ବାଲିଅନ୍ତା: ଜଣେ ମା’ ତାଙ୍କ ଅଢ଼େଇ ବ‌ର୍ଷ ବୟସର ଶିଶୁପୁତ୍ର ସହ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ସୌଭାଗ୍ୟବଶତଃ ଠିକ୍‌ ସମୟରେ ତାଙ୍କ ଉପରେ ଦୁଇ ଯୁବକଙ୍କ ନଜର ପଡ଼ିଗଲା। ସେମାନେ ମା’ ଓ ପୁଅଙ୍କୁ ନଦୀ ବ୍ରିଜ୍‌ ବାଡ଼ରୁ ଉଦ୍ଧାର କରିବାରେ ସଫଳ ହେଲେ। ଆଜି ପୂର୍ବାହ୍ଣ‌ରେ ଭାର୍ଗବୀ ନଦୀ ବାଳକାଟି ବ୍ରିଜ୍‌ରେ ଦେଖିବାକୁ ମିଳିଥିବା ଏଭଳି ଦୃଶ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ମା’ ପୁଅ ହେଲେ ତୃପ୍ତିମୟୀ ମହାପାତ୍ର(୨୬) ଓ ତାଙ୍କ ଶିଶୁପୁତ୍ର। ସେମାନଙ୍କୁ ମରଣମୁହଁରୁ ଟାଣିଆଣିଥିବା ଯୁବକମାନେ ହେଲେ ନୂଆପାଟଣା ଗାଁର ପ୍ରବାସ ବାରିକ ଓ ମାହାଲସାହିର ପ୍ରଦୀପ୍ତ ବେହେରା। 

Advertisment

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ପ୍ରବାସ ଓ ପ୍ରଦୀପ୍ତ କୌଣସି କାମରେ ବାଳକାଟିରୁ ଉତ୍ତରା ଛକକୁ ଯାଉଥିଲେ। ସେମାନେ ଭାର୍ଗବୀ ନଦୀ ବାଳକାଟି ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ତୃପ୍ତିମୟୀଙ୍କ ଉପରେ ନଜର ପଡ଼ିଥିଲା। ଛୁଆଟିକୁ କାଖରେ ଧରି ତୃପ୍ତିମୟୀ ବ୍ରିଜ୍‌ ବାଡ଼ା ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ଦେଖି ସେମାନଙ୍କର ସନ୍ଦେହ ହୋଇଥିଲା। ସେମାନେ ବାଇକ୍‌ ଅଟକାଇଥିଲେ। ତୃପ୍ତିମୟୀ ଶାଢ଼ି ପିନ୍ଧିଥିବାରୁ ଓ ଛୁଆକୁ କାଖରେ ଧରିଥିବାରୁ ବ୍ରିଜ୍‌ ବାଡ଼ାକୁ ସହଜରେ ଚଢ଼ିପାରିନଥିଲେ। ତେଣୁ ସେ ନଦୀକୁ ଡେଇଁବା ପୂର୍ବରୁ ପ୍ରବାସ ଓ ପ୍ରଦୀପ୍ତ ତାଙ୍କ ପାଖରେ ପହଞ୍ଚିଯାଇଥିଲେ। ‌ଆଉ କିଛି କ୍ଷଣ ବିଳମ୍ବ ହୋଇଥିଲେ, ମା’ ପୁଅ ବ୍ରିଜ୍‌ ତଳ ଗଭୀର ଗଣ୍ଡରେ ବୁଡ଼ିଯାଇଥା’ନ୍ତେ। ସେମାନେ ତୃପ୍ତିମୟୀଙ୍କୁ ଅଟକାଇବା ପରେ ବାଳକାଟି ଫାଣ୍ଡି ପୁଲିସକୁ ଜଣାଇଥିଲେ। ପୁଲିସ ଟିମ୍‌ ସେଠାରେ ପହଞ୍ଚି ତୃପ୍ତିଙ୍କୁ ନେଇ ଫାଣ୍ଡିକୁ ଯାଇଥିଲା। ପଚରାଉଚରା ପରେ ଜଣାପଡ଼ିଥିଲା ଯେ ବାଲିପାଟଣା ଭାପୁର ଗାଁର ତୃପ୍ତିମୟୀ ପୁରୀ ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଶୁଭକାନ୍ତ ପଣ୍ଡାଙ୍କୁ ବିବାହ କରିଛନ୍ତି।

ସେମାନଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟୁନାହିଁ। ସ୍ବାମୀ ଓ ଶାଶୂ ତାଙ୍କୁ ନିର୍ଯାତନା ଦେଉଛନ୍ତି। ତେଣୁ ତୃପ୍ତି ଅଧିକାଂଶ ସମୟ ବାପଘରେ ରହୁଛନ୍ତି। ନିକଟରେ ସେ ଶାଶୂଘରକୁ ଯାଇଥିଲେ। କିନ୍ତୁ ପୁଣି ସ୍ବାମୀ ଓ ଶାଶୂ ନିର୍ଯାତନା ଦେବାରୁ ସେ ଆଜି ସକାଳୁ ବାପଘରକୁ ଚାଲିଆସିଥିଲେ। ଉତ୍ତରା ଛକରେ ବସ୍‌ରୁ ଓହ୍ଲାଇ ସେ ବାଳକାଟି ବ୍ରିଜ୍‌ ଦେଇ ଚାଲିଚାଲି ବାଲିପାଟଣା ଯିବାକୁ ମନସ୍ଥ କରିଥିଲେ। କିନ୍ତୁ ହଠାତ୍ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଶାଶୂଘରୁ ବାରମ୍ବାର ବାପଘରକୁ ଫେରିବା, ବାପଘର ଉପରେ ବୋଝ ହେବା ସହ ଲୋକଲଜ୍ଜା ଲଦିଦେବାକୁ ସେ ଆଉ ଇଛା କରିନଥିଲେ। ତେଣୁ ଜୀବନ ହାରିଦେବାକୁ ସେ ଉଦ୍ୟମ କରିଥିଲେ। ସନ୍ଧ୍ୟାରେ ଶାଶୂଘର ଓ ବାପଘର ଲୋକେ ଫାଣ୍ଡିରେ ପହଞ୍ଚିଥିଲେ। ଶାଶୂଘର ଲୋକେ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ନେଇଛନ୍ତି।