ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଅଞ୍ଚଳରେ ରାସ୍ତା, ଜଳାଶୟ, ପାର୍କ, ଖୋଲା ସ୍ଥାନ, ଖେଳ, ଖେଳପଡ଼ିଆ ଏବଂ ଐତିହ୍ୟସ୍ଥଳୀର ଉନ୍ନତୀକରଣ ପାଇଁ ସାଇଟିସ୍ (ସିଟି ଇନଭେଷ୍ଟମେଣ୍ଟ୍ସ ଟୁ ଇନୋଭେଟ୍, ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ୍) କାର୍ଯ୍ୟକ୍ରମରେ ପ୍ରାୟ ୮୦କୋଟି କେନ୍ଦ୍ର ସରକାର ଦେବେ। ଏହାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଭୁବନେଶ୍ବର ଆକ୍ଟିଭ୍ ବା ବି-ଆକ୍ଟିଭ୍ ଯୋଜନା ମାଧ୍ୟମରେ ଖର୍ଚ୍ଚ କରିବେ। ଏହି ସବୁ ପ୍ରକଳ୍ପ ପାଇଁ ନାଗପୁରସ୍ଥିତ ନାସନାଲ୍ ଏନଭାଇରନମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ନୀରି) ବୈଷୟିକ ସହଯୋଗ ଯୋଗାଇବ। ଏଥିପାଇଁ ଆଜି ବିଏସ୍ସିଏଲ୍ ଏବଂ ନୀରି ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷର ହୋଇଛି।
ବିଏସ୍ସିଏଲ୍ ପକ୍ଷରୁ କୁହାଯାଇଛି ଯେ, ସାଇଟିସ୍ ପ୍ରକଳ୍ପରେ ଯେଉଁ ସବୁ କାମ ହେବ ସେଥିରେ କିପରି ପରିବେଶକୁ ଅଧିକ ଗୁରୁତ୍ବ ଦିଆଯିବ, କଠିନ ବର୍ଜ୍ୟ ପରିଚାଳନା, ଜଳାଶୟର ପୁନରୁଦ୍ଧାର, ବର୍ଷା ଜଳ ପରିଚାଳନା ଓ ପରିମଳ ବ୍ୟବସ୍ଥା ନେଇ ନୀରି ବୈଷୟିକ ଜ୍ଞାନ ଦେବ। କିପରି ରାଜଧାନୀରେ କମ୍ ଗଛ କାଟି, ପରିବେଶକୁ ଅଧିକ ପ୍ରଭାବିତ ନକରି ରାସ୍ତା ନିର୍ମାଣ ହେବ, କେଉଁ ପଦ୍ଧତିରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରିହେବ, ରାଜଧାନୀର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା, ବିଭିନ୍ନ ଜୋନ୍ ମ୍ୟାପିଂ କରିବା, ସମ୍ବେଦନଶୀଳ ଜୋନ୍ ଓ ଇକୋ ସେନସିଟିଭ୍ ଜୋନ୍ରେ କିପରି ପରିବେଶକୁ କ୍ଷତି ନପହଞ୍ଚାଇ ଅଧିକ ବିକାଶମୂଳକ କାମ ହୋଇପାରିବ ସେନେଇ ପରାମର୍ଶ ଦେବ। ମୁଖ୍ୟ ଡ୍ରେନ୍ ୭ ଏବଂ ୧୦ ନିକଟବର୍ତ୍ତୀ ଅଞ୍ଚଳରେ ଏବେ ଅଧିକ ଜଳବନ୍ଦୀ ସମସ୍ୟା ଦେଖାଯାଉଥିବାବେଳେ ଏହାର କିପରି ସ୍ଥାୟୀ ସମାଧାନ ହୋଇପାରିବ, ବର୍ଷା ଜଳକୁ ମାଟି ତଳକୁ ଛଡ଼ାଯାଇପାରିବ ସେନେଇ ପରାମର୍ଶ ଦେବ। ଏହାଦ୍ବାରା ରାଜଧାନୀରେ ସବୁଜିମାକୁ ସଂରକ୍ଷିତ ରଖି ବହୁ ବିକାଶମୂଳକ କାମ କରିହେବ ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି।
ବିଏସ୍ସିଏଲ୍ ମୁଖ୍ୟକାର୍ଯ୍ୟନିର୍ବାହୀ ପ୍ରେମଚନ୍ଦ୍ର ଚୌଧରୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ବାକ୍ଷର ହୋଇଥିଲା। ବିଏସ୍ସିଏଲ୍ର ସାଇଟସ୍ ପ୍ରକଳ୍ପ ଦାୟିତ୍ବରେ ଥିବା ଦୀପ୍ତିରାଣୀ ସାହୁ ଏବଂ ନୀରିର ପ୍ରତିନିଧି ନୀତିନ ଗୋୟଲ ଏମ୍ଓୟୁରେ ସ୍ବାକ୍ଷର କରିଥିଲେ।