ଖଣ୍ଡଗିରି: ୨୪ ବର୍ଷରେ ପଦାର୍ପଣ କରୁଛି ବରମୁଣ୍ଡାରେ ଦୁର୍ଗାପୂଜା। ନିଆରା ଶୈଳୀର ମେଢ଼ ଓ ତୋରଣ କରି ପ୍ରତିବର୍ଷ ଚର୍ଚ୍ଚାରେ ରହି ଆସୁଥିବା ଏହି କମିଟି ଚଳିତ ବର୍ଷ ଥାଇଲାଣ୍ଡର ଏକ ବୁଦ୍ଧ ମନ୍ଦିର ଆକୃତିର ତୋରଣ ପ୍ରସ୍ତୁତ କରୁଛି। ସପ ତିଆରି ହେଉଥିବା ଜୁଣକାଠିରେ ତୋରଣକୁ ଆକର୍ଷଣୀୟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯୁବପିଢ଼ିଙ୍କୁ ବୁଦ୍ଧଙ୍କର ୮ଟି ସ୍ବର୍ଣ୍ଣିମ ନିୟମ, ଯଥା- ଠିକ୍ ବକ୍ତବ୍ୟ ରଖିବା, ଠିକ୍ କାର୍ଯ୍ୟ କରିବା, ଠିକ୍ ଉପାୟରେ ଜୀବିକା ଅର୍ଜନ କରିବା, ସମସ୍ତ କାମ ପାଇଁ ଠିକ୍ ଧ୍ୟାନ ଦେବା, ଠିକ୍ ପ୍ରୟାସ, ଠିକ୍ ମାନସିକତା, ବୁଦ୍ଧି ଜ୍ଞାନ ସହିତ ଏକାଗ୍ରତା ବଜାୟ ରଖିବା ନେଇ ଏଥିରେ ବାର୍ତ୍ତା ରହିଛି। ମା’ ଦୁର୍ଗାଙ୍କୁ ଏଭଳି ସ୍ଥାନରେ ଦେଖିଲେ ଖଳ ଓ ବିଶୃଙ୍ଖଳିତ ଲୋକଙ୍କର ଆଖି ଖୋଲିଯିବ ବୋଲି ଆଶା ରଖି ଏଭଳି ବାର୍ତ୍ତା ଚୟନ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ତୋରଣ ତିଆରି ପାଇଁ ସପ୍ତାହେ ହେବ ୨୦ରୁ ୩୦ ଜଣ ବଙ୍ଗୀୟ କାରିଗର କାମରେ ଲାଗିଛନ୍ତି। ପୂଜା ବାବଦକୁ ୨୫ ଲକ୍ଷ ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୪ରୁ ୧୬ ଫୁଟ୍ ଏବଂ ମେଢ଼ର ଉଚ୍ଚତା ୨୦ରୁ ୨୧ ଫୁଟ୍ ହେବ। ଏଥିସହ ମଣ୍ଡପରେ ସମାଜ ପାଇଁ ବାର୍ତ୍ତାସୂଚକ ଲାଇଟ୍ର ସାଜସଜ୍ଜା ରହିବ। ବିଧି ଅନୁସାରେ ମୂର୍ତ୍ତିକା ଉତ୍ତୋଳନ ପରେ ମା’ଙ୍କର ପୂଜା ପାଇଁ ପ୍ରସ୍ତୁତି ଯୋରସୋରରେ ଆରମ୍ଭ ହୋଇଯାଇଛି।
ଷଷ୍ଠୀରେ କୀର୍ତ୍ତନ, ସପ୍ତମୀରେ ପ୍ରୀତି ଭୋଜନ, ଅଷ୍ଟମୀରେ ବଡ଼ ଧରଣର ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜାର ମୁଖ୍ୟ ଆକର୍ଷଣ ହେବ ଦଶମୀ ଦିନର ରାବଣପୋଡ଼ି ଉତ୍ସବ। ଗତବର୍ଷ ବର୍ଷା ଯୋଗୁଁ ରାବଣ ପୋଡ଼ି ଭଲରେ ହୋଇ ପାରି ନଥିବାରୁ ଚଳିତ ବର୍ଷ ଆକର୍ଷଣୀୟ ଆତସବାଜି ସହ ବିଧି ମୁତାବକ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଷଷ୍ଠୀଠାରୁ ଭସାଣି ଯାଏ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ମନୋରଂଜନ ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।
ଶୃଙ୍ଖଳା ରକ୍ଷାକୁ ପ୍ରାଥମିକତା
‘‘ଚଳିତ ବର୍ଷ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଉପରେ ଗୁରୁତ୍ବାରୋପ କରାଯାଉଛି। ଶ୍ରଦ୍ଧାଳୁଙ୍କ ସହାୟତା ତଥା ସମସ୍ତ କାମ ସୁରୁଖୁରୁରେ ପରିଚାଳନା ପାଇଁ ମଣ୍ଡପରେ ୧୦୦ ସ୍ବେଚ୍ଛାସେବୀଙ୍କ ସମେତ କିଛି ମହିଳା ସ୍ବେଚ୍ଛାସେବୀ ପୂଜାରେ ସହଯୋଗ କରିବେ। କମିଟି ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି। ଏଥିସହ କୌଣସି ପ୍ରକାର ଆପାତକାଳୀନ ପରିସ୍ଥିତିକୁ ସାମନା କରିବାକୁ ନିଆଁଲିଭା ଗାଡ଼ି, ଗ୍ୟାସ୍ ଓ ବାଲି ବ୍ୟବସ୍ଥା ମଧ୍ୟ କରାଯାଇଛି। ମଣ୍ଡପକୁ ସିସିଟିଭିର କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ସେହିଭଳି ୨ଟି ଡ୍ରୋନ୍ରେ ସମଗ୍ର ପୂଜାକୁ ନିରୀକ୍ଷଣ କରିବାକୁ ଯୋଜନା ହୋଇଛି।’’
ରାମ ରଣସିଂହ, କମିଟି ସଭାପତି
ରାବଣପୋଡ଼ି ହେବ ମୁଖ୍ୟ ଆକର୍ଷଣ
‘‘ରାବଣପୋଡ଼ି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହେବ। ଧୁମ୍ଧାମ୍ରେ ରାବଣପୋଡ଼ି ପଡ଼ିଆରେ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ଅନୁମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିଭଳି ମୀନା ବଜାର ପଡ଼ୁଥିବାରୁ ପ୍ରତିଦିନ ଅଧିକ ଜନ ସମାଗମ ହେବାର ଆଶା ରହିଛି।’’
ରଞ୍ଜନ କୁମାର ସେଠୀ, ସହ-ସମ୍ପାଦକ