ସାଇ ପକ୍ଷରୁ ଭ୍ରାମ୍ୟମାଣ ‘ଫୁଡ୍‌ ବ୍ୟାଙ୍କ୍‌’ ଉଦ୍‌ଘାଟିତ, ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ପ୍ରଚଳନ ହେବ ‘ୱେଷ୍ଟ ଡିଲ୍‌’ ଆପ୍‌

ଭୁବନେଶ୍ୱର: ଲୋକମାନେ ବିଳାସପୂର୍ଣ୍ଣ ଓ ଦାମୀ ଜୀବନ ଜିଉଁଛନ୍ତି। ଏଥିଯୋଗୁଁ ଅନେକ ସମୟରେ ଖାଦ୍ୟ ନଷ୍ଟ ହେଉଛି। ଅପରପକ୍ଷେ ଏକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ଦେଶର ଏକ-ତୃତୀୟାଂଶ ଲୋକ ଖାଦ୍ୟ ଗଣ୍ଡିଏ ନ ପାଇ ଭୋକିଲା ଶୋଉଛନ୍ତି। ତେବେ ଏହି ଭୋକିଲାଙ୍କ ପାଇଁ ସୋ’ ଆମ୍‌ ଆଇ (ସାଇ) ଫାଉଣ୍ଡେସନ୍‌ ଏବେ ଦେବଦୂତ ସାଜିଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ ପରିସରରେ ଆଜି ସାଇ ଫାଉଣ୍ଡେସନ୍‌ ପକ୍ଷରୁ ଦୁଇଟି ଭ୍ରାମ୍ୟମାଣ ‘ଫୁଡ୍‌ବ୍ୟାଙ୍କ୍‌’ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକାୟୁକ୍ତ ସଦସ୍ୟ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି। ଏହି ‘ମୋବାଇଲ ଫୁଡ୍‌ ବ୍ୟାଙ୍କ୍‌’ ବୁଲି ବୁଲି ବିଭିନ୍ନ ଫ୍ଲାଟ ଓ ଆପାର୍ଟମେଣ୍ଟ, ରେସ୍ତୋରାଁ, ବିବାହ, ବ୍ରତରେ ବଳି ପଡ଼ିଥିବା ଖାଦ୍ୟ ସଂଗ୍ରହ କରିବ। ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବ। ପୁଲିସ ହାଉସିଂ କର୍ପୋରେସନ୍‌ର ସିଏମ୍‌ଡି ଲଳିତ ଦାସ ଅତିଥି ଭାବେ ଯୋଗଦେଇ କହିଲେ, ଖାଦ୍ୟ ନଷ୍ଟ ନ ହେବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଖୁବ୍‌ଶୀଘ୍ର ‘ୱେଷ୍ଟ ଡିଲ୍‌’ ଆପ୍‌ର ପ୍ରଚଳନ ହେବାକୁ ଯାଉଛି। ଏହାଦ୍ବାରା ଅନ୍‌ଲାଇନ୍‌ରେ ବଳକା ଖାଦ୍ୟ ସଂପର୍କରେ ସୂଚନା ଆସିବ। ଫଳରେ ଖାଦ୍ୟ ବଳକା ହୋଇ ନଷ୍ଟ ହେବ ନାହିଁ କିମ୍ବା ଖାଦ୍ୟ ନ ପାଇ ଲୋକଟିଏ ଭୋକିଲା ଶୋଇବ ନାହିଁ। ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ କହିଲେ, ଆମ ଭିତରୁ ‘ମୁଁ’ ବା ଅହଂଭାବର ମୃତ୍ୟୁ ହେଲେ ଯାଇ ଭଗବାନପ୍ରାପ୍ତି ହେବ। ନିଜ ନିଜ ଭିତରୁ ‘ମୁଁ’ କୁ ବିସର୍ଜନ ଦେଇ ଭୋକିଲାମାନଙ୍କ ପାଇଁ ସମର୍ପିତ ହେଲେ ଏକ ସୁନ୍ଦର ସମାଜ ଗଠନ ସମ୍ଭବ ହେବ।

‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ତ୍ୟାଗଠାରୁ ବଡ଼ ଆଉ କିଛି ନାହିଁ। ଦେବା ଲୋକ ସହ ନେବା ଲୋକକୁ ଯୋଡ଼ିବା ପାଇଁ ଲୋକ ବା ସଂଗଠନର ଆବଶ୍ୟକତା ରହିଛି। ସେହି କାମ କରିବା ପାଇଁ ସାଇ ଭଳି ଅନୁଷ୍ଠାନ ଆଗେଇ ଆସିଛି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍‌ ସୌମ୍ୟରଞ୍ଜନ ସାଇ ସହ ହାତ ମିଳାଇବା ପାଇଁ କଥା ଦେଇଥିବା ବେଳେ ପ୍ରଭୁଦତ୍ତ ସୁବୁଦ୍ଧି ଫ୍ରିଜ୍‌ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଆମେରିକାର ଧୀରେନ୍ଦ୍ର କର, ତୃପ୍ତି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦୁ ମହାନ୍ତି, ଆଡ୍‌ଟିମ୍‌ର ସିଏମ୍‌ଡି ନିଶିକାନ୍ତ ମିଶ୍ର, ଏସ୍‌ଜେ ଡେଭଲପର୍ସ ଏମ୍‌ଡି ମାତୃଦତ୍ତ ମିଶ୍ର, ଉତ୍କଳ ବିଲ୍ଡର୍ସର ଏମ୍‌ଡି ଶରତ ବୈଦ ଓ ପୂର୍ଣ୍ଣିମା ବୈଦ, ଶ୍ରୀ ହସ୍‌ପିଟାଲ୍‌ର ସାଲିନି କାଠକୋଣ୍ଡା, ଟାଟା ଷ୍ଟିଲ୍‌ର ସିଏସ୍‌ଆର ମୁଖ୍ୟ ଅମ୍ବିକା ନନ୍ଦ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ପିନାକୀ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର