ଖଣ୍ଡଗିରି: ବ୍ରହ୍ମେଶ୍ବର ଗାଁରେ ଗ୍ରାମଦେବତୀ ରୂପେ ମା’ ଗିରିଙ୍ଗେଇ ଠାକୁରାଣୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା, ଗ୍ରାମ ଆରମ୍ଭରୁ ସେମିତି କୌଣସି ଗ୍ରାମଦେବତୀ ନଥିଲେ। ଗ୍ରାମର ଭୋଇସାହିରେ ଥିବା ଏକ ବଡ଼ ବରଗଛ ମୂଳରେ କିଛି ମୂର୍ତ୍ତି ଗୁପ୍ତ ଅବସ୍ଥାରେ ରହିଛି ବୋଲି ଗ୍ରାମବାସୀଙ୍କୁ ସନ୍ଦେହ ହେବା ପରେ ସେଠାରୁ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଗ୍ରାମର ପୁରୁଖା ଲୋକଙ୍କ କହିବା କଥା, ୧୯୭୫ ମସିହାରେ ଠାକୁରାଣୀଙ୍କ ସହିତ ଆହୁରି ୮ ମୂର୍ତ୍ତି ମାଟି ତଳୁ ଉଦ୍ଧାର କରାଯାଇଥିଲା। ପ୍ରତ୍ନତତ୍ତ୍ବ ବିଭାଗ ଏହି ସମସ୍ତ ମୂର୍ତ୍ତିକୁ ଊଦ୍ଧାର କରି ନେଇଯିବା ପରେ ବାହାରିଥିବା ପଥରରେ ଐଶ୍ବରୀୟ ଶକ୍ତି ଅଛି ବୋଲି ଅନୁଭବ କରି ଗ୍ରାମବାସୀ ପୂଜା କଲେ। ବରଗଛ କଟାଯିବା ପରେ ସେହି ସ୍ଥାନରୁ ବାହାରିଥିବା ପଥର ମୂର୍ତ୍ତିର ନାମ ନାମ ଗିରିଙ୍ଗେଇ ଠାକୁରାଣୀ ରଖାଗଲା।
ମା’ ମାଟି ତଳୁ ବାହାରିଥିବାରୁ ପ୍ରତ୍ୟକ୍ଷ ଠାକୁର ବୋଲି ବିଶ୍ବାସ କରି ମୂର୍ତ୍ତି ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତ ଆସୁଥିଲେ। ମା’ଙ୍କ ନିକଟରେ ମାଟିତଳୁ ବାହାରିଥିବା ଆଉ ଦୁଇ ଠାକୁରାଣୀ ମଧ୍ୟ ପୂଜା ପାଉଛନ୍ତି। ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ମା’ଙ୍କ ପାଇଁ ପ୍ରଥମେ ୧୯୮୦ ମସିହାରେ ଛୋଟିଆ ମନ୍ଦିରଟିଏ ପଥର ଥୋଇ କରାଯାଇଥିଲା। ପରେ ୨୦୦୦ ମସିହା ବେଳକୁ ମା’ଙ୍କ ମନ୍ଦିରକୁ ଆଉ ଟିକିଏ ବଡ଼ କରି ତିଆରି କରାଗଲା। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ପୂଜା ପାଇଁ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ। କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ମାନସିକ କରି ଲୋକେ ଆସନ୍ତି। ବିପଦରୁ ମୁକ୍ତି ପାଇବା ପରେ କିମ୍ବା ମାନସିକ ପୂରଣ ହେଲେ ମା’ଙ୍କ ପାଖରେ ସେମାନେ ବିଭିନ୍ନ ଫଳ ଭୋଗ କରନ୍ତି।
ଗିରିଙ୍ଗେଇ ଠାକୁରାଣୀଙ୍କ ପାଖରେ ସବୁ ଭୋଗ ହୁଏ। ମା’ ମନ ଜାଣି ସବୁ ଇଚ୍ଛା ପୂରଣ କରନ୍ତି। ହେଲେ ସମୟ ସହିତ ମନ୍ଦିର ତଳକୁ ହୋଇ ଗଲାଣି। ବର୍ଷା ହେଲେ ପାଣି ପଶିଯାଉଛି। ଦଶହରାରେ ମା’ଙ୍କ ପାଖରେ ସମସ୍ତ ନୀତିକାନ୍ତି ହୁଏ। ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। ସଂକ୍ରାନ୍ତି ଓ ଅମାବାସ୍ୟାରେ ସ୍ବତନ୍ତ୍ର ଭୋଗ କରାଯାଏ।
ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା