ଭୁବନେଶ୍ବର: ଚଳିତ ଥର ୧୨ ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ କାଶୀ ବିଶ୍ବନାଥ ମନ୍ଦିରର ଅବିକଳ ପ୍ରତିକୃତି ଦେଖିବାକୁ ମିଳିବ ଚକେଇସିଆଣି ଦୂର୍ଗାପୂଜା ମଣ୍ଡପରେ। ଜଙ୍ଗଲ ଓ ପାହାଡ଼ ପରିବେଶ ଘେରିରହିବ ମଣ୍ଡପକୁ। ଏହି ତୋରଣ ନାରୀ ସଶକ୍ତୀକରଣର ବର୍ତ୍ତା ବାଣ୍ଟିବା ସହ ପରିବେଶକୁ ସବୁଜ ଓ ସୁନ୍ଦର ରଖିବାକୁ ଗଛର ମହତ୍ବ ସମ୍ପର୍କରେ ବୁଝାଇବ। ତୋରଣର ଚାରିକଡ଼ରେ ଦଶମୀ ଦିନ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯିବ। ମଣ୍ଡପରେ ମା’ ଜଗତଜନନୀ ରୂପା ଅଳଙ୍କାର ପିନ୍ଧି ଦର୍ଶନ ଦେବେ। ମା’ଙ୍କ ମୁକୁଟ, ତ୍ରିଶୂଳ ଓ ଅସୁରର ଅଳଙ୍କାର ମଧ୍ୟ ରୂପାରେ ନିର୍ମିତ ହୋଇଛି। ପଞ୍ଚମୀଠାରୁ ପୂଜା ବିଧି ଆରମ୍ଭ ହେବ ଓ ଧୁମ୍ଧାମ୍ରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁ ରହିବ। ଚଳିତ ବର୍ଷ ୨୨ ବର୍ଷରେ ଏହି ପୂଜା ପଦାର୍ପଣ କରୁଛି। ପହଞ୍ଚିଛି। ଚଳିତ ବର୍ଷ ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ୍ ରହିବ ଓ ମେଢ଼ର ଉଚ୍ଚତା ୨୦ରୁ ୨୫ ଫୁଟ୍ ରହିବ। ସେହିଭଳି ସମ୍ମୁଖ ତୋରଣର ଉଚ୍ଚତା ୬୦ ଫୁଟ୍ ଓ ପ୍ରସ୍ଥ ୫୦ ଫୁଟ୍ ରହିବ। ଏଥିପାଇଁ ୨୨ରୁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ମନୋରଞ୍ଜନ ପାଇଁ ଏବର୍ଷ ପୂଜା କମିଟି ପକ୍ଷରୁ ମେଲୋଡି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।
ମହିଳା, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ସୁବିଧା
ପୂଜାରେ ଅତ୍ୟଧିକ ଭିଡ଼ ହେଉଥିବାରୁ ସମସ୍ତଙ୍କ ସୁରକ୍ଷାକୁ ପୂଜା କମିଟି ପକ୍ଷରୁ ଧ୍ୟାନ ଦିଆଯାଇଛି। ପୂଜା ବୁଲିବା ପାଇଁ ଦିବ୍ୟାଙ୍ଗ ଓ ବୟସ୍କଙ୍କ ନିମନ୍ତେ ସ୍ବତନ୍ତ୍ର ହ୍ବିଲ୍ ଚେୟାର୍ର ବ୍ୟବସ୍ଥା ରହିବ। ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ ମହିଳା ସ୍ବେଚ୍ଛାସେବୀ ନିୟୋଜିତ ହେବେ। ପୂଜା ମଣ୍ଡପର ସୁରକ୍ଷା ପାଇଁ ୧୦୦ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ମୀନା ବଜାର ମନମୋହିବ। ଗହଳିରେ ଚୋରି ବଢ଼ିବା ଆଶଙ୍କାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ବିଶେଷ ସହଯୋଗ ମିଳିବ ବୋଲି କୁହାଯାଇଛି।
-ସନ୍ତୋଷ କୁମାର ମହାନ୍ତି, ସଭାପତି
ଅଷ୍ଟମୀରେ ଦହି ପଖାଳ ଓ ନବମୀରେ ଖେଚୁଡ଼ି ଭୋଗ
ପରମ୍ପରା ଅନୁସାରେ ଆମେ ଅଷ୍ଟମୀ ଦିନ ଦହି ପଖାଳ ଓ ନବମୀ ଦିନ ଖେଚୁଡ଼ି ଭୋଗ ଲାଗି କରୁ। ନବମୀ ଦିନ ୪ରୁ ୫ ହଜାର ଶ୍ରଦ୍ଧାଳୁ ଖେଚୁଡ଼ି ଭୋଗ ସେବନ କରିବାର ବ୍ୟବସ୍ଥା କରାଯାଇଛି। ମନୋରଞ୍ଜନ ପାଇଁ ୩ ଦିନ ମେଲୋଡି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। କୋଲକାତା ଓ ବ୍ରହ୍ମପୁରରୁ ମେଲୋଡି ପାର୍ଟିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିସହ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହେବ। ଭସାଣି ଦିନ ଘଣ୍ଟ, ଢୋଲ ବାଜା, ପଞ୍ଜାବୀ ବାଜା, ଘୋଡ଼ା ନାଚ, ସିଂହ ବାଦ୍ୟ ଓ ଡିଜେ ଆଦିରେ ସାରା ଅଞ୍ଚଳ ପ୍ରକମ୍ପିତ ହେବ।
-କେଦାରନାଥ ଦାସ, ସମ୍ପାଦକ