ପୁଅକୁ ପାଇବା ପାଇଁ ଥାନା ବାରଣ୍ଡାରେ ମା’

ମହିଳାଙ୍କୁ ଥାନାରେ ସମ୍ମାନ ଏଭଳି

ଭୁବନେଶ୍ୱର : ଦିନ ପ୍ରାୟ ୧୨ଟା। ସ୍ଥାନ କ୍ୟାପିଟାଲ ଥାନା ସମ୍ମୁଖ। ଅପହରଣ ହୋଇଥିବା ପୁଅକୁ ପାଇବା ପାଇଁ ଥାନା ଗେଟ ଆଗରେ ନେହୁରା ହେଉଥାନ୍ତି ଜଣେ ମହିଳା। ଅପହୃତ ହୋଇଥିବା ପୁଅକୁ ଖୋଜି ଆଣିବାକୁ ନେହୁରା ହେଉଥିଲେ। ପୁଅକୁ ପାଇବା ପାଇଁ ମହିଳାଙ୍କ କାକୁତି ମିନତି କିନ୍ତୁ ପୁଲିସ ବାବୁଙ୍କ ନିକଟରେ ପହଞ୍ଚି ପାରୁନଥିଲା। ଓଲଟି ତାଙ୍କୁ ପୁଲିସ ଥାନାରୁ ବାହାର କରି ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ନିବାସ ରଣସିଂହ ୧୬ ବର୍ଷ ତଳେ ବନିତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ନିବାସ ଯୌତୁକ ବାବଦକୁ ବାପଘରୁ ଟଙ୍କା ଆଣିବା ପାଇଁ ବନିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏନେଇ ବନିତା କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନିବାସକୁ ଗିରଫ କରି କୋର୍ଟ ଚାଲଣ କରିଥିଲା।

ତେବେ ଏତିକିରେ ବନିତାଙ୍କ ଦୁଃଖ ସରିନଥିଲା। ସ୍ୱାମୀଙ୍କୁ ଜେଲ ପଠାଇବା ରାଗରେ ନିବାସଙ୍କ ଦାଦା ସୁରିୟା ବନିତାଙ୍କ ସାନ ପୁଅ ଗୌତମଙ୍କୁ(୧୧) ଘରୁ ଜୋରଜବରଦସ୍ତ କେଉଁ ଆଡ଼େ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ହଠାତ ପୁଅକୁ ଖୋଜାଖୋଜି କରୁଥିବା ସମୟରେ ଏକ ଫୋନ ଆସିଥିଲା। ଫୋନରେ ଗୌତମ କାନ୍ଦି କାନ୍ଦି କହୁଥିଲା ମା ମୋତେ ଏଠାରୁ ନେଇଯା’ ସେମାନେ ମୋତେ ମାଡ଼ ମାରୁଛନ୍ତି। ଆଜି ଏହି ଅଭିଯୋଗ ଧରି ବିନିତା ଥାନାକୁ ଆସିଥିଲେ। କିନ୍ତୁ ତାଙ୍କ ଅଭିଯୋଗକୁ କେହି ବି ଗୁରୁତ୍ୱ ଦେଇନଥିଲେ।

ତେବେ ଏ ସମ୍ପର୍କରେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ମାନସ ଗଡ଼ନାୟକ କହିଛନ୍ତି, ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର