ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ସାଂସଦ ଅପରାଜିତା‌

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ତାଙ୍କ କାର୍ଯ୍ୟକାଳର ଦ୍ବିତୀୟ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଏଥିରେ ସେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମେ ୨୩, ୨୦୨୦ରୁ ମେ ୨୨, ୨୦୨୧ ମଧ୍ୟରେ କରିଥିବା ବିଭିନ୍ନ କାର୍ଯ୍ୟର ହିସାବ ଦେଇଛନ୍ତି।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ତାଙ୍କ ସଂସଦୀୟ କ୍ଷେତ୍ରରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ପ୍ରାୟ ୧୧୪କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ହଂସପାଳ ଓଭରବ୍ରିଜ୍, ତିନିଟି ଭେଇକିଲ୍ ଅଣ୍ଡରପାସ୍, ୩ଟି ବ୍ରିଜ୍ ରହିଛି। ଏହାବାଦ୍ ବିଏମ୍‌ସି ଅଞ୍ଚଳରେ ବହୁ ସଂଖ୍ୟାରେ ଡ୍ରେନ୍, କଲଭର୍ଟ ନିର୍ମାଣ ହୋଇଛି। ଏଥିପାଇଁ ୧୦କୋଟି ୨୦ଲକ୍ଷ ୬ହଜାର ୫୦୫ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି କୋଭିଡ-୧୯ ଯୋଗୁଁ ସାଂସଦ ପାଣ୍ଠି ସାମୟିକ ଭାବେ ବନ୍ଦ ହୋଇଥିବା ସତ୍ତ୍ବେ ବିଭିନ୍ନ କର୍ପୋରେଟ୍ ସଂସ୍ଥାରୁ ସିଏସ୍‌ଆର୍‌ ପାଣ୍ଠିରେ ୯୬ଲକ୍ଷ ଟଙ୍କା ମିଳିଛି। ଏଥିରେ ଉଗ୍ରତାରା ମନ୍ଦିର ଚତୁଃପାର୍ଶ୍ବରେ ଆଲୋକୀକରଣ ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୪୩ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଲାଇଟ୍ ଲାଗିଛି।

ଏସବୁ ବାଦ୍ ସେ ଜନଶୁଣାଣିକୁ ଅଧିକ ଗୁରୁତ୍ବ ଦେଇଛନ୍ତି ବୋଲି ସାଂସଦ କହିଛନ୍ତି। ଏହି ସମୟରେ ୨୧୫୦ ଅଭିଯୋଗ ଶୁଣାଣି ମଧ୍ୟରୁ ୨୧୦୬ଟି ଅଭିଯୋଗର ଫଇସଲା ହୋଇଛି। ୧୦ଟି ସ୍ବାସ୍ଥ୍ୟଜନିତ ସମସ୍ୟା ଉପରେ ଶୁଣାଣି କରି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨୨ଲକ୍ଷ ଟଙ୍କା ଆର୍ଥିକ ସହଯୋଗ ଯୋଗାଇଛନ୍ତି। ସେହିପରି ଲୋକସଭାରେ ଶତ ପ୍ରତିଶତ ଅଂଶଗ୍ରହଣ କରିଥିବାବେଳେ ୭ଟି ବିତର୍କରେ (ସରକାରୀ ବିଲ୍‌ ଉପରେ) ଅଂଶଗ୍ରହଣ କରି ୩୭ଟି ପ୍ରଶ୍ନ ପଚାରିଛନ୍ତି। ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ୨୮୨ଟି ଟିଭି ଚ୍ୟାନେଲର ବିତର୍କରେ ଯୋଗଦେଇଛନ୍ତି। ଏହାବାଦ୍ ସେ ଅଜିତା, ୟୁଥ୍‌ ଫର୍‌ ଆକ୍ସନ୍, ସମର୍ଥ, ଭରସା ଭଳି ‌ଅଣରାଜନୈତିକ ସଂସ୍ଥା ମାଧ୍ୟମରେ ଲୋକଙ୍କର ସେବା କରିଛନ୍ତି। ଅନ୍ନପୂର୍ଣ୍ଣା ଯୋଜନାରେ ରନ୍ଧାଖାଦ୍ୟ ଯୋଗାଇଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର