ଥାନା ବାରଣ୍ଡାରେ ୨ ଛୁଆର ମା’, ହାତରେ ଫୁଲମାଳ, ଶଙ୍ଖା, ସିନ୍ଦୁର

ଭୁବନେଶ୍ବର : ପ୍ରେମ କରି ଧୋକା ଦେଇଥିବା ଅଭିଯୋଗରେ ପ୍ରେମିକକୁ ଧରି ପୁଲିସ ଜିମା ଦେଲେ। ପୁଲିସ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ମହିଳା ଥାନା ବାରଣ୍ଡାରେ ଜଗି ରହିଲେ। ହାତରେ ଗେଣ୍ଡୁ ଫୁଲମାଳ, ଶଙ୍ଖା ଓ ସିନ୍ଦୁର ଧରି ଅପେକ୍ଷା କଲେ। ଥାନାରୁ ବାହାରିବା ମାତ୍ରେ କୌଣସି ମନ୍ଦିରକୁ ନେଇ ବିବାହ କରିବେ ବୋଲି ଜିଦ୍‌ କରି ବସିରହିଲେ। ଅବିବାହିତ ଅଟୋଚାଳକକୁ ବିବାହ କରିବାକୁ ଜଣେ ଦୁଇ ଛୁଆର ମା’ ସୋମବାର ଦିନ  ଭରତପୁର ଥାନାରେ ଏଭଳି କାଣ୍ଡ ଭିଆଇବା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ, ଦୁଇ ବର୍ଷ ତଳେ ଫୁଲେଶ୍ବରୀ ବସ୍ତିରେ ରହୁଥିବା ଏହି ମହିଳା ଓ ଅଟୋଚାଳକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ମହିଳାଙ୍କ କହିବା କଥା ଯୁବକଙ୍କ ଅଟୋରେ ସେ ୨ ଛୁଆର ମା’ ହେଲେ ବି ଅଟୋଚାଳକ ତାଙ୍କୁ ସବୁଦିନ ପାଇଁ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏକଥା ଜଣାପଡ଼ିବା ପରେ ଦୁଇ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା। କଥା ଥାନା ଯାଏ ଯାଇଥିଲା। ଅଟୋଚାଳକ ତାଙ୍କୁ ସବୁଦିନ ପାଇଁ ରଖିବ କହି ଥାନା‌ରେ ଲେଖାପଢ଼ା କରିଥିଲା ଓ ଥାନାରୁ ସେମାନେ ଯାଇ ଭଡ଼ା ଘରେ ଏକାଠି ରହିଥିଲେ। ମହିଳାଙ୍କ ସ୍ବାମୀ ଦୁଇ ଛୁଆଙ୍କୁ ନେଇଯାଇଥିଲେ। ମାତ୍ର ଏବେ ଅଟୋଚାଳକ ଅନ୍ୟତ୍ର ବାହା ହେବାକୁ ବସିଛନ୍ତି। ପରିବାର ଲୋକଙ୍କ ଚାପରେ ପଡ଼ି ସେ ଅନ୍ୟ ଜଣେ ଯୁବତୀକୁ ବାହା ହେବାକୁ ବସିଛି। କୌଣସି ସୂତ୍ରରୁ ଖବର ପାଇ ମହିଳା ଆଜି କୋଳଥିଆସ୍ଥିତ ମନ୍ଦିରରେ ପହଞ୍ଚି ଅଟୋଚାଳକକୁ କାବୁ କରି ଭରତପୁର ଥାନାକୁ ନେଇଥିଲେ। ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି।

ସମ୍ବନ୍ଧିତ ଖବର