ଚାରି ପିଲାଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଉଦ୍ୟମ ମାମଲା: ନାରକୀୟ କାଣ୍ଡ ପଛରେ ଦିଅର ସହ ମତାନ୍ତର!

ଚୁପ୍ ବସିଛି ସିଡବ୍ଲୁସି ଓ ଓଏସ୍‌ସିପିସିଆର୍‌

ଭୁବନେଶ୍ବର/ମେଣ୍ଢାଶାଳ : ଚନ୍ଦକା ଥାନା କନ୍ଧଳେଇ ଗ୍ରାମରେ ନିଜର ତିନିଶିଶୁଙ୍କୁ ବିଷ ପିଆଇ ମା’ ବିଷ ପିଇବା ଘଟଣାକୁ ୭୨ ଘଣ୍ଟା ବିତିଗଲାଣି। ହେଲେ ଚନ୍ଦକା ଥାନା ପୁଲିସ କେବଳ ମାମଲା ରୁଜୁ କରି ବସି ଯାଇଥିବାବେଳେ ସିଡବ୍ଲୁସି ପାଖରେ ଖବର ନାହିଁ। ଏଣେ ଶିଶୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଓଏସ୍‌ସିପିସିଆର (ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ) ମଧ୍ୟ ଏତେବଡ଼ ଘଟଣାରେ ଚୁପ୍ ହୋଇ ବସିଛି। ଆଜି ଚାଇଲ୍ଡ ଲାଇନ୍‌ର ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସିଡବ୍ଲୁସି ଓ ଓଏସ୍‌ସିପିସିଆର ନିକଟରେ ପିଟିସନ ଦାଖଲ କରିଛି। ଏଣେ ଶିଶୁଟି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏସ୍‌ସିବି ମେଡିକାଲ ଆଇସିୟୁରେ ମା’ର ଚେତା ଫେରିଛି। ତେବେ ସେ ପୁଲିସ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ନାହାନ୍ତି।

ଚାଇଲ୍ଡ ଲାଇନ୍‌ ପ୍ରସ୍ତୁତ କରିଥିବା ରିପୋର୍ଟ ମୁତାବକ, ଘଟଣା ପୂର୍ବଦିନ ରାତିରେ ମା’ ଜାନକୀ ଓ ତାଙ୍କ ଦିଅର ମଟକାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ପରେ ଜାନକୀ ଏପରି ଚରମ ପଦକ୍ଷେପ ନେଇଥିଲେ। ଏଣୁ ଦିଅର ମଟକାଙ୍କୁ ଜେରା କରାଯିବା ଆବଶ୍ୟକତା ରହିଛି। ଯାହା ଏ ଯାବତ୍‌ ପୁଲିସ କରିନାହିଁ। ଏଣେ ମଟକା ଚିକିତ୍ସାଧୀନ ଶିଶୁକନ୍ୟା ପାଖରେ ଜଗି ରହିଛନ୍ତି। ଏଣୁ ଶିଶୁକନ୍ୟାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଶିଶୁକନ୍ୟାର ସୁରକ୍ଷାକୁ ପ୍ରାଥମିକତା ଦେବାପାଇଁ ସିଡବ୍ଲୁସି ଓ ଓଏସ୍‌ସିପିସିଆର ହସ୍ତକ୍ଷେପ କରି ଉପଯୁକ୍ତ ଆଦେଶ ପ୍ରଦାନ କରିବାକୁ ପିଟିସନରେ ଆବେଦନ ହୋଇଛି। ମା’ ନିଜେ ଶିଶୁକୁ ହତ୍ୟା ଉଦ୍ୟମ କରିଥିବାରୁ ତାଙ୍କ ପାଖରେ ବି ଶିଶୁ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏଣୁ ଶିଶୁକୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଆବଶ୍ୟକ ପଡ଼ିଲେ ଶିଶୁକନ୍ୟାକୁ ପରିବାର ବାହାରେ ଥଇଥାନ ବ୍ୟବସ୍ଥା କରିବା ଜରୁରୀ ବୋଲି ଚାଇଲ୍ଡ ଲାଇନ୍‌ ଉପଲବ୍ଧ କରିଛି।
ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଛତାବର ଗ୍ରାମ ପଞ୍ଚାୟତର ୧ ନମ୍ବର ୱାର୍ଡରେ ରହିଛି ଏହି କନ୍ଧଳେଇ ଗାଁ। ଛତାବରଠାରୁ ୫ କିଲୋମିଟର ଜଙ୍ଗଲ ମଧ୍ୟରେ ବହୁତ ଦିନ ଧରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଆସି ପ୍ରାୟ ୬୦ ପରିବାର ରହୁଛନ୍ତି। ବାରଙ୍ଗର ଚୂଡ଼ଙ୍ଗରେ ଜାନକୀଙ୍କ ବାପା ଘର। ୨୦୧୬ ମସିହାରେ ବିଞ୍ଝଗିରି କନ୍ଧଳେଇ ଗାଁର ଶୁକୁରାମ ଗାଗରାଇକୁ ଜାନକୀ ବିବାହ କରିଥିଲେ। ୨୦୧୯ ମସିହାରେ ସ୍ବାମୀ ଶୁକରାମଙ୍କ ମୃତ୍ୟୁ ହେବା ପରେ ସାନଭାଇ ମଟକା ଗାଗରାଇ ଜାନକୀଙ୍କ ପରିବାର ପୋଷଣ ଦାୟିତ୍ୱ ନେଇଥିଲେ। ଜାନକୀ ହାଣ୍ଡିଆ ବିକ୍ରି କରୁଥିବା ବେଳେ ମଟକା ପଥର ଫଟାଇବା କାମରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଦିନକୁ ଉଭୟ ପ୍ରାୟ ହଜାରେ ଟଙ୍କା ରୋଜଗାର କରୁଥିଲେ। ଯେଉଁଥିରେ ପରିବାର ଚଳି ଯାଉଥିଲା। ମଟକାଙ୍କ କହିବା କଥା, ଭାଇଙ୍କ ମୃତ୍ୟୁ ପରେ ସେ ଭାଉଜ ଜାନକୀଙ୍କୁ ବିବାହ କରିବା ପାଇଁ ରାଜି ଥିଲା, କିନ୍ତୁ ଭାଉଜ ନିଜ ଗାଁ ଚୂଡ଼ଙ୍ଗ ଚାଲି ଯାଇଥିଲେ। ସେଠାରେ ୨ ରୁ ୩ ମାସ ରହିବା ପରେ କନ୍ଧଳେଇ ଫେରି ଆସିଥିଲେ। ଏଠାରେ ସବୁ ଠିକ୍‌ ଚାଲିଥିଲା। ଅନ୍ୟ ପୁରୁଷ ସହିତ ସମ୍ପର୍କ ରହିଛି ବୋଲି କିଛି ଲୋକ ଅଭିଯୋଗ କରିବା ପରେ ଏ ନେଇ ଭାଉଜ ସହ ଝଗଡ଼ା ହୋଇଥିଲା। କେତେଥର ସେ ଭାଉଜକୁ ବୁଝାଇବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ଘଟଣା ଦିନ ସେ କାମକୁ ଯାଇଥିବା ବେଳେ ଜାନକୀ ଏଭଳି କାଣ୍ଡ କରି ବସିଥିଲେ। ମଟକା ଘରକୁ ଫେରିବା ପରେ ଜାନକୀଙ୍କର ଚେତା ଥିଲା। ହାଣ୍ଡିଆ ପିଇ ଦେବା ପରେ ଅଧିକ ନିଶାରେ ଏଭଳି ହୋଇଗଲା ବୋଲି କୁଆଡ଼େ ଜାନକୀ ତାଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର