ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଲେ ଜରିମାନା

କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଚେତିଲେ
ଫଟୋରେ ୩୦ରୁ ଅଧିକ, ଜରିମାନା ଦେଲେ ୨୧
ଦୁଇଟି ନିୟମ ଭାଙ୍ଗିଲେ, ଗୋଟିଏ ପାଇଁ ଜରିମାନା

ଭୁବନେଶ୍ବର : ରାଜ୍ୟ ଓ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ଗୁଡ଼ାଏ ନିୟମ କରିଛନ୍ତି। ଏଥିରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନିୟମ ନ ମାନି ଫସିଯାଇଛନ୍ତି। ଅପରାଜିତାଙ୍କ ସହ ଭୁବନେଶ୍ବରର ବିଜେପି ଜିଲ୍ଲା ସଭାପତି ବାବୁ ସିଂହ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ୨୧ଜଣ ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ନ ରଖି ଫଟୋ ଉଠାଇଥିବାରୁ ଆଜି ୧୦୦ଟଙ୍କା ଲେଖାଏଁ ଜରିମାନା ଗଣିଛନ୍ତି।

ଅପରାଜିତା ପ୍ରଶାସିକାରୁ ସାଂସଦ ହୋଇଥିବାରୁ ତାଙ୍କର ସରକାରୀ ନିୟମ କାନୁନ୍‌ ପ୍ରତି ଅଧିକ ସମ୍ମାନ ରହିବା କଥା। କିନ୍ତୁ ତାଙ୍କ କ୍ଷେତ୍ରରେ ଏହାର ବିପରୀତ ଦେଖାଯାଉଛି। ନିୟମ ଭାଙ୍ଗୁଛନ୍ତି ଏବଂ ଥାନାରେ ଏତଲା ଦିଆ ହେବା ପରେ ଡିସିପି ଅଫିସ୍‌ ଯାଇ ଜରିମାନା ଗଣିଛନ୍ତି।

ଆଶ୍ଚର୍ଯ୍ୟର ବିଷୟ, ବୁଧବାର ଅପରାଜିତା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ବୁଝାଇବାକୁ ଝାରପଡ଼ାସ୍ଥିତ ତାଙ୍କ ବାସଭବନକୁ ସମର୍ଥକଙ୍କ ସହ ଯାଇଥିଲେ। ସେଠାରେ ଜିଲ୍ଲା ସଭାପତି ବାବୁ ସିଂହ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଆଲୋଚନା କଲେ। ଏହାପରେ ଗ୍ରୁପ୍‌ ଫଟୋ ଉଠାଇ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଲେ। ଏହାକୁ ଦେଖି ଅପରାଜିତାଙ୍କୁ ଚାରି ଆଡ଼ୁ ସମାଲୋଚନା କରାଯାଇଥିଲା।

ଏହାପରେ ଶବର ସାହିର ଯୋଗେଶ ଜେନା ଓ ବମିଖାଲର ମଲ୍ଲିକ ସମିମ୍‌ ଅଖତର ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ କ୍ୟାପିଟାଲ‌ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଏତଲା ହେବା ପରେ ଅପରାଜିତା ସମର୍ଥକଙ୍କ ସହ ଡିସିପିଙ୍କ କାର୍ଯ୍ୟାଳୟକୁ ଆସି ନିଜ ଆଡ଼ୁ ଜରିମାନା ଦେଇ ଦେଇଥିଲେ। ୨୧ଜଣ ଫଟୋରେ ଥିବା କହି ୧୦୦ଟଙ୍କା ହିସାବରେ ଜରିମାନା ଦେଲେ। ପୁଲିସ ବି ରସିଦ୍‌ କାଟି ଦେଲା।

ସାଂସଦ ଅପରାଜିତା ଜରିମାନା ଦେବା ଓ ପୁଲିସ ରସିଦ୍‌ କାଟିବା ପ୍ରକ୍ରିୟାକୁ ନେଇ ବି ବିବାଦ ଉଠିଛି। କାରଣ ଅପରାଜିତା ଯେଉଁ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି ସେଥିରେ ୩୦ରୁ ଅଧିକ ଲୋକ ଅଛନ୍ତି। ପ୍ରାୟ ୨୫ଜଣଙ୍କ ମୁହଁ‌ରେ ମାସ୍କ ନ ଥିବାବେଳେ ବାକି ୫ରୁ ୭ଜଣଙ୍କ ମୁହଁରେ ମାସ୍କ ଥିଲେ ବି ଏଥିରେ କାହାର ପାଟିକି ନାକ ବନ୍ଦ ହୋଇନି। ମୋଟାମୋଟି ଭାବେ କେହି ମାସ୍କ ନ ପିନ୍ଧିବା ସହ ସମାନ। ସେହିପରି ସମସ୍ତଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଇଥିଲେ ହେଁ ଏଠାରେ କିଏ କାନ୍ଧକୁ କାନ୍ଧ ଯୋଡ଼ି ଛିଡ଼ା ହୋଇଛି ତ କିଏ କାନ୍ଧରେ ହାତ ପକାଇ ବସିଛି। ୬ମିଟର ଦୂରତା ରଖିବା ଏଠାରେ ପ୍ରହସନ ପାଲଟିଛି।

କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁଭଳି ଫଟୋ ଉଠିଛି ସେହି ଅନୁଯାୟୀ କେହି ମାସ୍କ ପିନ୍ଧି ନ ଥିବାରୁ ଏବଂ ସାମାଜିକ ଦୂରତା ନ ରଖି ଏକାଠି ହୋଇଥିବାରୁ ସମସ୍ତଙ୍କ ଠାରୁ ଜରିମାନା ଆଦାୟ ହୋଇପାରିବ। ଏପରିକି ମାସ୍କ ନପିନ୍ଧିବା ପାଇଁ ଜଣଙ୍କ ପିଛା‌ ୧୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଏବଂ ସାମାଜିକ ଦୂରତା ନ ରଖିବା ପାଇଁ ୧୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ। ୩୦ରୁ ଅଧିକ ଲୋକ ଥିବାରୁ ଜଣଙ୍କ ପିଛା ୨୦୦ଟଙ୍କା ହିସାବରେ ଜରିମାନା ଦେବା କଥା।

ଯେଉଁ କମିସନରେଟ୍‌ ପୁଲିସ୍‌ ଫଟୋ ଦେଖି ନିଜ ଆଡ଼ୁ ମାମଲା ରୁଜୁ କଲାନି ସେହି ପୁଲିସ ସାଂସଦଙ୍କୁ ନିଜ କାର୍ଯ୍ୟା‌ଳୟରେ ଦେଖି ପୂରା ଉତ୍‌ଫୁଲ୍ଲିତ ହୋଇଗଲା। ତେଣୁ କିଏ କ’ଣ ବୁଝାଇଲେ, କିଏ କ’ଣ ବୁଝିଲେ କେଜାଣି ଜଣଙ୍କ ପିଛା ୧୦୦ଟଙ୍କା ହିସାବରେ ସାଂସଦ ୨୧୦୦ଟଙ୍କା ଜରିମାନା ଦେଲେ। ପୁଲିସ ବି ତାକୁ ରଖିଲା। ଏହାପରେ ଦ୍ବିତୀୟ ପ୍ରଶ୍ନ (ସାମାଜିକ ଦୂରତା) କଥା କେହି କାହାକୁ ପଚାରିଲେନି।

ପ୍ରଶ୍ନ ଉଠୁଛି ‌୨୧ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ନା ସାମାଜିକ ଦୂରତା ନଥିବା ପାଇଁ ଜରିମାନା ଆଦାୟ ହେଲା। ବାକି ୯ରୁ ଅଧିକ ଲୋକ ଫଟୋରେ ଥିଲେ ହେଁ ସେମାନଙ୍କ ଠାରୁ କେବେ ଜରିମାନା ଆଦାୟ ହେବ ନା ଏତିକିରେ କମିସନରେଟ୍‌ ପୁଲିସ୍‌ର ଜରିମାନା ଆଦାୟ ବନ୍ଦ ହୋଇଯିବ। ଆଜି ଡିସିପି ଅଫିସରରେ ଜରିମାନା ଦେଇ ଆସିବା ପରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏକ ସ୍ବତନ୍ତ୍ର କାମରେ ମୁଁ ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲି। ଫଟୋରେ କୋଭିଡ୍‌ କଟକଣା ଖିଲାପ ହୋଇଥିବା ଜାଣିବା ପରେ ଜରିମାନା ଦେଇଛୁ। ତେବେ ସୋସିଆଲ ମିଡିଆରେ ଫଟୋ ଅପ୍‌ଲୋଡ୍‌ ହେବା ପରେ ଲୋକମାନଙ୍କର ପ୍ରତିକ୍ରିୟା‌କୁ ଦେଖି ଜାଣିପାରିଲି ଯେ, କୋଭିଡ୍‌-୧୯ ସମ୍ପର୍କରେ ବହୁ ଲୋକ ସଚେତନ ଅଛନ୍ତି। ଲୋକଙ୍କ ସଚେତନତାକୁ ମୁଁ ସ୍ବାଗତ କରୁଛି।

ସୂଚନାଯୋଗ୍ୟ‌ ଯେ, କେବଳ ମଙ୍ଗଳବାର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସରକାରଙ୍କ ନିୟମ ଭାଙ୍ଗିନାହାନ୍ତି। ଲକ୍‌ଡାଉନ୍‌ ୩ ପରେ ନୂଆଦିଲ୍ଲୀରୁ ଫେରିଥିବା ସାଂସଦ ଶ୍ରୀମତୀ ଷଡଙ୍ଗୀ ପ୍ରଥମେ ନିଜ ଘରେ ପ୍ରଶଂସକଙ୍କ ସହ ଜନ୍ମଦିନ ପାଳି ସାମାଜିକ ଦୂରତା ନିୟମ ଭାଙ୍ଗିବା ସହ ମାସ୍କ ପିନ୍ଧିନଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର