ଭୁବନେଶ୍ବର: ମାଆ ଛେଉଣ୍ଡ ଭାଇ-ଭଉଣୀଙ୍କୁ ଅକଥନୀୟ ଅତ୍ୟାଚାର କରୁଛି ନୃଶଂସ ବାପା। କଥା କଥାକେ ମାଡ଼। ଏମିତି ଦିନଟିଏ ନାହିଁ ଯେଉଁଦିନ ନିରୀହ ଶିଶୁଦ୍ବୟ ନିଷ୍ଠୁର ବାପାର ମାଡ଼ରୁ ବର୍ତ୍ତିପାରୁଛନ୍ତି! ବୃଦ୍ଧା ଜେଜେମା’ଙ୍କର ଜୁ’ ନାହିଁ ପୁଅକୁ ରୋକିବାକୁ। ତେଣୁ ଶିଶୁଦ୍ବୟ ଦିନକୁ ଦିନ ରୋଗିଣା ହୋଇପଡ଼ିଲେଣି। ଖୋଦ ରାଜଧାନୀରୁ ଏଭଳି ଏକ ଘଟଣା ନଜରକୁ ଆସିଛି। ପଡ଼ୋଶୀଙ୍କଠାରୁ ସୂଚନା ପାଇ ଆଜି ଚାଇଲ୍ଡ ଲାଇନ୍ ପହଞ୍ଚି ବାପାକୁ ତାଗିଦ କରିଛି। ଆଗକୁ ଶିଶୁଦ୍ବୟଙ୍କ ଉପରେ ନିର୍ଯାତନା ହେଉଥିବା ଅଭିଯୋଗ ମିଳିବା ମାତ୍ରେ ଆଇନଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାଇଲ୍ଡଲାଇନ୍ ଚେତାବନୀ ଦେଇଛି।
ଘଟଣାଟି ଏମିତି। ରସୁଲଗଡ଼ ଜିଜିପି କଲୋନିରେ ରହୁଛନ୍ତି ଏହି ପରିବାର। ଶିଶୁଦ୍ବୟଙ୍କ ମାଆଙ୍କର ପ୍ରାୟ ୮ମାସ ତଳେ ମୃତ୍ୟୁ ହୋଇଛି। ସେହିଭଳି ଜେଜେବାପାଙ୍କର ମଧ୍ୟ ୨ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ଏବେ ଘରେ ବୃଦ୍ଧା ଜେଜେମା’, ପୁଅ ଓ ୨ ଶିଶୁ। ପୁଅ ଅର୍ଥାତ୍ ଶିଶୁଦ୍ବୟଙ୍କ ବାପା ସାମାନ୍ୟ ମାନସିକ ବିକାରଗ୍ରସ୍ତ। ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପାଗଳାମି ଆହୁରି ବଢ଼ିଯାଇଛି। ତେଣୁ ପିଲାଦୁଇଟିଙ୍କୁ ସବୁବେଳେ ମାରଧର କରୁଛନ୍ତି। ବୃଦ୍ଧା ଜେଜେମା’ ବିରୋଧ କଲେ ମଧ୍ୟ ପାଗଳ ପୁଅ କିଛି ଶୁଣୁନାହିଁ। ପିଲାଦୁହିଁଙ୍କ ଉପରେ ଏଭଳି ଅମାନବୀୟ ଅତ୍ୟାଚାର ହେଉଥିବା ଜାଣି ପଡ଼ୋଶୀମାନେ ସ୍ଥାନୀୟ ସମାଜସେବୀ ନାରାୟଣ ପୃଷ୍ଟିଙ୍କୁ ଜଣାଇଥିଲେ। ଶ୍ରୀ ପୃଷ୍ଟି ଚାଇଲ୍ଡ ଲାଇନ୍କୁ ଜଣାଇବା ପରେ ଆଜି ଏକ ଟିମ୍ ଶିଶୁଦ୍ବୟଙ୍କ ଘରେ ପହଞ୍ଚିଥିଲା। ବିନା କାରଣରେ ଲଣ୍ଡା କରାଯାଇଥିବା ଭାଇଭଉଣୀଙ୍କ ରୋଗିଣା ଚେହେରା ଓ ଦେହସାରା ମାଡ଼ ଦାଗ ଦେଖି ସମସ୍ତେ ବ୍ୟଥିତ ହୋଇଥିଲେ। ଟିମ୍ ପିଲାଦୁହିଁଙ୍କୁ ନେଇଯିବାକୁ କହିବାରୁ ଜେଜେମାଆ କହିଥିଲେ ଯେ ପିଲାଦୁହିଁଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ଝିଅ(ପିଲାଙ୍କ ପିଉସୀ) ନିଜ ପାଖକୁ ନେଇଯିବ। ସେତିକିଦିନ ପର୍ଯ୍ୟନ୍ତ ସେମାନେ ଘରେ ରହନ୍ତୁ। କିଛି ସମସ୍ୟା ହେଲେ ସେ ନିଜେ ଚାଇଲ୍ଡ ଲାଇନ୍କୁ ଜଣାଇବେ ବୋଲି କହିଥିଲେ। ଏହାପରେ ଚାଇଲ୍ଡ ଲାଇନ୍ ଟିମ୍ ସ୍ଥାନୀୟ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ପିଲାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲା ଏବଂ କୌଣସି ବ୍ୟତିକ୍ରମ ଦେଖିଲେ, ଜଣାଇବାକୁ କହି ଫେରିଥିଲା। ଆଶାକର୍ମୀ ପଙ୍କଜିନୀ ସ୍ବାଇଁ, ଅଙ୍ଗନବାଡ଼ି କର୍ମୀ ମେନକା ସାହୁ, ସମାଜସେବୀ ଶ୍ରୀ ପୃଷ୍ଟି ଓ ଡୋନା ମହାନ୍ତିଙ୍କ ସମେତ ଚାଇଲ୍ଡ ଲାଇନ୍ର ସଦସ୍ୟମାନେ ଏହି ଟିମ୍ରେ ଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp