ଭୁବନେଶ୍ୱର: ଆସୁଛି ଦୁର୍ଗାପୂଜା ଚଳଚଞ୍ଚଳର ରାଜଧାନୀ। କିଏ କେତେ ନୂଆ ଢ଼ଙ୍ଗରେ ଓ ନୂଆ ରୂପରେ ମା’ଙ୍କୁ ସ୍ୱାଗତ କରିବ ସେଥିପାଇଁ ଚାଲିଛି ପ୍ରତିଯୋଗିତା। ଏହି ପରିପେକ୍ଷୀରେ ପ୍ରତି ବର୍ଷ ନିଆରା ତୋରଣ ପାଇଁ ପ୍ରସିଦ୍ଧ ସତ୍ୟନଗର ପୂଜା ମଣ୍ଡପରେ କାଚଚୁଡ଼ିର ମହଲରେ ପୂଜା ପାଇବେ ମା’। ଚଳିତ ବର୍ଷ ଏହି ପୂଜା ମଣ୍ଡପ ୪୫ ବର୍ଷରେ ପାଦ ଦେଇଛି। ଏହି ବର୍ଷ ତୋରଣର ଉଚ୍ଚତା ୬୫ ଫୁଟ ରହିଥିବା ବେଳେ ତୋରଣର ଚଉଡ଼ା ୮୦ ଫୁଟ ରହିଛି। ତୋରଣରେ ସାଢ଼େନଅ ଲକ୍ଷ ଉର୍ଦ୍ଧ୍ୱ କାଚଚୁଡ଼ି ଲାଗିବ ବୋଲି ଅନୁଷ୍ଠାନର ଉପସଭାପତି ଚିତ୍ତ ରଞ୍ଜନ ମିଶ୍ର କହିଛନ୍ତି। କେବଳ କାଚଚୁଡ଼ି ନୁହେଁ, ମହଲର ଚାରିପଟେ ପାର୍ଶ୍ୱ ଦେବାଦେବୀମାନେ ମଧ୍ୟ ବିରାଜିତ ହେବେ।
ଚଳିତ ବର୍ଷ ମା’ ବନଦୁର୍ଗା ବେଶରେ ଦର୍ଶନ ଦେବେ। ମା’ଙ୍କ ଚାରିପଟେ ଏକ ଜଙ୍ଗଲର ପରିବେଶ ତିଆରି କରାଯିବ। ମା’ଙ୍କୁ ରୁପା ମୁକୁଟ ଓ ଅନ୍ୟାନ୍ୟ ରୁପା ଅଳଙ୍କାରରେ ଭୂଷିତ କରାଯିବ। ସେହିଭଳି ପାର୍ଶ୍ବ ଦେବଦେବୀମାନଙ୍କୁ ମଧ୍ୟ ରୁପା ଅଳଙ୍କାରରେ ଭୂଷିତ କରାଯିବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୋଥି ସ୍ଥାପନ, ସାହାଣ ମେଳା ଆଦି କରାଯିବ। ସେହିପରି ସ୍ବତନ୍ତ୍ର ଭାବେ ସପ୍ତମୀରୁ ଦଶମୀ ମଧ୍ୟରେ ମା’ଙ୍କ ପାଖରେ ଦହି ବୁନ୍ଦି ଭୋଗ, ହାଲୁଆ, ଓରିଆ ଓ ରସଗୋଲା ଆଦି ଭୋଗ ଲାଗି ହେବ। ପ୍ରତିଦିନ ସନ୍ଧ୍ୟା ୭ରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ମଧ୍ୟ ଯୋଜନା ରହିଛି।
ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା
‘‘ଆମ ପୂଜାରେ ସବୁବେଳେ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ଏଥର ମଧ୍ୟ ସେହି ଧାରା ବଜାୟ ରହିଛି। ନାରୀମାନଙ୍କର ପ୍ରମୁଖ ଗହଣା ହେଉଛି ଚୁଡ଼ି। ଏହା ନାରୀମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ। ସେହି ପ୍ରସଙ୍ଗ ଏଥର ଆମ ମଣ୍ଡପରେ ଅଙ୍କିତ ହେବ।’’
-ରବିନାରାୟଣ ନାୟକ, ସଭାପତି
ସପରିବାର ଆସିବାକୁ ଅନୁରୋଧ
‘‘ଚଳିତ ବର୍ଷ ଆମ ପୂଜା କମିଟି ୪୫ ବର୍ଷରେ ପଦାପର୍ଣ କରିଛି। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ନିକଟରେ ଭିନ୍ନ ଭିନ୍ନ ଭୋଗଲାଗି କରାଯିବ। ତେଣୁ ଆପଣ ସପରିବାର ମା’ଙ୍କ ପୂଜା ଉତ୍ସବରେ ଆସିବାକୁ ଅନୁରୋଧ।’’
-ମନେନ୍ଦ୍ର ଦାସ, ସଂପାଦକ