ଭୁବନେଶ୍ବର : ‘ଉଷା ଫାଉଣ୍ଡେସନ’ ଓ ‘ଆର୍ଯ୍ୟା ଗ୍ରୁପ୍‌ ଫାଉଣ୍ଡେସନ୍‌’ର ମିଳିତ ସହଯୋଗରେ ବଡବିଲ୍‌ କଳା ପ୍ରକଳ୍ପର ୪ର୍ଥ ସଂସ୍କରଣ ‘ମୁଭିଂ ଇନ୍‌ ଟୁ ଦି ମାର୍ଜିନ୍’ ଗତ ୬ ତାରିଖରୁ ଆରମ୍ଭ ହୋଇଯାଇଛି। ୧୦ଜଣ କଳାକାରଙ୍କୁ ନେଇ ଆୟୋଜିତ ଏହି ପ୍ରକଳ୍ପରେ କଳାକାରମାନେ ବିଭିନ୍ନ ସ୍ଥାନ ବୁଲି ସେଠାକାର ଲୋକମାନଙ୍କ ସହ ବିଭିନ୍ନ ବସ୍ତୁ ଓ ସ୍ଥାନ ଉପରେ ଗବେଷଣା କରିଥିଲେ।

Advertisment

ଏହି ଅବସରରେ ସେମାନେ ନିଜ କଳାର ବିଷୟବସ୍ତୁ ଚୟନ କରିବା ସହ ତାହା ଉପରେ କାମ କରିଥିଲେ। ପ୍ରକଳ୍ପର ବିଷୟବସ୍ତୁକୁ ଅଧିକ ସ୍ପଷ୍ଟ ଓ ମଜଭୁତ କରିବା ପାଇଁ ସାଧାରଣତଃ କଳାକାରମାନେ ବଡବିଲ୍‌ର ଆର୍ଯ୍ୟା କଲୋନି ସମେତ ଏହା ପାଖାପାଖି ବିଭିନ୍ନ ବିଦ୍ୟାଳୟ, ଗ୍ରାମ ଓ ଲୁହା ପ୍ୟାଲେଟ୍‌ ତିଆରି କାରଖାନା ଉପରେ ଗୁରୁତ୍ବାରୋପ କରିଥିଲେ।

ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାର ଉମେଶ ସିଂହ, ରା‌ଜେଶ କୁମାର ସିଂହ, ସୁରେଶ କେ ନୈୟ‌ାର, ପ୍ରଣତି ପଣ୍ଡା, ଅଙ୍କିତା କଶ୍ୟପ, ଅର୍ଚ୍ଚନା ଦାସ, ବିଭୂ ପଟ୍ଟନାୟକ, ବି ଅଜୟ ଶର୍ମା, ତ୍ରିନାଥ ମହାନ୍ତି ଓ ଶିତିକାନ୍ତ ସାମନ୍ତସିଂହାର ଏହି ପ୍ରକଳ୍ପରେ କ‌ାମ କରିଥିବା ବେଳେ ଓଡ଼ିଶାର ପାରମ୍ପରିକ କଳାକାର ସୁକାନ୍ତ କୁମାର ଜେନା, ପ୍ରତିମା ମହାରଣା ଓ ଦିବାକର ମହାରଣା ସହଯୋଗ କରିଥିଲେ।

ଉଷା ଫାଉଣ୍ଡେସନ୍‌ ପକ୍ଷରୁ ହୋଟେଲ ସାଣ୍ଡିଜ୍‌ ଟାୱାରଠାରେ ଆୟୋଜିତ ଏକ ସମାରୋହରେ ‘ମୁଭିଂ ଇନ୍‌ ଟୁ ଦି ମାର୍ଜିନ୍’ ପ୍ରକଳ୍ପ ସମୟର ବିଭିନ୍ନ ଅନୁଭୂତି ସମ୍ପର୍କରେ କଳାକାରମାନେ କହିଥିଲେ।

କାର୍ଯ୍ୟକ୍ରମରେ ଆର୍ଯ୍ୟା ଫା‌ଉ‌ଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ତୃପ୍ତି ଆର୍ଯ୍ୟା, ଆର୍ଯ୍ୟା ଆଇରନ୍‌ ଏବଂ ଷ୍ଟିଲ୍‌ କମ୍ପାନିର ସିଇଓ ପୁନିତ୍‌ ଆର୍ଯ୍ୟା, ଉଷା ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରମୋଦ ମିଶ୍ର ପ୍ରକଳ୍ପର କ୍ୟୁରେଟର ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ସାମ୍ଭବୀ ସିଂହ ସହଯୋଗ କରିଥିଲେ।