ଭୁବନେଶ୍ବର: ଅଫ୍ଲାଇନ୍ରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପକାଇ ନ ପାରିବାରୁ ଆଜି ଜଣେ ଛାତ୍ରଙ୍କ ସମେତ ତାଙ୍କ ମା’ କ୍ୟାପିଟାଲ ହାଇସ୍କୁଲ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅ ମାଟ୍ରିକ୍ରେ ଭଲ ନମ୍ବର ପାଇବାରୁ ବଞ୍ଚିତ ହୋଇଯିବ ବୋଲି ମା’ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମା’-ପୁଅଙ୍କୁ ବୁଝାସୁଝା କରିଥିଲା। ଏହି ସ୍କୁଲର ଛାତ୍ର ଇମ୍ରାନ ଖାନ୍ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୨୭୨ ନମ୍ବର ରଖି ପାସ୍ କରିଛନ୍ତି। କିନ୍ତୁ ବିନା ପରୀକ୍ଷାରେ ଦିଆଯାଇଥିବା ଏହି ମାର୍କରେ ସେ ସନ୍ତୁଷ୍ଟ ନଥିବାରୁ ଅଫଲାଇନ୍ରେ ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ। ଇମ୍ରାନଙ୍କ ଅଭିଯୋଗ ଅନୁଯାୟୀ, ସେ ଫର୍ମ ପକାଇବା ପାଇଁ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପାଇଁ ଫର୍ମପୂରଣ କରିଦେବେ ବୋଲି କହିଥିଲେ। ଫର୍ମ ପକାଇବାର ଶେଷ ତାରିଖ ଜୁଲାଇ ୧୦ରେ ଥିଲା।
ମାତ୍ର ଆଜି ଇମ୍ରାନ୍ ସ୍କୁଲକୁ ଆଡମିଟ୍ କାର୍ଡ ନେବା ପାଇଁ ଆସିଥିବା ବେଳେ ତାଙ୍କ ଫର୍ମପୂରଣ ହୋଇନଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ଅପରାହ୍ଣରେ ଇମ୍ରାନ ଓ ତାଙ୍କ ମା’ ସ୍କୁଲ ଫାଟକ ସମ୍ମୁଖରେ ପହଞ୍ଚି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ସଂପର୍କରେ ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି ଯେ ଛାତ୍ରଙ୍କର ବାପା ସ୍କୁଲରୁ ଫର୍ମପୂରଣ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ବୁଝି କରି ଯାଇଥିଲେ। ସେ ଆସିଲେ ଫର୍ମ ପୂରଣ କରିବେ ବୋଲି କହିଥିଲେ। ମାତ୍ର ପରେ ଆଉ ଆସିଲେନି। ଆମେ ୪ଜଣ ପିଲାଙ୍କର ଫର୍ମ ପୂରଣ କରିଛୁ। ଇମ୍ରାନ୍ର କରିବାରେ କୌଣସି ଅସୁବିଧା ନଥିଲା। ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ମଧ୍ୟ କରାଯାଇଛି। ମାତ୍ର ତାଙ୍କ ଅବହେଳା ଯୋଗୁଁ ସେ ଫର୍ମ ପକାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।