଇଥିବା ବେଳେ ପାଲଟା ଆକ୍ରମଣରେ ରୂପେଶ ମଧ୍ୟ ଆହତ ହୋଇଥିଲା। ତେବେ ଅଭିଯୁକ୍ତ ରୂପେଶ ଦ୍ବାରା ଘଟିଥିବା ଏହି ବିଚିତ୍ର ଅପରାଧ ପଛରେ କି ରହସ୍ୟ ରହିଛି, ତା’ ଉପରୁ ପୁଲିସ ପର୍ଦ୍ଦା ହଟାଇ ପାରିନାହିଁ। ଏବେ ବି ରୂପେଶ ଚିକିତ୍ସାଧୀନ ଥିବାରୁ ପୁଲିସ ତାକୁ ଅଧିକ ପଚରାଉଚରା କରିପାରିନାହିଁ। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ଲୁଟ୍‌ ଉଦ୍ୟମ ବୋଲି ସନ୍ଦେହ ଘନେଇବାରେ ଲାଗିଛି। ଗୃହ ନିର୍ମାଣ ପାଇଁ ଋଣ ଭାରରେ ବୁଡ଼ିଥିବା ରୂପେଶ ଏଭଳି ବାଟ ବାଛିଥିବା ଅନୁମାନ କରାଯାଉଛି। ମାତ୍ର ଅଭିଯୁକ୍ତ ରୂପେଶ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ଯାଇ ସବୁ କିଛି ସ୍ପଷ୍ଟ ହେବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ଗତକାଲି ଏହି ଅଘଟଣ ପରେ ରୂପେଶ ଓ ତାଙ୍କ ପରିବାର ପକ୍ଷରୁ ଏକ ବିଚିତ୍ର କାହାଣୀ କୁହାଯାଇଥିଲା। ଅଫିସ ଯିବା ରାସ୍ତାରେ କିଛି ଦୁର୍ବୃତ୍ତ ରୂପେଶଙ୍କୁ ଅଟକାଇ ମାର୍‌ଧର କରିବା ସହ ଜୋର୍‌ କରି ମ୍ୟାକ୍ସି ପିନ୍ଧାଇ ଦେଇଥିଲେ। ହତ୍ୟା ଧମକ ଦେଇ ପ୍ରଫେସର ମିଶ୍ରାଙ୍କ ଘରେ ପଶି ମା’ ଓ ଝିଅକୁ ଆକ୍ରମଣ କରିବାକୁ ସେମାନେ କୁଆଡ଼େ ଧମକ ଦେଇଥିଲେ। ଏମିତିକି ତାଙ୍କ ବାଇକ୍‌ ଛଡ଼ାଇ ରଖିଥିଲେ। ତେଣୁ ଜୀବନ ଭୟରେ ସେ ପ୍ରଫେସର ମିଶ୍ରାଙ୍କ ଘରକୁ ପଶି ତାଙ୍କ ସ୍ତ୍ରୀ ଓ ଝିଅକୁ ଆକ୍ରମଣ କରିଥିଲେ। ରୂପେଶଙ୍କ କଥାକୁ ଦୋହରାଇଛନ୍ତି ତାଙ୍କ ସ୍ତ୍ରୀ ଓ ମା’। ଗତ କିଛି ଦିନ ହେଲା କିଛି ଦୁର୍ବୃତ୍ତ ରୂପେଶକୁ ପିଛା କରୁଥିଲେ ବୋଲି ସେମାନେ ପୁଲିସକୁ କହିଛନ୍ତି। ସେମାନଙ୍କ ଏହି ସଫେଇ ବିଶ୍ବାସଯୋଗ୍ୟ ନ ହେଲେ ମଧ୍ୟ ଏହା ସତ କି ନୁହେଁ ଜାଣିବା ଲାଗି ପୁଲିସ ତଦନ୍ତ ଚଳାଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରିଛି। ମାତ୍ର ରୂପେଶଙ୍କ ବାଇକ୍‌ ଉଦ୍ଧାର ହୋଇ ପାରିନାହିଁ କି ସେ ପ୍ରଫେସର ମିଶ୍ରାଙ୍କ ଘରକୁ କିଭଳି କେଉଁ ରାସ୍ତାରେ ଆସିଲେ, ତାହାର ଭିଡିଓ ଫୁଟେଜ୍ ମିଳିପାରିନାହିଁ।

ଏ ମ୍ୟାକ୍ସି କାହାର?
ଆକ୍ରମଣ ସମୟରେ ରୂପେଶ ପିନ୍ଧିଥିବା ମ୍ୟାକ୍ସିଟି ପୁରୁଣା ବୋଲି ଜଣାପଡ଼ିଛି। ତେବେ ଏହି ମ୍ୟାକ୍ସିଟି କାହାର? ଏହି ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଜୋର୍‌ଦାର କରିଛି। କାରଣ ମ୍ୟା‌କ୍ସିରୁ ବହୁ ରହସ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶାବାଦୀ ରହିଛି। ଯଦି ସତରେ କିଛି ଯୋଜନା ଅନୁସାରେ ଏହି କାଣ୍ଡ ଘଟିଥାଏ, ତେବେ ମ୍ୟାକ୍ସି ହିଁ ଏହି ମାମଲାର ମୂକସାକ୍ଷୀ ହେବ। ଆଜି ସାଇଣ୍ଟିଫିକ୍‌ ଟିମ୍‌ ରୂପେଶ ଘରକୁ ଯାଇ ଛାନ୍‌ଭିନ୍ କରିଛି। ମାତ୍ର ତାଙ୍କ ସ୍ତ୍ରୀ ଓ ମା’ ମ୍ୟାକ୍ସି ସେମାନଙ୍କର ନୁହେଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଜବତ ହେଲ୍‌ମେଟ୍‌ଟି ରୂପେଶଙ୍କର ବୋଲି ପରିବାର ଲୋକେ ମାନିଥିବା ବେଳେ ଜବତ ଖେଳଣା ବନ୍ଧୁକ, ଛୁରି ଓ ମ୍ୟାକ୍ସି ଅନ୍ୟ କାହାର ବୋଲି ସେମାନେ କହିଛନ୍ତି। ତଥାପି ତଦନ୍ତକାରୀ ଟିମ୍‌ର ସନ୍ଧାନୀ ଆଖି ମ୍ୟାକ୍ସି ଓ ଛୁରିକୁ ନେଇ ଘୂରି ବୁଲୁଛି। ସ୍ଥାନୀୟ ଅଞ୍ଚଳର କୌଣସି ଦୋକାନରୁ ଛୁରି ଓ ଖେଳଣା ବନ୍ଧୁକ କିଣା ହୋଇଥିବା ସନ୍ଦେହରେ ତଦନ୍ତକାରୀ ଟିମ୍‌ ଅନୁସନ୍ଧାନ ଚଳାଇଛି। ସେହିଭଳି ରୂପେଶର ବାଇକ୍‌ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଲାଗିଛି ବୋଲି ଜଣାପଡ଼ିଛି।

ମା’ଝିଅଙ୍କ ପାଇଁ ପ୍ରଶଂସାର ସୁଅ
ସୋମବାର ପୂର୍ବାହ୍ନରେ ହଠାତ୍ ମ୍ୟାକ୍ସି ପିନ୍ଧା ରୂପେଶ ଘର ଭିତରକୁ ପଶି ଆସି ମା’ ଓ ଝିଅଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଛୁରିରେ ଆକ୍ରମଣ କରିଥିଲା। କିନ୍ତୁ ରକ୍ତାକ୍ତ ହେବା ପରେ ବି ମା’ ଝିଅ ସାହସର ସହ ମୁକାବିଲା କରିଥିଲେ। ବନ୍ଧୁକ ଓ ଛୁରି ଭଳି ମାରଣାସ୍ତ୍ର ଦେଖି ବି ମା’ ଝିଅ ଡରି ଯାଇନଥିଲେ। ବରଂ ଯୁବତୀଙ୍କ ପାଲଟା ଆକ୍ରମଣ ରୂପେଶ ପାଇଁ ଭାରି ପଡ଼ିଥିଲା। ଯୁବତୀଙ୍କ ପାଲଟା ଆକ୍ରମଣରେ ରୂପେଶ ଆହତ ହେବା ସହ ଧରାଶାୟୀ ହୋଇଥିଲା। ତେଣୁ ଏବେ ସ୍ଥାନୀୟ ଲୋକଙ୍କ ଆଡ଼ୁ ମା’ଝିଅଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଆକ୍ରମଣକାରୀର ମୁକାବିଲାରେ ଅଦ୍ଭୁତ ସାହସ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯିବା ଉଚିତ ବୋଲି ଦାବି ହେଉଛି।

ଘର ତିଆରି ପାଇଁ ଋଣଭାର କାରଣ କି?
ରୂପେଶ ଗତ ୬ ବର୍ଷ ହେଲା ଏକ ଦୁଇ ମହଲା କୋଠାଘର ନିର୍ମାଣ କରୁଛି। ‌ତେଣୁ ସେ ପାଖାପାଖି ୨୫ ଲକ୍ଷରୁ ଅଧିକ ଟଙ୍କାର ଋଣରେ ବୁଡ଼ିଛି। ଏହି ଋଣଭାର ରୂପେଶକୁ ଏମିତି କିଛି କରିବାକୁ ବାଧ୍ୟ କରିଛି କି ବୋଲି ପ୍ରଶ୍ନ ଉଠୁଛି। ପଡ଼ୋଶୀ ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା ସଂଭ୍ରାନ୍ତ ଶ୍ରେଣୀର ହୋଇଥିବାରୁ ତାଙ୍କ ଘରେ ସୁନାଗହଣା ଓ ନଗଦ ଟଙ୍କା ଥିବ ଭାବି ରୂପେଶ ଟାର୍ଗେଟ୍‌ କରିଥାଇପାରେ। ଚାଲାକି କରି ବୁଢ଼ୀ ମା’ ଓ ଝିଅକୁ ଆକ୍ରମଣ କରି ଲୁଟ୍‌ କରିବା ପାଇଁ ରୂପେଶ ଯୋଜନା କରିଥାଇ ପାରିଥାଏ ଏବଂ ବନ୍ଧୁକ ଓ ଛୁରିରେ ଭୟଭୀତ କରାଇ ରଶିରେ ମା’ ଝିଅଙ୍କୁ ବାନ୍ଧି ଲୁଟ୍‌ ପରେ ଚମ୍ପଟ ମାରିବାକୁ ସୁଚିନ୍ତିତ ଯୋଜନା କରିଥାଇପ‌ାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର