ମା’ ଖାଇବା ଥାଳି ଧରି ବସିଛି, ନଦୀରୁ ଫେରିଲାନି ପୁଅ

ଆଉ କେତେଜଣଙ୍କ ସଲିଳ ସମାଧିକୁ ଅପେକ୍ଷା?

ବାଲିଅନ୍ତା: ମା’ ଘରେ ଖାଇବା ବାଢ଼ି ବସିଛି। ବଡ଼ ଗେହ୍ଲାରେ ବଢ଼ିଥିବା ଏକମାତ୍ର ପୁଅ ନଦୀରୁ ଗାଧୋଇ ଘରକୁ ଫେରିଲେ, ସାଙ୍ଗ ହୋଇ ମା’ ପୁଅ ଖାଇବେ ବୋଲି ଥାଳି ଧରି ଅପେକ୍ଷା କରିଛି ମା’। କିନ୍ତୁ ପୁଅ ଆଉ ନଦୀରୁ ଫେରିଲା ନାହିଁ। ଅଦିନିଆ ନଦୀରେ ଗାଧୋଇବା କାଳ ହେଲା। ନଦୀ ଜଳରେ ସଲିଳ ସମାଧି ନେଇଗଲା ପୁଅ। ଆଜି କୁଆଖାଇ ନଦୀରେ ବୁଡ଼ି ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ହେଲେ, ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ବରପାଟଣାରେ ରହୁଥିବା ରାଜକିଶୋର ସ୍ବାଇଁଙ୍କ ଏକମାତ୍ର ପୁଅ ବିଶ୍ବରଞ୍ଜନ ସ୍ବାଇଁ (୨୨)। ରାଜକିଶୋରଙ୍କ ଘର ଜଗତ୍‌ସିଂହପୁରରେ। ସେ ବ୍ରହ୍ମେଶ୍ବରପାଟଣା ଅଞ୍ଚଳରେ ପରିବା ବ୍ୟବସାୟ କରନ୍ତି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏରେ ବିଶ୍ବରଞ୍ଜନ ଜଣେ ସାଙ୍ଗଙ୍କ ସହ ବୁଲେଟ୍‌‌ ନେଇ ନଦୀକୁ ଗାଧୋଇବାକୁ ବାହାରିଥିଲେ। ମା’ ମନା କରିବା ସତ୍ତ୍ବେ ସେ ଶୀଘ୍ର ଫେରିବେ ବୋଲି କହି ଘରୁ ବାହାରି ଯାଇଥିଲେ। ଏମିତିକି ‘ଖାଇବା ବାଢ଼ି ରଖିଥା, ଆସିଲେ ସାଙ୍ଗ ହୋଇ ଖାଇବା’ ବୋଲି କହି ଯାଇଥିଲେ। କୁଆଖାଇ ନଦୀପଠାରେ ବୁଲେଟ୍‌ ରଖି ଦୁଇ ସାଙ୍ଗ ନଦୀ ଭିତରକୁ ପଶିଥିଲେ। ତେବେ ବିଶ୍ବ ଗଣ୍ଡ‌ରେ ପଶି ଯିବାରୁ ବୁଡ଼ି ଯାଇଥିଲେ। ବିଶ୍ବ ପାଣିରେ ବୁଡ଼ି ଯାଉଥିବା ଦେଖି ତାଙ୍କ ସାଙ୍ଗ ଚିତ୍କାର କରି ଡାକ ପକାଇଥିଲେ।

ହେଲେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଲା ବେଳକୁ ବିଶ୍ବ ନିଖୋଜ ହୋଇ ସାରିଥିଲେ। ଅଗ୍ନିଶମ ବାହିନୀ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇ ପରିବାରଲୋକେ ନଦୀକୂଳରେ ପହଞ୍ଚିଥି‌ଲେ। ଖାଇବା ଥାଳି କଥା କହି କହି ମା’ କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା।।

ଆଉ କେତେଜଣଙ୍କ ସଲିଳ ସମାଧିକୁ ଅପେକ୍ଷା?
ବାଲିଅନ୍ତା: ଗତ ୩ ମାସରେ ୪ ଜଣ ସଲିଳ ସମାଧି ନେଲେଣି। କିନ୍ତୁ ପ୍ରଶାସନର ସାମାନ୍ୟତମ ଦୁଃଖ ବା ଅନୁଶୋଚନା ନାହିଁ। ମାଫିଆମାନେ ବେଆଇନ ବାଲି ଖନନ କରି ଗଣ୍ଡ ସୃଷ୍ଟି କରୁଥିବା ଉପରେ ପ୍ରଶାସନ ଅଙ୍କୁଶ ଲଗାଇ ପାରୁନି କି ଗଣ୍ଡ ନିକଟରେ ସତର୍କ ଫଳକଟିଏ ଲଗାଇ ପାରିଲା ନାହିଁ। ଫଳରେ ରାଜଧାନୀ ଉପକଣ୍ଠରେ କୁଆଖାଇ ନଦୀରେ ଡେଥ୍‌ ଜୋନ୍‌ ପାଲଟିଥିବା ଗଣ୍ଡ ଏବେ ଦିନକୁ ଦିନ ଅଧିକ ବିପଦପୂର୍ଣ୍ଣ ହେବାରେ ଲାଗିଛି। ଗତ ମାର୍ଚ୍ଚ ୧୩ ତାରିଖ ମଧ୍ୟାହ୍ନରେ ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନି ମଝିସାହିର ମହେଶ୍ବର ପୃଷ୍ଟି(୧୩) ଦୁଇ ସାଙ୍ଗଙ୍କ ସହ ଗାଧୋଇବା ବେଳେ ଏହି ଗଣ୍ଡରେ ବୁଡ଼ି ପ୍ରାଣ ହରାଇଥିଲେ।

ଏହାର ଠିକ୍‌ ପରଦିନ ଶ୍ରୀଲିଙ୍ଗରାଜ ଥାନା ରାମେଶ୍ବରପାଟଣାର କାହ୍ନୁଚରଣ ଜେନା ତାଙ୍କର ନାବାଳକ ପୁଅ ନିଖିଳ(୧୨) ସହ କାର୍ ଯୋଗେ କୁଆଖାଇକୁ ଗାଧୋଇ ଆସିଥିଲେ। ମାତ୍ର ବଡ଼ ଦୁଃଖର କଥା ବାପା କାହ୍ନୁଙ୍କ ଆଖି ଆଗରେ ନିଖିଳ ଭାସି ଯାଇ ପ୍ରାଣ ହରାଇଥିଲେ। ସେହିଭଳି ଦୁଇ ମାସ ପୂର୍ବରୁ ଜଣେ ଶ୍ରମଜୀବୀ ମହିଳାଙ୍କର ଏଠାରେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା। ଗତ ବର୍ଷ ପହିଲି ରଜ ଦିନ ଫାସି ଜାଲରେ ଛନ୍ଦି ହୋଇ ବାଲିପାଟଣା ଥାନା ଚିତ୍ତଳପୁର ଗ୍ରାମର ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୁଆଖାଇରେ ଗଣ୍ଡ ସୃଷ୍ଟି କରି ନଦୀକୁ ବିପଦସଂକୁଳ କରୁଥିବା ବାଲିମାଫିଆ ବିରୋଧରେ ପ୍ରଶାସନ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିନାହିଁ।

ସମ୍ବନ୍ଧିତ ଖବର