ପୁରୁଣା ଭୁବନେଶ୍ବର: ପର୍ବତାରୋହୀ ଚିନ୍ମୟଙ୍କ ଅଭିଯାନରେ କଣ୍ଟା ସାଜିଛି କରୋନା। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଫ୍ରିକାର ଉଚ୍ଚତମ ପର୍ବତ ଶୃଙ୍ଗ କିଲିମାଞ୍ଜରୋ ଚଢ଼ିବାକୁ ଯୋଜନା କରିଥିଲେ। ଏହାର ଉଚ୍ଚତା ୧୯ ହଜାର ୩୪୦ ଫୁଟ୍। ଏଥିପାଇଁ ତାଙ୍କୁ ଅନୁମତି ମଧ୍ୟ ମିଳିଥିଲା। ତେବେ କରୋନା ଯୋଗୁଁ ତାଙ୍କର ଏହି ଆଗାମୀ ଅଭିଯାନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।
ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୁଃସାହସିକ କ୍ରୀଡ଼ାବିତ ଚିନ୍ମୟ ମହାରଣା। ସେ ନିଜ ଗୁରୁ ତଥା ଏଭରେଷ୍ଟ ଆରୋହଣକାରୀ ଗଣେଶ ଚନ୍ଦ୍ର ଜେନାଙ୍କ ପଥ ଅନୁସରଣ କରି ପର୍ବତାରୋହୀ ହେବାକୁ ଆଶା ବାନ୍ଧିଛନ୍ତି। ଭବିଷ୍ୟତରେ ଭାରତର ଉଚ୍ଚତମ ଶୃଙ୍ଗ କାଞ୍ଚନଜଙ୍ଗାରୁ ଆରମ୍ଭ କରି ଏଭରେଷ୍ଟ ପର୍ଯ୍ୟନ୍ତ ଆରୋହଣ କରିବାକୁ ଲକ୍ଷ୍ୟ ରଖିଥିବା ଚିନ୍ମୟ କହିଛନ୍ତି। ଓଡ଼ିଶାର ପ୍ରଥମ ପର୍ବତାରୋହୀ ଗୁରୁ ଗଣେଶ ଜେନାଙ୍କ ନେତୃତ୍ବରେ ଚିନ୍ମୟ ୭ରୁ ଊର୍ଦ୍ଧ୍ବ ପର୍ବତ ଆରୋହଣ କରିବା ସହ ଏଥିପାଇଁ ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦେଇ ଇନଷ୍ଟ୍ରକ୍ଟର୍ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ବିଦ୍ୟାଳୟରେ ପଢ଼ିବା ସମୟରେ ଚିନ୍ମୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବହୁଥର ପୁରସ୍କୃତ ହୋଇଥିଲେ। ଖେଳ ପ୍ରତି ତାଙ୍କର ଆଗ୍ରହ ଓ ଦକ୍ଷତା ଦେଖି କଲେଜର ଜଣେ ଅଧ୍ୟାପକ ତାଙ୍କୁ ପର୍ବତାରୋହୀ ପ୍ରଶିକ୍ଷଣ ନେବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ସେ ଛୋଟ କ୍ୟାମ୍ପଗୁଡ଼ିକରେ ଯୋଗ ଦେବା ସହ ସଫଳ ପର୍ବତାରୋହୀ ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୪ରେ ଗୁରୁ ଶ୍ରୀ ଜେନାଙ୍କ ସଂସ୍ପର୍ଶରେ ଆସିବା ପରେ ଟ୍ରାକିଂ କରିବା, ଶୃଙ୍ଗ ଚଢ଼ିବା ପ୍ରଭୃତି ପ୍ରଶିକ୍ଷଣ ହାସଲ କରିଥିଲେ। ବାଲୁଗାଁ ଅଞ୍ଚଳର ‘ମାମୁ ଭଣଜା’ ପାହାଡ଼ ପାଖରେ ‘ଏନ୍ଏଫ୍’ ପକ୍ଷରୁ ଏକ ଆଡଭେଞ୍ଚର କ୍ୟାମ୍ପ ହୋଇଥିଲା।
ଦିଲୀପ କୁମାର ପ୍ରଧାନଙ୍କ ସହଯୋଗରେ ଚିନ୍ମୟ ପ୍ରଥମଥର ସେଥିରେ ଭାଗ ନେଇଥିଲେ। ୪ ଦିନିଆ କ୍ୟାମ୍ପରେ ଟ୍ରାକିଂ, ପାହାଡ଼ ଚଢ଼ା ଭଳି ବିଭିନ୍ନ ଆକ୍ଟିଭିଟି ହୋଇଥିଲା। ଏଥିରେ ସେ ସଫଳତା ହାସଲ କରି କ୍ୟାମ୍ପରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ୨୦୧୫ରେ ମନାଲିରେ ଥିବା ଅଟଳ ବିହାରୀ ବାଜପେୟୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମାଉଣ୍ଟେନିୟରିଂ ଆଣ୍ଡ ଏଲାଏଡ୍ ସ୍ପୋର୍ଟସ ଅଭିମାସ୍ରେ ବେସିକ୍ ମାଉଣ୍ଟେନିୟରିଂ କୋର୍ସ (ବିଏମ୍ସି) କରିଥିଲେ। ସେଠାରେ ସେ ୧୫,୨୦୦ ଫୁଟ୍ର ‘ସେଟିଧାର’ ପିକ୍ ପ୍ରଥମଥର ପାଇଁ ଆରୋହଣ କରିଥିଲେ। ପରବର୍ତ୍ତୀ ସମୟରେ ପର୍ବତାରୋହୀଙ୍କ ସହଯୋଗୀ ଭାବେ ସ୍ଥାନ ପାଇଥିଲେ। ୨୧ବର୍ଷରୁ ପାହାଡ଼ ଚଢ଼ିବା ଆରମ୍ଭ କରିଥିବା ଚିନ୍ମୟ ବର୍ତ୍ତମାନ ସୁଦ୍ଧା ୮ରୁ ଊର୍ଦ୍ଧ୍ବ ପର୍ବତାରୋହଣ ଶିବିରରେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କ୍ରୀଡ଼ା ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେଇସାରିଛନ୍ତି।
ଏପର୍ଯ୍ୟନ୍ତ ସେ ମନାଲିର ସେଟିଧାର (୧୫୨୦୦ ଫୁଟ), ଚୌକିଗଡ଼ (୧୦୯୨୫ଫୁଟ), ଲାମାଦୌଗ (୧୧୪୮୨ ଫୁଟ), ରଶିକି (୧୩୧୨୩ ଫୁଟ), ଲେହ-ଲଦାଖର ଷ୍ଟକକାଙ୍ଗୀ (୨୦୧୮୭ ଫୁଟ), ସିକିମ୍ର ପେଲିଙ୍ଗ (୧୮୦୦୦ ଫୁଟ), ଉତ୍ତରାକାଶୀର ଦର୍ବାଟପ (୧୩୫୦୦ ଫୁଟ), ରୁଦୁଗାଏର (୧୯୧୦୦ ଫୁଟ୍) ଆରୋହଣ କରିସାରିଛନ୍ତି। କରୋନା ସରିଲେ ମନରେ ଥିବା ଅତୁଟ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଏଭରେଷ୍ଟ ଚଢ଼ିବେ ବୋଲି ଆଶା ବାନ୍ଧିଛନ୍ତି। ତେବେ କରୋନା ଯୋଗୁଁ ଏବେ ସବୁ ବନ୍ଦ ହୋଇ ରହିଛି। କରୋନା ତାଙ୍କ ଅଭିଯାନ ଉପରେ ବିରାମ ଚିହ୍ନ ଲଗାଇଛି ସତ, ମାତ୍ର କରୋନାର ପ୍ରକୋପ କମିଗଲେ ସେ ପୁଣିଥରେ ତାଙ୍କ ଅଭିଯାନ ଆରମ୍ଭ କରିଦେବେ ବୋଲି ଅପେକ୍ଷାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/4d56g4j5dg45j64dg56jgdddddddddddddddddddd.jpg)