କରୋନାକୁ ହରାଇବା ଅଭିଯାନରେ ପର୍ବତାରୋହୀ ନୀଳାଚଳ

ଲୋକଙ୍କ ସେବାରେ ୨୫ ଜଣିଆ ‘ଗୋ ଇଣ୍ଡିଆ ଆଡଭେନ୍‌ଚର୍’ ଟିମ୍

ଭୁବନେଶ୍ବର: ଛାତିରେ ଛାତିଏ ଅଦମ୍ୟ ସାହସ, ଦୃଢ଼ ମନୋବଳ ଓ ଲକ୍ଷ୍ୟ ସ୍ଥିର ରଖିଲେ ହିଁ ଆମେ ପାହାଡ଼ର ଶୀର୍ଷରେ ପହଞ୍ଚୁ। ହେଲେ ଲୋକଙ୍କ ସେବା ପାଇଁ ଏସବୁର କିଛି ଆବଶ୍ୟକତା ନଥାଏ। ଦରକାର ହୁଏ କେବଳ ମାନବିକତା ଓ ଇଚ୍ଛାଶକ୍ତି। ଏଥର ପୁଣି ମହାମାରୀ କରୋନାର ଦ୍ବିତୀୟ ଲହରରେ ପର୍ବତାରୋହୀ ନୀଳାଚଳ ପରିଡ଼ା ଆରମ୍ଭ କରିଛନ୍ତି ଜନସେବାର ନୂଆ ଅଭିଯାନ। ରାଜ୍ୟ ସରକାର ଗତ ୫ ତାରିଖରେ ଲକ୍‌ଡାଉନ୍ ଜାରି କରିବା ପରଠୁ ସଂକ୍ରମିତ, ଗରିବ ଏବଂ ଅସହାୟ ଲୋକଙ୍କ ଘରେ ମାଗଣାରେ ପହଞ୍ଚାଉଛନ୍ତି ଖାଦ୍ୟ ସାମଗ୍ରୀ, ଔଷଧ, ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ।

ଗତବର୍ଷ ପ୍ରଥମ ଲହର ବେଳେ ନୀଳାଚଳ ନିଜେ ପରିବା ବ୍ୟବସାୟ କରି ଲୋକଙ୍କୁ ସାହାଯ୍ୟ କରୁଥିଲେ। ମାତ୍ର ଏଥର ତାଙ୍କ ସାଙ୍ଗରେ ୨୫ ଜଣିଆ ଯୁବ ପର୍ବତାରୋହୀ ଟିମ୍ ‘ଗୋ ଇଣ୍ଡିଆ ଆଡ୍‌ଭେନ୍‌ଚର୍’ ଲୋକଙ୍କ ପାଖରେ ମାଗଣା ଖାଦ୍ୟ ସାମଗ୍ରୀ ପହଞ୍ଚାଇବାରେ ସହଯୋଗ କରୁଛନ୍ତି। ଏମିତି କରି କରୋନାର ସଂକ୍ରମଣ ଶିକୁଳିକୁ ଭାଙ୍ଗିବାକୁ ସ୍ଥିର କରିଛନ୍ତି ନୀଳାଚଳ। ଏ ନେଇ ନୀଳାଚଳ କହନ୍ତି, ଗତ ଥର ଲୋକଙ୍କୁ ଔଷଧ, ଖାଦ୍ୟ ସାମଗ୍ରୀ ଆଦି ପହଞ୍ଚାଉଥିଲୁ। ମାତ୍ର ଏଥର ଲୋକ ଡାକ୍ତରୀ ଚିକିତ୍ସା ଲୋଡ଼ୁଛନ୍ତି। ଲକ୍‌ଡାଉନ୍ ପ୍ରାରମ୍ଭରେ ହ୍ରାଇଦାବାଦ୍‌ରୁ ଜଣେ ବ୍ୟକ୍ତି ଫୋନ୍ କରି କହିଲେ, ଭୁବନେଶ୍ବର ପ୍ରକୃତିବିହାରରେ ତାଙ୍କ ବୟସ୍କ ପିତାମାତା ରହୁଛନ୍ତି।

ବର୍ତ୍ତମାନ କରୋନା ପୁଣି ବ୍ୟାପିବା ଆରମ୍ଭ ହେଲାଣି। ଆପଣ ଦୟାକରି ଆଉ ଥରେ ସାହାଯ୍ୟ କରନ୍ତୁ। ନଚେତ୍ ବାପାମା’ ଘରୁ ବାହାରି କରୋନା ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ସେଥିପାଇଁ ନୀଳାଚଳ ଏଥର ତାଙ୍କର ପର୍ବତାରୋହୀ ଟିମ୍ ୨୫ ଜଣିଆ ସଦସ୍ୟଙ୍କୁ ନେଇ ଲୋକଙ୍କ ପାଖରେ ସେବା ଯୋଗାଇବା ଆରମ୍ଭ କରିଛନ୍ତି। ସଂକ୍ରମିତ ବରିଷ୍ଠ ନାଗରିକ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଔଷଧ ଓ ଖାଦ୍ୟ ସାମଗ୍ରୀ ବିନା ମୂଲ୍ୟରେ ବଣ୍ଟନ କରାଯାଉଛି। ଏଥିପାଇଁ ନୀଳାଚଳ ଓ ତାଙ୍କ ଟିମ୍ ପକ୍ଷରୁ ଯୋଗାଯୋଗ ପାଇଁ ଏହି ୯୯୩୮୮୮୪୮୦୯ / ୭୯୭୮୬୬୯୪୮୫ ନମ୍ବର ମଧ୍ୟ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର