ଉଦ୍ଭାବନ ଓ ନୂତନ ଜ୍ଞାନକୌଶଳ ସୃଷ୍ଟି ପାଇଁ ବିରଲା ଗ୍ଲୋବାଲ ୟୁନିଭର୍ସିଟି ଓ ବିସିକେଆଇସି ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : ବିରଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଓ ଭୁବନେଶ୍ବର ସିଟି ନଲେଜ ଇନୋଭେସନ ସେଣ୍ଟର (ବିସିକେଆଇସି) ମଧ୍ୟରେ ଏକ ବୁଝାମଣା ପତ୍ର ବା ଏମଓୟୁ ସ୍ବାକ୍ଷରିତ ହୋଇଯାଇଛି । ଗତକାଲି ବିଜିୟୁ ସେମିନାର ହଲଠାରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଯାଇଛି ।

ଏହି ଅବସରରେ ବିଜିୟୁର କୁଳପତି ପ୍ରଫେସର ଡ. ପିପି ମାଥୁର, ରେଜିଷ୍ଟ୍ରାର ପ୍ରଫେସର ଡ.ବି.କେ.ଦାସ, ବିସିକେଆଇସିର ଅଧ୍ୟକ୍ଷ ଡ. ମୃତ୍ୟୁଞ୍ଜୟ ସୁଆର, ଏହାର ସିଇଓ ଡ. ପ୍ରଶାନ୍ତ ସିଂ, ବିରଲା ସ୍କୁଲ ଅଫ କମର୍ସର ଡିନ ପ୍ରଫେସର ଡ. ସାମସନ ମହାରଣା ଓ ବିରଲା ସ୍କୁଲ ଅପ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ଡ. ପରମେଶ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍ଭାବନ ଓ ଜ୍ଞାନକୌଶଳ ସୃଷ୍ଟି ପାଇଁ ଶିକ୍ଷାନୁଷ୍ଠାନ, ଗବେଷଣା ଅନୁଷ୍ଠାନ, ଶିଳ୍ପଜଗତ, ମଧ୍ୟରେ ଯୋଗସୂତ୍ର ରକ୍ଷା ପାଇଁ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଫିସର ଉଦ୍ୟମରେ ବିସିକେଆଇସିର ଗଠନ ହୋଇଛି । ବିରଲା ଗ୍ଲୋବାଲ ୟୁନିଭର୍ସିଟି ସହ ହୋଇଥିବା ଏମଓୟୁର ଉଦ୍ଦେଶ୍ୟ ହେଉଛି ବିସିକେଆଇସିର ସଦସ୍ୟ ଅନୁଷ୍ଠାନଗୁଡ଼ିକର ପ୍ରାଧ୍ୟାପକ, ଛାତ୍ରଛାତ୍ରୀ, ଶିଳ୍ପ ଜଗତ, ଦାତବ୍ୟ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା ସହ ଏକ ଉନ୍ନତ ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ପରିବେଶ ସୃଷ୍ଟି କରିବା । ଏହା ସହିତ ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ମଧ୍ୟ ଏହାର ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ସାମସନ ମହାରଣା ସ୍ବାଗତ ଭାଷଣ ଦେଇଥିଲେ । ପ୍ରଫେସର ବି.କେ. ଦାସ ଏହି ଏମଓୟୁର ଉଦ୍ଦେଶ୍ୟ ଜଣାଇବା ସହ ଏହା କିପରି ଉଭୟ ଅନୁଷ୍ଠାନ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ତାହା ବୁଝାଇଥିଲେ । ସମାଜ ଓ ଦେଶ ଗଠନରେ ଉଦ୍ଭାବନର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଫେସର ମାଥୁର ନିଜର ଅଭିଭାଷଣରେ କହିଥିଲେ ।

ଡ. ମୃତ୍ୟୁଞ୍ଜୟ ସୁଆର ଏହି ଏମଓୟୁକୁ ନେଇ ଆନନ୍ଦ ପ୍ରକାଶ କରିବା ସହ ବିଜିୟୁରେ ଏକ ଇନକୁବେସନ ସେଣ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହି ବିଶ୍ବ ବିଦ୍ୟାଳୟକୁ ଏକ ଉଦ୍ଭାବନ କେନ୍ଦ୍ରରେ ପରିଣତ କରିବାକୁ ଜ୍ଞାନ ପୁଞ୍ଜ ବା ନଲେଜ କ୍ଲଷ୍ଟରର ବିକାଶ ପାଇଁ ଯୋଗଦାନ ଦେବାକୁ ସେ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଥିଲେ । ବିରଲା ସ୍କୁଲ ଅଫ କମର୍ସର ସହକାରୀ ପ୍ରଫେସର ଲୋପାମୁଦ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର