ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ ବାହୁଡ଼ିଛି ମହାଖଳାକୁ। ଦୁଇଦିନ ବାଟରେ ଅଟକିଥିବା ରଥ ଆଜି ଠିକଣା ସ୍ଥାନରେ ଲାଗିଛି। ରଥ ଲାଗିବା ପରେ ନୀତିପୂଜା ପରେ ଠାକୁରଙ୍କ ସ୍ବର୍ଣ୍ଣାଦ୍ରିବିଜେ ଅନୁଷ୍ଠିତ ହୋଇଥିଲା। ଆଜି ଖରା ଟିକେ କମିବାପରେ ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ରଥ ମହାଖଳାରେ ଲାଗିଥିଲା। ମହାଖଳାରେ ଲାଗିବା ପରେ ଚାରାମାଳ ଓ ଦୁଇଟି ସିଡ଼ି ବନ୍ଧାଯାଇଥିଲା। ମହାପ୍ରଭୁଙ୍କ ଭଉଣୀ ରୁକ୍ମଣୀ ଓ ଦୋଳଗୋବିନ୍ଦଙ୍କୁ ଦର୍ଶନ ପାଇଁ ଅସଂଖ୍ୟ ଭକ୍ତଙ୍କ ଭିଡ଼ ହୋଇଥିଲା। ଧାଡ଼ିବାନ୍ଧି ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ। ରାସ୍ତାରେ ରଥଚକ ଦବିଯିବା କାରଣରୁ ମାଉସୀ ମା’ ମନ୍ଦିରକୁ ଯିବାଲାଗି ୩ଦିନ ଲାଗିଥିବା ବେଳେ ଆସିବାଲାଗି ମଧ୍ୟ ୩ଦିନ ଲାଗିଲା। ଏନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଭବିଷ୍ୟତରେ ମନ୍ଦିର ପ୍ରଶାସନ ଏଦିଗରେ ଅନୁଧ୍ୟାନ କରିବ ବୋଲି କୁହାଯାଇଛି। ରଥଟଣା ବେଳେ କେଉଁ ସମସ୍ୟା ରହୁଛି, ସେ ସମ୍ପର୍କରେ ସମୀକ୍ଷା ହେବ ବୋଲି ଜଣାପଡ଼ିଛି।
ମହାଖଳା ବାହୁଡ଼ିବା ପରେ ହେଲା ଶ୍ରୀଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦ୍ରିବିଜେ
ରଥ ଯିବାକୁ ୩ ଦିନ ଆସିବାକୁ ୩ ଦିନ
ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ସନ୍ଧ୍ୟାରେ ସ୍ୱର୍ଣ୍ଣାଦ୍ରି ବିଜେ କରିଛନ୍ତି। ଦିନ ତମାମ ରଥ ଉପରେ ଶ୍ରୀଜିଉ ଭକ୍ତମାନଙ୍କୁ ଦର୍ଶନ ଦେଇ ଆଜି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆତସବାଜି ଓ ରୋଶଣି କରାଯାଇ ଶ୍ରୀଲିଙ୍ଗରାଜଙ୍କ ସହ ମା’ ରୁକ୍ମଣୀ, ଦୋଳଗୋବିନ୍ଦଙ୍କୁ ସେବାୟତମାନେ ପହଣ୍ଡି କରି ମନ୍ଦିରକୁ ନେଇଥିଲେ। ରୁକୁଣା ରଥଯାତ୍ରା ଅବସରରେ ତାଙ୍କୁ ସାଥିରେ ନେଇ ନଥିବାରୁ ଶ୍ରୀଲିଙ୍ଗରାଜଙ୍କ ଉପରେ ମା’ ପାର୍ବତୀ ଆଗରୁ ଅଭିମାନ କରିଥିଲେ। ଏପରିକି ରଥ କପାଳିମଠ ନିକଟରେ ପହଞ୍ଚିବା ବେଳକୁ ମା’ ପାଲିଙ୍କିରେ ଯାଇ ରାଗରେ ରଥର ଏକ ପଟାକୁ ଭାଙ୍ଗି ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ଅଭିମାନ ଆଜି ମଧ୍ୟ ଜାରି ରହିଥିଲା। ଶ୍ରୀଲିଙ୍ଗରାଜ ଆଜି ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ବେଳେ ମା’ ଅଭିମାନରେ କବାଟ ବନ୍ଦ କରି ଦେଇଥିଲେ। ତେବେ ପ୍ରଭୁ ୨୨ ଦିନ ଧରି ଚନ୍ଦନଯାତ୍ରା ଓ ଚାପଖେଳର ପ୍ରତିଶ୍ରୁତି ଦେବାପରେ ମା’ କବାଟ ଖୋଲିଥିଲେ। ସେବାୟତମାନଙ୍କ ଦ୍ୱାରା ଦେବ ଦମ୍ପତିଙ୍କ ମଧ୍ୟରେ ଏହି ଆକର୍ଷଣୀୟ ବଚନିକା ଦେଖିବାକୁ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ଼ ଜମିଥିଲା।
ଆଜି ସ୍ୱର୍ଣ୍ଣାଦ୍ରି ବିଜେ ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଆଲୋକ ସଜ୍ଜା ସହ ଲଉଡ଼ି ଖେଳ, ସଂକୀର୍ତନ, ମୃଦଙ୍ଗ, ଢୋଲ, କାହାଳୀ, ବନାଟି, ନାଗାନୃତ୍ୟ ସହ ସମର୍ଥାଙ୍କ ଘଣ୍ଟମାଡ଼ରେ ସ୍ଥାନୀୟ ଅଞ୍ଚଳ ଉଛୁଳି ପଡ଼ୁଥିଲା। ଏହି ଅବସରରେ ସେବାୟତମାନଙ୍କ ପକ୍ଷରୁ ଶହଶହ ସଂଖ୍ୟାରେ ରସଗୋଲା ବଣ୍ଟନ କରାଯାଇଥିଲା।