ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୬୯ ବର୍ଷରେ ପଦାର୍ପଣ କରିଥିବା ଏହି ଦୁର୍ଗାପୂଜା ସମିତି ପ୍ରତ୍ୟେକ ବର୍ଷ ନୂଆ ରୂପ ଓ ପରିକଳ୍ପନା ନେଇ ତୋରଣ ନିର୍ମାଣ ପାଇଁ ଚର୍ଚ୍ଚାରେ ରହୁଥ‌ିବା ବେଳେ ଏଥର  କାମ୍ବୋଡ଼ିଆସ୍ଥିତ ଆଙ୍ଗ୍‌ଙ୍କର୍‌ ୱାଟ୍‌ ମନ୍ଦିରର ପ୍ରତିକୃତି ନିର୍ମାଣ କରୁଛି। ଯାହାର ଦୈର୍ଘ୍ୟ ୧୫୪ ଫୁଟ୍ ଥିବା ବେଳେ ଉଚ୍ଚତା ୪୦ ଫୁଟ୍ ରହିଛି। ପ୍ରାଚୀନ ସଭ୍ୟତାରେ ଦେବଦେବୀଙ୍କ ପ୍ରତିମୂର୍ତ୍ତି, ବୃକ୍ଷଲତା ସହିତ କୃତ୍ରିମ ହ୍ରଦ ପ୍ରସ୍ତୁତ କରାଯିବ। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୨୨ ଫୁଟ ରହିବ। ମା’ଙ୍କୁ ସମ୍ପୂର୍ଣ୍ଣ ଚାନ୍ଦି ଅଳଙ୍କାରରେ ଆଭୂଷଣ କରାଯିବ।

Advertisment

ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି

ଚିତ୍ତାକର୍ଷକ ତୋରଣ ସହିତ ମୁଖ୍ୟ ଆକର୍ଷଣ ସାଜିବ ଲାଇଟ ଗେଟ। ଏଥର ପୂଜା ବଜେଟ ୬୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ସପ୍ତମୀ ଓ ଅଷ୍ଟମୀ ତିଥିରେ ଦେବୀଙ୍କ ନିକଟରେ ଚାରୁଅନ୍ନ ଏବଂ ଦଶମୀରେ ଦହିପଖାଳ ଭୋଗ ହେବ। ଅଷ୍ଟମୀରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୨୦୦ ସ୍ୱେଚ୍ଛାସେବୀ ସମେତ ୫୦ଟି ସିସିଟିଭି ସଂଯୁକ୍ତ କରାହେବ। ସେହିପରି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱର ବହୁ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ।