ଆଉ ଫେରିଲାନି ପୁଅ…

ଭୁବନେଶ୍ବର: ବୋଉ କେମିତି ଅଛୁ? ଲକ୍ଷ୍ମୀ ‌ମୋ ସହ ଫେରିଲାନି, ମୁଁ ଏକୁଟିଆ ଯାଉଛି। ମନ ଦୁଃଖ କରିବୁନି। ଫୋନ୍‌ରେ ମା’ଙ୍କ ସହ ଥିଲା ତାଙ୍କର ଏଇ ଶେଷ କଥା। ଚେନ୍ନାଇରୁ ନିଜ ପତ୍ନୀକୁ ଫେରାଇ ଆଣିବା ଲକ୍ଷ୍ୟରେ ଯାଇ ନିରାଶ ହୋଇ ଫେରିବା ପରେ ସରି ଯାଇଛି ପ୍ରମୋଦ ବିଶୋଇଙ୍କ ଜୀବନ ଯାତ୍ରା। ଘରକୁ ଫେରିବାର ସମସ୍ତ ସ୍ବପ୍ନ ତାଙ୍କ ସହ ଜୁଇରେ ଜଳି ଯାଇଛି। ୩ଦିନ ତଳେ ଘଟିଛି ଏହି ହୃଦୟ ବିଦାରକ ଘଟଣା।

ଗତ ୧୨ ତାରିଖର ଘଟଣା। ‌ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ‌ଭୁବନେଶ୍ବର ରେଳ ପ୍ଲାଟ୍‌ଫର୍ମରେ ‘ନିରାଶ୍ରିତ ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀକୁ ନେଇଯିବା’ ପାଇଁ ଏକ ସଚେତନତା ଶୋଭାଯାତ୍ରା ଚାଲିଥାଏ। ଏଥିସହ ଗଙ୍ଗନଗର ଆଶ୍ରୟସ୍ଥଳୀର ସ୍ବେଚ୍ଛାସେବୀମାନେ ନିରାଶ୍ରିତ ବ୍ୟକ୍ତିଙ୍କୁ ଆଶ୍ରୟସ୍ଥଳୀକୁ ଯିବା ପାଇଁ ବୁଝାଉଥାଆନ୍ତି। ସେତିକିବେଳେ ୪୦ରୁ ୪୨ ବର୍ଷୀୟ ପ୍ରମୋଦ ହାତ ଭାଙ୍ଗି ଯାଇଥିବା ଅବସ୍ଥାରେ ‌ପ୍ଲାଟ୍‌ଫର୍ମରେ ବସି ରହିଥିଲେ। ଏହି ସମୟରେ ଆଶ୍ରୟସ୍ଥଳୀକୁ ନେଇଯିବା ପାଇଁ ସ୍ବେଚ୍ଛାସେବୀମାନେ ଚେଷ୍ଟା କରିଥିଲେ। ମାତ୍ର ପ୍ରମୋଦ ଅମଙ୍ଗ ହୋଇଥିଲେ। ‌ସ୍ବେଚ୍ଛାସେବୀମାନେ ତାଙ୍କୁ ମେଡିକାଲ୍‌ ନେଇଯିବା ପାଇଁ ଆଶ୍ବାସନା ଦେଇଥିଲେ ମଧ୍ୟ ସେ ଶୁଣିନଥିଲେ। ମାତ୍ର ସୌଭାଗ୍ୟବଶତଃ ଆଶ୍ରୟସ୍ଥଳୀର ସଂଯୋଜିକା ମାତୃମୟୀ ପ୍ରିୟଦର୍ଶିନୀଙ୍କ ଫୋନ୍‌ ନମ୍ବରଟି ରଖି ଦେଇଥିଲେ। ଯେବେ ତା’ ପରଦିନ ସକାଳେ ତାଙ୍କ ଗୋଡ଼ ଫୁଲିବା ଆରମ୍ଭ ହେଲା, ସେ ଏ ସମ୍ପର୍କରେ ମାତୃମୟୀଙ୍କୁ ଜଣାଇଥିଲେ। ଯନ୍ତ୍ରଣା ଜର୍ଜରିତ ତାଙ୍କର ନିବେଦନ ଶୁଣି ସ୍ବେଚ୍ଛାସେବୀମାନେ ପହଞ୍ଚି ତାଙ୍କୁ ଆଶ୍ରୟସ୍ଥଳୀକୁ ନେଇ ଆସିଥିଲେ। ପରେ ତାଙ୍କୁ ନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରିଥିଲେ। ହେଲେ ସେଇଦିନ ସକାଳ ୮ଟାରେ ଆସିଥିବା ପ୍ରମୋଦଙ୍କର ମେଡିକାଲ୍‌ରେ ରାତି ସାଢ଼େ ୮ଟାରେ ମୃତ୍ୟୁ ହୋଇଯାଇଥିଲା।

ସମ୍ଭବତଃ କିଛି ସମୟ ଆଗରୁ ଚିକିତ୍ସା ପାଇଥିଲେ ସେ ବଞ୍ଚି ଯାଇଥାଆନ୍ତେ। ମାତ୍ର ତାହା ସଫଳ ହୋଇପାରିନଥିଲା। ପ୍ରମୋଦଙ୍କ ଖବର ନେବାରେ ଜଣାପଡ଼ିଥିଲା, ଆଜକୁ ବର୍ଷେ ତଳେ ପ୍ରମୋଦ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ଲାଗି ରହିଥିଲା। ମଦ ପିଇ ପ୍ରମୋଦ ଲକ୍ଷ୍ମୀଙ୍କ ସହ ପାଟି ତୁଣ୍ଡ କରୁଥିଲେ। ତେଣୁ ପ୍ରମୋଦଙ୍କ ଉପରେ ରାଗି ଲକ୍ଷ୍ମୀ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଚେନ୍ନାଇ ଚାଲି ଯାଇଥିଲେ। ୨ ପୁଅ ଓ ଗୋଟିଏ ଝିଅକୁ ପ୍ରମୋଦଙ୍କ ପାଖରେ ଛାଡ଼ି ଚେନ୍ନାଇ ଚାଲିଯାଇଥିଲେ। ତେଣୁ ପ୍ରମୋଦ ବର୍ଷକ ପରେ ଲକ୍ଷ୍ମୀଙ୍କୁ ପୁଣି ଘରକୁ ଫେରାଇ ଆଣିବା ପାଇଁ ଚେନ୍ନାଇ ଯାଇଥିଲେ। ମାତ୍ର ଲକ୍ଷ୍ମୀ ତାଙ୍କ ସହ ଫେରିନଥିଲେ। ପ୍ରମୋଦ ଆରପାରିକୁ ଚାଲିଯିବା ପରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଝୁରି ହୋଇ ପୁଅକୁ ବାହୁନୁଛନ୍ତି ତାଙ୍କ ମା’।

ସମ୍ବନ୍ଧିତ ଖବର