ଭୁବନେଶ୍ୱର: ଜଗତଜନନୀ ମା’ ମହାମାୟା ଧରାପୃଷ୍ଠରୁ ମେଲାଣି ନେଇ ସାରିଛନ୍ତି। ଏବେ ଧନଧାନ୍ୟରେ ସମୃଦ୍ଧ କରିବାକୁ ଧରାକୁ ଓହ୍ଲାଇ ଆସିବେ ମା’ ଗଜଲକ୍ଷ୍ମୀ। ଶାନ୍ତି ପରେ ସମୃଦ୍ଧିକୁ ପା‌ଛୋଟିବା ପାଇଁ ରାଜଧାନୀବାସୀ ମଧ୍ୟ ଅଣ୍ଟା ଭିଡ଼ିଲେଣି। ଏଥିପାଇଁ ମା’ ଦୁର୍ଗାଙ୍କ ପରେ ମା’ ଗଜଲକ୍ଷ୍ମୀଙ୍କ ମଣ୍ଡପ ସଜେଇ ହେଲାଣି।

Advertisment

ମା’ଙ୍କ ଆଗମନ ପାଇଁ ରାଜଧାନୀର ଗଳିକନ୍ଦି ବି ଚଳଚଞ୍ଚଳ ହୋଇଉଠିଲାଣି। କେଉଁଠି ବିଶାଳ ତୋରଣ ତ’ ପୁଣି କେଉଁଠି ଅନ୍ନପୂର୍ଣ୍ଣାଙ୍କ ଶଙ୍କୁଡ଼ି ଭୋଗ ପାଲଟିବ ଏହି ପୂଜାର ମୁଖ୍ୟ ଆକର୍ଷଣ।

ରାଜମହଲରେ ବିରାଜିବେ ରୁପା ଅଳଙ୍କାର ଆଭୂଷିତା ଅନ୍ନପୂର୍ଣ୍ଣା

ୟୁନିଟ୍‌-୯ ଗଜଲକ୍ଷ୍ମୀ ପୂଜା ରାଜଧାନୀର ବଡ଼ ଓ ବହୁଚର୍ଚ୍ଚିତ ପୂଜା। ଫ୍ରେଣ୍ଡ୍‌ସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ହେଉଥିବା ଏହି ପୂଜା ଚଳିତ ବର୍ଷ ୪୨ବର୍ଷରେ ପଦାର୍ପଣ କରୁଛି। ଏଠାରେ ଏଥର ରାଜମହଲରେ ଉପବେଶନ କରିବେ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ଏଥିପାଇଁ ‌ଏବେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତୋରଣର ଉଚ୍ଚତା ୬୦ ଫୁଟ ଓ ଚଉଡ଼ା ୮୦ ଫୁଟ ରହିବ। ମା’ଙ୍କୁ ବହୁ ରୁପା ଅଳଙ୍କାଳରେ ଆଭୂଷିତ କରାଯିବ। ରୁପା ମୁକୁଟ, କାନଫୁଲ, ହାର, ଅଣ୍ଟାପଟି, ବାହୁଟି, ଚୁଡ଼ି, ପାଉଞ୍ଜି ଓ ପାଦୁକା ଆଦି ସମସ୍ତ ଅଳଙ୍କାର ରୁପାରେ ନିର୍ମିତ ହେବ। ମା’ଙ୍କ ମୂର୍ତିର ଉଚ୍ଚତା ସାଢ଼େ ୮ ଫୁଟ ରହିବ। ସମ୍ପୂର୍ଣ୍ଣ ତୋରଣ ଓ ମେଢ଼ ନିର୍ମାଣ ପାଇଁ ୧୭ଲକ୍ଷ ଟଙ୍କାର ବଜେଟ୍‌ ରହିଛି। ୧୦ଦିନ ଧରି ମା’ଙ୍କ ଆରାଧନା କରାଯିବା ସହ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ। ୩ ଦିନ ମେ‌ଲୋଡି, ୨ ଦିନ ପିଲାଙ୍କ ରେକର୍ଡ ଡ୍ୟାନ୍ସ ଓ ଗୋଟିଏ ଦିନ ଭଜନ ସମାରୋହ ଅନୁଷ୍ଠିତ ହେବ। ପୂଜାର ମୁଖ୍ୟ ଆକର୍ଷଣ ରହିବ ଅନ୍ନପୂର୍ଣ୍ଣାଙ୍କ ଶଙ୍କୁଡ଼ି ଭୋଗ। ଖିରି, ଖେଚୁଡ଼ି, ଦହି ପଖାଳ, କାକରା ଆଦି ପ୍ରତିଦିନ ଭକ୍ତଙ୍କୁ ବଣ୍ଟନ କରାଯିବ। ୧୯ ତାରିଖ ଦିନ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଲବ୍‌ର ସଭାପତି ମାରୁତି ଆଚାର୍ଯ୍ୟ କହିଛନ୍ତି।

ଏକାମ୍ର କ୍ଷେତ୍ରର ୨୫ ମଣ୍ଡପରେ ମା’ ଗଜଲକ୍ଷ୍ମୀ

ମା’ ଜଗତଜନନୀ ଦୁର୍ଗାଙ୍କ ପୂଜା ପରେ ପରେ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଚଳିତ ବର୍ଷ ଏକାମ୍ର କ୍ଷେତ୍ରରେ ୨୫ଟି ମଣ୍ଡପରେ ଗଜଲକ୍ଷ୍ମୀ ପୂଜା କରାଯିବ। ସେଥିମଧ୍ୟରୁ ପୁରୁଣା ଭୁବନେଶ୍ୱରରେ ୧୫ଟି ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ହେଉଛି। ପୁରୁଣା ଭୁବନେଶ୍ୱରର ଯମେଶ୍ବରପାଟଣା ସାହି, ବଡ଼ୁ ସାହି, ତିନିମୁଣ୍ଡିଆ ଛକ, ଗୋସାଗରେଶ୍ୱର ଛକ, ରାମେଶ୍ୱରପାଟଣା ଛକ, ବଣିଆସାହି, ହାଟ ସାହି, ପୁନାମା ଗେଟ୍‌‍ ଛକ, ମହତାବ ରୋଡ୍‌, ନାଗେଶ୍ୱରଟାଙ୍ଗୀ, ରବି ଟକିଜ୍‍ ଛକ, ସମାନ୍ତରାପୁର, ଗ୍ୟାରେଜ୍‍ ଛକ, ବଡ଼ଗଡ଼, ସୁନ୍ଦରପଦା ଆଦି ଅଞ୍ଚଳରେ ମା’ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ କରାଯିବ। ଭୀମଟାଙ୍ଗୀ ଫେଜ୍‌-୧ରେ ସବୁଜ ଉତ୍କଳ ସଂଗଠନ ପକ୍ଷରୁ ଆୟୋଜିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ନିଆରା ଭାବେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଏହି ଗଜଲକ୍ଷ୍ମୀ ପୂଜାରେ ଟ୍ରାଫିକ୍ ନିୟମର ସଚେତନତା ବାର୍ତ୍ତା ପ୍ରଚାର କରାଯିବା ସହ ବୃକ୍ଷରୋପଣ କରାଯିବ ବୋଲି କୁହାଯାଇଛି। ଏଥିସହ ମନୋରଞ୍ଜନ ପାଇଁ ଭଜନ ସମାରୋହ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ସଦସ୍ୟ ରତ୍ନାକର ମହାକୁଡ଼ କହିଛନ୍ତି।

ମାଉସୀ ମା’ଛକରେ ବିରାଜିବେ ଗଜଲକ୍ଷ୍ମୀ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଉସୀ ମା’ ଛକରେ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବର ସହକାରେ ଆୟୋଜିତ ହେଉଛି। ଏଥିପାଇଁ ପୂଜା କମିଟି ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସର୍ବସାଧାରଣଙ୍କ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯିବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ମା’ଙ୍କ ପୂଜାରେ ହେବାକୁ ଥିବା ହୋମଯଜ୍ଞରେ ୧୦ କିଲୋ ଗୁଆ ଘିଅ ଆହୁତି ଦିଆଯିବ।
ବିଧି ଓ ପରମ୍ପରା ଅନୁସାରେ ବିନ୍ଦୁସାଗରରୁ ତୀର୍ଥ ଜଳ କଳସ ଆଣିବା ପରେ ପୂଜା ଆରମ୍ଭ ହେବ। ଏନେଇ ଆଜି କମିଟି ପକ୍ଷରୁ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ସଭାପତି କ୍ୟାପ୍‌ଟେନ ମନ୍ମଥ ରାଉତରାୟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ଚୌଧୁରୀ, ଉପସଭାପତି ଗଦାଧର ଦାସ, ବିଷ୍ଣୁ ପ୍ରସାଦ ମୁଦୁଲି, ଧୀରଜ ମହାପାତ୍ର, ଭିକାରୀ ଚରଣ ସାହୁ, ବ୍ରଜ ନାୟକ, ଶ୍ରୀକାନ୍ତ ନାୟକ, ନରେନ୍ଦ୍ର କୁମାର ମଲ୍ଲ, ପ୍ରଦୀପ୍ତ ରାୟଗୁରୁ, ଲକ୍ଷ୍ମଣ କୁମାର ସାହୁ ଓ ପ୍ରତାପ ରାଉତ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବେ ମା’

publive-image

ଲକ୍ଷ୍ମୀସାଗର ଓଁ ମା’ ଗଜଲକ୍ଷ୍ମୀ ପୂଜା ସମିତିର ଲକ୍ଷ୍ମୀ ପୂଜା ଚଳିତ ଥର ୩୨ ବର୍ଷରେ ପଦାର୍ପଣ କରିଛି। ସମିତି ପକ୍ଷରୁ ମା’ଙ୍କ ପାଇଁ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାର ତୋରଣ ପ୍ରସ୍ତୁତ କରାଯାଉଛି। ତୋରଣର ଉଚ୍ଚତା ୬୫ଫୁଟ ଥିବା ବେଳେ ଚଉଡ଼ା ୬୦ ଫୁଟ ରହିବ। ଏଥିସହ ମା’ଙ୍କ ମୂର୍ତିର ଉଚ୍ଚତା ୧୨ରୁ ୧୫ ଫୁଟ ରହିବ। ଏଠାରେ ମଧ୍ୟ ମା’ଙ୍କୁ ରୁପା ଅଳଙ୍କାରରେ ସଜେଇ ଦିଆଯିବ। ପୂଜା ପାଇଁ ପ୍ରାୟ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ସମିତି ସଭାପତି କିଶୋର କୁମାର ନାୟକ ସୂଚନା ଦେଇଛନ୍ତି। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ୧୩ ତାରିଖରେ ଭସାଣି ଉତ୍ସବ ହେବ ବୋଲି କମିଟିର ସମ୍ପାଦକ ଜୟରାମ ସାହୁ କହିଛନ୍ତି। ଗୁରୁବାର ଦିନ ଅନ୍ନ ପ୍ରସାଦ ଭକ୍ତମାନଙ୍କୁ ବଣ୍ଟନ କରାଯିବ ଏବଂ ପୂଜା ଶେଷ ଦିନ ଲକ୍ଷ୍ମୀସାଗର ଗାଁ ସାରା ଚରୁ ଅନ୍ନ ବଣ୍ଟନ କରାଯିବ ବୋଲି ଉପସଭାପତି ରଶ୍ମିରଂଜନ ମହାପାତ୍ର ଓ ଉପଦେଷ୍ଟା ରମେଶ ନାୟକ କହିଛନ୍ତି।