ପାର୍ବଣ ନେଇ ପୁଣି ଫେରିଛି ଶରତ। ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ଆଉ ମାତ୍ର କେଇଦିନର ଅପେକ୍ଷା। କାରିଗରଙ୍କୁ ଫୁର୍‌ସତ ନାହିଁ। ପାର୍ବଣ ମନସ୍କ ଶ୍ରଦ୍ଧାଳୁ ଏକରକମ ଓଲଟ ଗଣତି ଆରମ୍ଭ କରି ଦେଇଛନ୍ତି। ସବୁଥର ପରି ଏଥର ବି ତୋରଣରେ ଆଖିଖୋସା ଅନୁଭବ ଭେଟି ଦେବେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ରାଜଧାନୀର ପୂଜା ମଣ୍ଡପର ସାଜସଜାକୁ ନେଇ ଆମର ସ୍ୱତନ୍ତ୍ର ସ୍ତମ୍ଭ ‘ଆସୁଛନ୍ତି ମା’ ମହିଷାମର୍ଦ୍ଧିନୀ...

Advertisment

ନୂଆପଲ୍ଲୀ ଦୁର୍ଗା ପୂଜା ସମିତି

ରାଜଧାନୀରେ ଝଟକିବ ଗୁଜୁରାଟର ମଣିମହଲ। ରାଜଧାନୀବାସୀ ଦେଖିବେ ଭାରତର ଅଦ୍ଭୁତ ଐତିହ୍ୟ ଓ କଳାକୃତିର ଝଲକ। କାରଣ ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଦୁର୍ଗାପୂଜା ଅବସରରେ ୧୨୦ ଫୁଟ ଓସାର ଏବଂ ୮୫ ଫୁଟ ଉଚ୍ଚର ସ୍ମାରକୀ ଶୋଭା ପାଇବ। ଆହୁରି ଆକର୍ଷଣ ସାଜିବ ସମ୍ମୁଖ ଭାଗର ଆକର୍ଷଣୀୟ ଆଲୋକସଜ୍ଜା ଓ ଲାଇଟ୍‌ ଗେଟ୍‌। ଉତ୍ସବର ଉତ୍ସାହକୁ ଏହି ଅଧିକ ରଙ୍ଗିନ କରିବ ଏଥିସହ ଦେବ ନାରୀ ସଶକ୍ତୀକରଣର ବାର୍ତ୍ତା।ନାରୀକୁ ସମ୍ମାନ ହେବା ମା, ଭଗିନୀ, ପତ୍ନୀ ହେଉବା ଝିଅ ସେମାନଙ୍କ ଅବହେଳା ନ କରି ଗୁରୁତ୍ବ ଦେବା ଭଳି ବିଭିନ୍ନ ଗହନ କଥା ଏହି ପୂଜା ମଣ୍ଡପ ବହନ କରିବ। ସନ୍‌ପେକ୍‌ ଓ ଫାଇବର୍‌ରେ ପୂରା ତୋରଣ ପ୍ରସ୍ତୁତ ହେବ। ପଶ୍ଚିମବଙ୍ଗ ଓ ଓଡ଼ିଶାର ୪୫ରୁ ଅଧିକ କାରିଗର ଏହି ତୋରଣ ତିଆରିରେ ସାମିଲ୍‌ ହୋଇଛନ୍ତି। ସେହିଭଳି ୧୫ ଫୁଟର ମା’ଙ୍କ ମୂର୍ତି ସମେତ ୧୮ ଫୁଟର ମା’ଙ୍କ ମେଢ଼ ନିର୍ମିତ ହେଉଛି।

ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ କଳାକୁ ଗୁରୁତ୍ୱ ଦିଆଯିବ ବୋଲି ସନାତନ ବେହେରା କହିଛନ୍ତି। ସେହିଭଳି ଷଷ୍ଠୀ ଓ ମହାଷ୍ଟମୀରେ ଭଜନ ସନ୍ଧ୍ୟା, ସପ୍ତମୀ ଓ ନବମୀରେ ମେଲୋଡି ଅନୁଷ୍ଠିତ ହେବ। ଏଥର ମଧ୍ୟ ରାମଲୀଳା ପରିବେଷଣ କରାଯିବ ବୋଲି ରାଜକିଶୋର ସାମନ୍ତରାୟ ସୂଚନା ଦେଇଛନ୍ତି। ବିଧି ଅନୁସା‌ରେ ଦଶମୀ ଓ ରାବ‌ଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭସାଣି ଦିନ ଅନ୍ୟ ସମସ୍ତ ପୂଜା ମଣ୍ଡପଗୁଡ଼ିକକୁ ନୂଆପଲ୍ଲୀ ଆସି ଭାଇଚାରାର ଏକ ନିଦର୍ଶନ ପ୍ରସ୍ତୁତ କରିବେ। ଏହି ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଭସାଣୀ ଅବସରରେ ଘୋଡ଼ା ନାଚ, ହଳଦୀ କାଠ ବାଜା, ସମ୍ବଲପୁରୀ ବାଜା, ଫୁଲବାଣୀ ବାଜା, ଷଣ୍ଢ ନାଚ, ବାଘ ବାଘୁଣୀ ନାଚ ଓ ନାଗା ନୃତ୍ୟ ଦେଖିବାକୁ ମିଳିବ ବୋଲି ବରିଷ୍ଠ ସଭ୍ୟ ଜୟପ୍ରକାଶ ଦାସ କହିଛନ୍ତି।

୬ରୁ ବିଶ୍ବଶାନ୍ତ ପାଇଁ ଷୋହଳ ପୂଜା

ପୂଜା କମିଟି ପକ୍ଷରୁ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଆସନ୍ତା ୬ ତାରିଖରୁ ଷୋହଳ ପୂଜା ଆରମ୍ଭ ହୋଇଯିବ। ନାବାର୍ଡ ସମ୍ମୁଖ ପଡ଼ିଆରେ ଅକ୍ଟୋବର ୨୫ରେ ମିଳିତ ଭସାଣି ପର୍ବ ଦେଖିବାକୁ ମିଳିବ। ଏଥିରେ ଆଖାପାଖରୁ ୨୦ରୁ ଅଧିକ ମେଢ଼ ଯୋଗଦେବେ। ସମସ୍ତ ମେଢ଼ ନୟାପଲ୍ଲୀ ପୂଜା ମଣ୍ଡପ ନିକଟରୁ ବାହାରି ସିଆର୍‌ପି-୮ ନମ୍ବରରୁ ଡିଏଭି-ସିଟି ଓମେନ୍ସ କଲେଜ୍‌ ଛକ-ଗଙ୍ଗନଗର ଦେଇ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଧାଡ଼ି ଭସାଣିରେ ଯିବେ। ସେଠାରୁ ମେଢ଼ ବିଭିନ୍ନ ନଦନଦୀକୁ ବିସର୍ଜନ ପାଇଁ ଯିବେ।

-ପ୍ରେମାନନ୍ଦ ଜେନା, ବରିଷ୍ଠ ସଦସ୍ୟ

ଜନ୍ମାଷ୍ଟମୀରୁ ଆରମ୍ଭ ହେଲାଣି ତୋରଣ କାମ

ଦୁର୍ଗା ପୂଜା ପାଇଁ ରାଜଧାନୀରେ ବିଶାଳ ଆୟୋଜନ ହେଉଥିବା ବେଳେ ନୟାପଲ୍ଲୀ ଦୁର୍ଗା ପୂଜା ସମିତି ପକ୍ଷରୁ ଜନ୍ମାଷ୍ଟମୀଠାରୁ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ୪୫ ଜଣ କାରିଗର ଦିନରାତି ଲାଗି ଏହି ତୋରଣ ନିର୍ମାଣରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦% କାମ ସରିଥିବା ବେଳେ ତୀବ୍ର ବେଗରେ ତୋରଣ ନିର୍ମାଣ କାମ ଆଗେଇ ଚାଲିଛି। ଏଥିସହ ଦଶମୀ ଦିନ ବିଧି ମୁତାବକ ରାବଣବୋଡ଼ି ହେବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାମଲୀଳା ପରିବେଷଣ ମଧ୍ୟ ହେବ।

-ଚିତ୍ରସେନ ବେହେରା, ବରିଷ୍ଟ ସଦସ୍ୟ

୨୦୦ ସ୍ବେଚ୍ଛାସେବୀ ଓ ଚାରିଆଡ଼େ ସିସିଟିଭି ବ୍ୟବସ୍ଥା

ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ବୁଲାବୁଲିକୁ ଶୃଙ୍ଖଳିତ କରିବା ପାଇଁ ୪ ପ୍ଲାଟୁନ୍‌ ପୁଲିସ୍‌ଙ୍କ ସମେତ କମିଟିର ୨୦୦ ସ୍ୱେଚ୍ଛାସେବୀ ଓ ପୁଲିସମିତ୍ର ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ମହିଳା ସ୍ୱେଚ୍ଛାସେବୀ ବି ରହିବେ। ତୋରଣର ଚାରିଆଡ଼େ ସିସିଟିଭି କ୍ୟାମେରା ଖଞ୍ଜାଯିବ। ଫାୟାର ଗାଡ଼ି ସମେତ ନିଜସ୍ୱ ଆମ୍ବୁଲାନ୍‌ସ, ଫାଷ୍ଟ୍‌ ଏଡ୍‌ ସୁବିଧା ରହିବ। ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବ। ଏଥିସହ ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ।

-ନବକିଶୋର ବେହେରା, ବରିଷ୍ଟ ସଦସ୍ୟ