ପୁଲିସ ଭବନରେ ଝଟକିବ ମା’ଙ୍କ ରୁପା ମୁକୁଟ

ଭିଏସ୍‌ଏସ୍‌ନଗର ଦୁର୍ଗାପୂଜା ସମିତି

ଭୁବନେଶ୍ବର,: ଏଥର ପୁଲିସ ଭବନରେ ପୂଜା ପାଇବେ ଜଗତଜନନୀ ମା’ ଦୁର୍ଗା। ବୀର ସୁରେନ୍ଦ୍ର ସାଏ ନଗର (ଭିଏସ୍‌ଏସ୍‌ନଗର) ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଏହି ମଡେଲର ତୋରଣ ନିର୍ମାଣ କରାଯାଉଛି। କମିସନରେଟ ପୁଲିସ ସେବା ଭବନର ବିଶାଳ ତଥା ଆକର୍ଷଣୀୟ ଚେହେରା ଏବର୍ଷ ଭିଏସ୍‌ଏସ୍‌ନଗର ତୋରଣରେ ପ୍ରତିଫଳିତ ହେବ। ପୁଲିସ ସେବା ଭବନର ବିଶାଳ ଆକୃତି ଭଳି ଏଠାରେ ୪୦ ଫୁଟ୍‌ ଉଚ୍ଚତାର ବିରାଟ ତୋରଣ ନିର୍ମାଣ କରାଯାଉଛି। ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ସବୁଥର ଭଳି ଏଥର ମଧ୍ୟ ଭିଏସ୍‌ଏସ୍‌ ନଗର ପୂଜା ସମିତି ଏଭଳି ପରିକଳ୍ପନା କରିଛି। ୧୯୭୮ ମସିହାରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ୪୪ବର୍ଷରେ ପଦାର୍ପଣ କରିବ।

ତେଣୁ ପୁରୁଣା ପୂଜା ହିସାବ‌ରେ ଏଥର ବି ଏହି ପୂଜା କମିଟି ମା’ଙ୍କ ପୂଜାକୁ ଯଥାବିଧି ରୀତିନୀତିରେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଦର୍ଶନ କରାଇବାରେ ସବୁପ୍ରକାର ସହଯୋଗ କରିବ ବୋଲି ସୂଚନା ଦେଇଛନ୍ତି। ସୁନିଆ ତିଥି ଅବସରରେ କୁଆଖାଇ ନଦୀରୁ ମାଟି ଅନୁକୂଳ ହୋଇ ସାରିବା ପରେ କୋଲକାତାରୁ ଆସିଥିବା କୁଶଳୀ କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଛି। ମୂର୍ତ୍ତିର ଉଚ୍ଚତା ୧୫ଫୁଟ୍‌ ହେଉଥିବା ବେଳେ ବାରଙ୍ଗ ଫୁଲପୋଖରୀରୁ ଆସୁଥିବା ଜରି ମେଢ଼ର ଉଚ୍ଚତା ୧୮ଫୁଟ୍‌ ରହିଛି। ସେହିଭଳି ବିଶେଷ ଆକର୍ଷଣ ହେଉଛି ମା’ଙ୍କ ସହ ପାର୍ଶ୍ବ ଦେବଦେବୀଙ୍କୁ ରୁପା ମୁକୁଟ ଓ ରୁପାହାରରେ ସଜେଇ ଦିଆଯିବ। ଜରି ମେଢ଼ ସାଙ୍ଗକୁ ଦେବଦେବୀଙ୍କ ଚିକ୍‌ଚିକ୍‌ ରୁପା ଅଳଙ୍କାର ଏକ ଶୁଭ୍ରସମ୍ଭାର ପରିବେଶ ସୃଷ୍ଟି କରିବ।

ପୂଜା ବିଧିକୁ ବିଶେଷ ଗୁରୁତ୍ବ

ଦୁଇ ବର୍ଷ ହେଲା ମା’ଙ୍କ ଦର୍ଶନ ପାଇ ନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ବହୁତ ବ୍ୟଥା ଭରି ରହିଛି। ତେଣୁ ଚଳିତଥର ମା’ଙ୍କ କୃପାରୁ ‌ସେସବୁ ଲାଘବ ହେବାକୁ ଯାଉଛି। ସେଥିପାଇଁ ଆମେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବା ସହ ପୂଜା ବିଧିକୁ ବି ସମାନ ଗୁରୁତ୍ବ ଦେଉଛୁ। ମା’ ସନ୍ତୁଷ୍ଟ ରହିଲେ, ଜଗତ କଲ୍ୟାଣ ହେବ।
-ଆର୍ତ୍ତତ୍ରାଣ ଦଳାଇ, ସଭାପତି

୨୫୦୦ ପରିବାର ମିଳିମିଶି ପୂଜା କରୁ

ଏହି ପୂଜାରେ ପ୍ରାୟ ୨୫୦୦ ପରିବାରଙ୍କ ମିଳିତ ଉଦ୍ୟମ ତଥା ଅବଦାନ ରହିଛି। ମା’ଙ୍କ ପୂଜା ପାଇଁ ଏଠାରେ ଏକ ନିଆରା ଭାଇଚାରା ରହିଆସିଛି। ଦୀର୍ଘ ୪୪ବର୍ଷ ହେଲା ମା’ଙ୍କ ଦୟାରୁ କୌଣସି ସମସ୍ୟା ହୋଇନାହିଁ।
-ଦିଲ୍ଲୀପ ଦାଶଶର୍ମା, ଉପସଭାପତି

ସମ୍ବନ୍ଧିତ ଖବର