ଭୁବନେଶ୍ୱର: ମୋ ପୁଅ.. ମୋ ଧନ... । ଦୀର୍ଘ ୨ ମାସ ପରେ ହଜିଲା ଅନ୍ଧ-ମୂକ-ବଧିର ପୁଅକୁ ଫେରି ପାଇଥିବା ଜଣେ ମା’ର ସରଗଠୁ ବଳି ଏ ସ୍ନେହବୋଳା ସମ୍ବୋଧନ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ର କୋଳାହଳ ପରିବେଶକୁ କ୍ଷଣକ ପାଇଁ ନିଃଶବ୍ଦ କରିଦେଉଥିଲା। ଆଜକୁ ଠିକ୍ ୨ ମାସ ତଳେ ନିଜର ଠିକଣା ହଜାଇ ମା’କୁ ଝୁରି ହେଉଥିବା ମିଥୁନ ପରିଡ଼ା(୨୧)କୁ ତାଙ୍କ ମା’ ମଂଜୁଳା ପରିଡ଼ା ଫେରିପାଇବା ପରର ଏ ଦୃଶ୍ୟ ଅନେକଙ୍କ ଆଖି ଛଳଛଳ କରିଦେଇଥିଲା।
ଗତ ୨୨ ତାରିଖରେ ‘ସମ୍ବାଦ’ରେ ମିଥୁନ୍ ସମ୍ବନ୍ଧୀୟ ଏକ ଖବର ‘ମା ମୁଁ ଘରକୁ ଯିବିଲୋ..’ ପ୍ରକାଶ ପାଇବା ପରେ ଖବରକାଗଜଟିକୁ ଧରି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀକୁ ଧାଇଁ ଆସିଥିଲେ ମଂଜୁଳା। ଆଉ ଏଠି ପୁଅକୁ ଦେଖି ଖୁସିରେ ବିଭୋର ହୋଇଯାଇଥିଲେ। ମନବୋଧ ହେଲା ଯାଏ ହାତଠୁ ମୁହଁ ଯାଏ ଚୁମି ଯାଉଥିଲେ। ସ୍ନେହବୋଳା କାନିରେ ପୋଛି ଦେଉଥିଲେ ଗୋଡ଼ଠୁ ମୁଣ୍ଡ ଯାଏ। ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗୁଥିଲେ ହେଁ ଏମିତି ଏକ ଚିତ୍ର ଆଜି ଜଣେ ମା’ର ମମତାକୁ ମର୍ମେମର୍ମେ ପ୍ରମାଣିତ କରୁଥିଲା।
ମଂଜୁଳା ପରିଡ଼ା (୪୫) ଏବଂ ଶୁକ୍ର ପରିଡ଼ା (୫୪)ଙ୍କ ପୁଅ ହେଉଛି ମିଥୁନ୍। ଗଂଜାମ ଜିଲ୍ଲା ହିନ୍ଦୋଳସ୍ଥିତ ନନ୍ଦିଆପଡ଼ାରେ ମିଥୁନ୍ର ଘର। ତେବେ ୨ ମାସ ତଳେ ମାଉସୀ ଘରକୁ ଯିବି କହି ଘରୁ ଚାଲିଆସିଥିଲା ମିଥୁନ୍। ବଜାରକୁ ଆସି ବସ୍ରେ ସିନା ଉଠିଗଲା, କିନ୍ତୁ ଭିନ୍ନକ୍ଷମ ମିଥୁନ୍ ପାଟି ଖୋଲି କୋଉଠିକି ଯିବ ସେକଥା କହି ପାରି ନଥିଲା। ଶେଷରେ ବସ୍ ତାକୁ ଆଣି ବରମୁଣ୍ଡା ଷ୍ଟାଣ୍ଡ୍ରେ ଓହ୍ଲାଇ ଦେଇଥିଲା। ବରମୁଣ୍ଡାରେ ଓହ୍ଲାଇବା ପରେ କେହି ଜଣେ ବ୍ୟକ୍ତି ତାକୁ ଆଣି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଫାଣ୍ଡିରେ ଛାଡ଼ିଥିଲେ। ଫାଣ୍ଡି ଅଧିକାରୀ ମିଥୁନ୍କୁ ଠିକଣା ପଚାରିଥିଲେ ବି ସେ କହିବାକୁ ସକ୍ଷମ ନହେବାରୁ ତାକୁ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ରଖିବାକୁ ବାଧ୍ୟ ହୋଇଥିଲେ। ସେବେଠୁ ସେ ସେଇଠି ରହି ଆସୁଥିଲା। ମାତ୍ର ଏଠି ସିନା ମିଥୁନ୍ ରହୁଥିଲା, କିନ୍ତୁ ପ୍ରତିଦିନ ସନ୍ଧ୍ୟାରେ ବାହାରେ ଆସି ନିଜ ମା’ କଥା ଭାଳି ହୋଇ ଲୁହ ଢାଳୁଥିଲା। ‘ସମ୍ବାଦ’ରେ ଏ ଖବର ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମରୁ ଖବରଟି ପଢ଼ି ନନ୍ଦିଆପଡ଼ାର କିଛି ଯୁବକ ଦେଖି ମଂଜୁଳାଙ୍କୁ ଜଣାଇଥିଲେ। ଏହା ପରେ ମଂଜୁଳା ନିଜ ପୁଅର ଫଟୋ ଦେଖି ତାକୁ ଫେରି ପାଇବା ପାଇଁ ଆଜି କାହିଁ କେତେ କୋଶ ବାଟରୁ ଧାଇଁ ଆସିଥିଲେ।
ଆଶ୍ରୟସ୍ଥଳୀ ପରିଚାଳନା କରୁଥିବା ସଂସ୍ଥା ‘ବିକାଶ’ର ସମ୍ପାଦକ ବିବେକ ମିଶ୍ରଙ୍କ କହିବା ମୁତାବକ, ମା-ପୁଅଙ୍କୁ ମେଳ କରାଇବା ଆମ ପାଇଁ ସବୁଠୁ ବଡ଼ ଉପଲବ୍ଧି। ଖାଲି ସେତିକି ନୁହେଁ ମିଥୁନର ଆଖି ଭଲ କରିବା ପାଇଁ ମଧ୍ୟ ପ୍ରୟାସ କରିବୁ ବୋଲି ଆଶ୍ରୟସ୍ଥଳୀର ପରିଚାଳକ କେ ସନ୍ତୋଷ କହିଛନ୍ତି। ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା ବିଜୟ କୁମାର ବେହେରା କହିଛନ୍ତି, ତା’ ନାଁ ମିଥୁନ୍ ବୋଲି ତ ଦୂରର କଥା ଆମେ ତାଠାରୁ ତା ଠିକଣା ବି ଯୋଗାଡ଼ କରିପାରି ନଥିଲୁ। ଫଳରେ ଆମେ ନାଚାର ହୋଇଯାଇଥିଲୁ। ତେବେ ସେ ଏନେଇ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଛନ୍ତି। ଫାଣ୍ଡି ଅଧିକାରୀଙ୍କ ଲେଖାପଢ଼ା ପରେ ମିଥୁନ୍ ଆଜି ନିଜ ମା’ ସହ ଘରକୁ ଫେରିଯାଇଛି। ପୁଅକୁ ଦେଖିବା ପରେ ଲୁହ ଶୁଖୁ ନଥିବା ମଂଜୁଳା ନିଜ ପୁଅକୁ ଶେଷଯାଏଁ ଅବୋଧ ଶିଶୁଟିଏ ଭଳି ବୁଝେଇ କହୁଥିଲେ, ତତେ ଆଉ ହିନିମାନ ହେବାକୁ ପଡ଼ିବନି। ମୁଁ ବିଲବାଡ଼ିରେ ଆହୁରି ଖଟିବି। ମଲା ଯାଏଁ ତତେ କୋଳରୁ ଜମା ଛାଡ଼ିବିନି...।