ସେବା ଓ କରୁଣାର ପ୍ରତୀକ ଥିଲେ ମାଆ ରମାଦେବୀ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟା, ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟରେ ନାରୀ ସଶକ୍ତୀକରଣର ବାର୍ତ୍ତାବହ, ସେବା ଓ କରୁଣାର ପ୍ରତୀକ ମାଆ ରମାଦେବୀଙ୍କ ୧୨୨ତମ ଜୟନ୍ତୀ ଆଜି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ମାଆ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ମାଆ ରମାଦେବୀ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ନାରୀ ଜାଗରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିବା ସହ ଗାନ୍ଧୀଜୀଙ୍କ ଓଡ଼ିଶା ହରିଜନ ପଦଯାତ୍ରାରେ ମେ’ ୧୯୩୪ ମସିହାରେ ନିଜକୁ ସାମିଲ କରି ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ହରିଜନ ସେବା, ସେବାଘର, ଗାନ୍ଧୀ ସେବାସଂଘ, ମୌଳିକ ଶିକ୍ଷାକେନ୍ଦ୍ର, କସ୍ତୁରବା ନିଧିକାମ, ଆଦିବାସୀ ସେବା, ସର୍ବୋଦୟ ସମାଜ, କୋରାପୁଟ ଦୁର୍ଭିକ୍ଷ ସେବା, ଭୂଦାନ ଆନ୍ଦୋଳନରେ ବିନୋବା ଭାବେଙ୍କ ସହଯୋଗୀ ହେବା ସହ ଛାତ୍ର ଆନ୍ଦୋଳନ ସମୟରେ ଶାନ୍ତି ପ୍ରତିଷ୍ଠା, ସାମ୍ପ୍ରଦାୟିକ ସଦ୍‌ଭାବ ଆଦି ପ୍ରତି କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ବକ୍ତାମାନେ କହିଥିଲେ।

କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ସାଏ, ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ଗାନ୍ଧୀବାଦୀ ଲେଖକ ପ୍ରହଲ୍ଲାଦ ସିଂହ, ବିଶ୍ୱବିଦ୍ୟାଳୟ କୁଳପତି ଡ.ଅପରାଜିତା ଚୌଧୁରୀ, ଅଧ୍ୟାପକ ଚଣ୍ଡୀଚରଣ ରଥ, ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ପ୍ରବୀର ମହାନ୍ତି, ପୂର୍ବତନ କର୍ପୋରେଟର୍‌ ଉମାନାଥ ମିଶ୍ର, ନରେନ୍‌ ସାହୁ, ଦେବଯାନୀ ଦାସ, ସତ୍ୟବ୍ରତ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର