କଣ୍ଟ ପୂରିବା ପୂର୍ବରୁ ଖୋଲିଦେ‌‌ଲେ : ସାଂସଦ ଅପରାଜିତାଙ୍କ ଅଫିସ୍‌ ୭ଦିନ ପୂର୍ବରୁ ଖୋଲିଲା

ଅଫିସ ସିଲ୍‌ କରିବାର ଅଧିକାର ବିଏମ୍‌ସିର ନାହିଁ: ଅପରାଜିତା,
ନିୟମ ଅନୁଯାୟୀ ସିଲ୍‌ ହୋଇଥିଲା: ବିଏମ୍‌ସି କମିସନର

ଭୁବନେଶ୍ୱର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଆଜି ବିଏମ୍‌ସି ଖୋଲି ଦେଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରି ସାଂସଦ ଜନ୍ମଦିନ ଉତ୍ସବ ପାଳନ କରିଥିବାର ଭିଡିଓ ଭାଇରାଲ୍‌ ହେବା ପରେ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନାଲ ଡେପୁଟି କମିସନର୍‌ ରବି ନାରାୟଣ ଜେଠୀ ସାଂସଦଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍‌ କରିଥିଲେ। କିନ୍ତୁ ୭ଦିନ ପରେ ଆଜି ସକାଳୁ ହଠାତ୍‌ ସାଂସଦଙ୍କ କାର୍ଯ୍ୟାଳୟ ଖୋଲି ଦିଆଯାଇଛି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି।

ଅଫିସ୍‌ ଖୋଲିବା ପରେ ସାଂସଦ ଓ ତାଙ୍କ ସମର୍ଥକ ବିଏମ୍‌ସିର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୋଧରେ ତାଙ୍କର ବିଜୟ ହୋଇଛି ବୋଲି କହିଛନ୍ତି। ଏପରିକି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ତିନି ଫର୍ଦ୍ଦର ଚିଠି ଲେଖି ବେଆଇନ ଭାବେ ତାଙ୍କ ଅଫିସ୍‌ ସିଲ୍‌ ହୋଇଛି ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏପଟେ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ଯେ ସାଂସଦଙ୍କ କାର୍ଯ୍ୟାଳୟ ନିୟମ ଅନୁଯାୟୀ ସିଲ୍‌ କରାଯାଇଥିଲା। ଏବେ ପୂଜା ପୂର୍ବରୁ ସିଲ୍‌ ହୋଇଥିବା ୨୫ରୁ ୩୦ଟି ଦୋକାନ, କାର୍ଯ୍ୟାଳୟ ଖୋଲି ଦିଆଯାଇଛି। ସେହି କ୍ରମରେ ସାଂସଦଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। ଯାହା ହୋଇଥିଲା, ଯାହା ହୋଇଛି, ସବୁ ନିୟମ ଅନୁଯାୟୀ ହୋଇଛି।

ଅପରପକ୍ଷେ ସାଂସଦଙ୍କ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ଜନ୍ମଦିନ ଉତ୍ସବରେ ସାମିଲ୍‌ ହୋଇଥିବା ସମସ୍ତଙ୍କର ‌କୋଭିଡ୍‌ ପରୀକ୍ଷା କରିବାକୁ ବିଏମ୍‌ସି ପକ୍ଷରୁ ତାଲିକା ମଗାଯାଇଥିଲା। କିନ୍ତୁ ସେହି ତାଲିକା ସାଂସଦଙ୍କ ପକ୍ଷରୁ ଦିଆଗଲା କି ନାହିଁ ଓ ସେମାନଙ୍କର କୋଭିଡ୍‌ ପରୀକ୍ଷା ହେଲା କି ନାହିଁ, ସେ ସମ୍ପର୍କରେ ଠୋସ୍‌ ଉତ୍ତର ବିଏମ୍‌ସିରୁ ମିଳି ନାହିଁ। ଯଦି କୋଭିଡ୍‌ ପରୀକ୍ଷାର ଆବଶ୍ୟକତା ନ ଥିଲା, ତେବେ କାହିଁକି ଲୋକଙ୍କ ତାଲିକା ମଗାଯାଇଥିଲା ବୋଲି ପ୍ରଶ୍ନ ଉଠୁଛି। ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଲୋକଙ୍କ ତାଲିକା ଦିଆଯାଇଛି ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। କିନ୍ତୁ କୋଭିଡ୍‌ ପରୀକ୍ଷା ବିଷୟରେ ‌କେହି ପାଟି ଫିଟାଉ ନାହାନ୍ତି।

ଅଫିସ୍‌ ସିଲ୍‌ ଖୋଲିବା ସମୟରେ ସାଂସଦ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ ବିଏମ୍‌ସିକୁ ଟାର୍ଗେଟ୍‌ କରି କହିଥିଲେ ଯେ ଯେଉଁ ଭିଡିଓ କ୍ଲିପିଂକୁ ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ମୋ ଅଫିସ୍‌-ଘରକୁ (ସର୍ବସାଧାରଣ ସ୍ଥାନ ନୁହେଁ) ସିଲ୍‌ କଲେ, ସେଥିରେ ଜଣାପଡ଼ୁନି ଯେ ବର୍ତ୍ତମାନର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଭିଡ଼ ଜମିଥିଲା। ଭିଡିଓରେ ମୋର ଯେଉଁ ଶୁଭେଚ୍ଛୁମା‌ନେ ଦେଖାଯାଉଛନ୍ତି, ସେମାନଙ୍କର ଆଜି ପର୍ଯ୍ୟନ୍ତ କୋଭିଡ୍‌ ପଜିଟିଭ୍ ବାହାରିନି। କୋଭିଡ୍‌ ନିୟମ ଅନୁଯାୟୀ ସମସ୍ତଙ୍କର ଯାଞ୍ଚ ହୋଇଥିଲା ଏବଂ ସାନିଟାଇଜିଂ ଚାମ୍ବର ଦେଇ ସମସ୍ତେ ଯାଇଥିଲେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୩୦ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଏବଂ ରାଜସ୍ବ ବିଭାଗର ଅକ୍ଟୋବର ୧ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସମସ୍ତ ମନୋରଂଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମରେ ୧୦୦ଜଣ ପର୍ଯ୍ୟନ୍ତ ଲୋକ ଏକାଠି ହୋଇପାରିବେ। ଯାହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲାଗୁ ‌ଅଛି। ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନ ଉପରୋକ୍ତ ନିୟମକୁ ଉଲ୍ଲଂଘନ କରୁଛି। ମୋର ଅଫିସ୍‌-ଘରକୁ ବିଏମ୍‌ସି କେବଳ ଅଫିସ୍‌ ଦର୍ଶାଇ ୧୫ଦିନ ପର୍ଯ୍ୟନ୍ତ ସିଲ୍‌ କଲା। ଯଦି ଏଠାରେ ଗୋଟିଏ କି ଦୁଇଟି କୋଭିଡ୍‌ ପଜିଟିଭ୍ କେସ୍‌ ବାହାରିଥାନ୍ତା, ତେବେ ୪୮ଘଣ୍ଟା ପର୍ଯ୍ୟନ୍ତ ଅଫିସ୍‌ ସିଲ୍‌ କରି ବିଶୋଧନ କରିଥାନ୍ତେ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ୧୫ଦିନ ପର୍ଯ୍ୟନ୍ତ ସିଲ୍‌ କଲେ? ଯଦି ଅଧିକ ଆକ୍ରାନ୍ତ ବାହାରିଥାନ୍ତେ ତେବେ ବି ୪୮ଘଣ୍ଟା ପର୍ଯ୍ୟନ୍ତ ଅଫିସ୍‌ ସିଲ୍‌ କରି ବିଶୋଧନ କରାଯାଇଥାନ୍ତା ଏବଂ ସମସ୍ତ କର୍ମଚାରୀଙ୍କୁ ଘରେ କାମ କରିବାକୁ କୁହାଯାଇଥାନ୍ତା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ସର୍ବାଧିକ ୪୮ଘଣ୍ଟା ପର୍ଯ୍ୟନ୍ତ ଅଫିସ୍‌ ସିଲ୍‌ କରିବାକୁ କହୁଥିବା ବେଳେ ବିଏମ୍‌ସି କେଉଁ ହିସାବରେ ୧୫ଦିନ ପାଇଁ ଅଫିସ୍‌ ସିଲ୍‌ କଲା?

ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ଆଇନ ଏବଂ ଆଇପିସିର ଧାରା ୧୮୮ ଅନୁଯାୟୀ ବିଏମ୍‌ସିକୁ କୌଣସି ବେସରକାରୀ ଅଫିସ୍‌-ଘରକୁ ୧୫ଦିନ ପାଇଁ ସିଲ୍‌ କରିବାର ଅନୁମତି ନାହିଁ। ଏପ୍ରିଲ ୩, ୨୦୨୦ରେ ପ୍ରକାଶ ପାଇଥିବା ଓଡ଼ିଶା କୋଭିଡ୍‌-୧୯ ନିୟମ ୨୦୨୦ ଅନୁଯାୟୀ, ଯେଉଁ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ଲୋକଙ୍କୁ ସଙ୍ଗରୋଧରେ ରଖିପାରିବେ, ପୃଥକବାସ କରାଇବେ ଏବଂ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିପାରିବେ। କିନ୍ତୁ କରୋନା ଆକ୍ରାନ୍ତ ନଥାଇ କୌଣସି ସ୍ଥାନକୁ ସିଲ୍‌ କରିପାରିବେନି। ଅଫିସ୍‌ ସିଲ୍‌ କରିବା ପୂର୍ବରୁ ମୋର ମତ ଶୁଣାଯାଇନି। ବିଏମ୍‌ସି କର୍ତ୍ତୃପକ୍ଷ ବେଆଇନ ଭାବେ ଅଫିସ୍‌ ସିଲ୍‌ କରିବା ସହ ମୋର ପ୍ରତିଛବିକୁ ମଳିନ କରିବା ପାଇଁ ଉଦ୍ୟମ କରିଥିବାରୁ ମୁଁ ବିଏମ୍‌ସିଠାରୁ ଏହାର କ୍ଷତିପୂରଣ ଦାବି କରିବି କିମ୍ବା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ଅପରାଜିତାଙ୍କ ଅଭିଯୋଗ ଉପରେ ବିଏମ୍‌ସି କମିସନର ଶ୍ରୀ ଚୌଧରୀ କହିଛନ୍ତି ଯେ ୧୦୦ ଜଣ ଏକାଠି ହେବାକୁ ନିୟମ କରାଯାଇଛି। କିନ୍ତୁ ଏଥିପାଇଁ ବିଏମ୍‌ସିର ଅନୁମତି ନେବା ଦରକାର, ସମସ୍ତେ ସାମାଜିକ ଦୂରତା ରଖିବେ ଓ ମାସ୍କ ପିନ୍ଧିବାକୁ କୁହାଯାଇଛି। ସାଂସଦଙ୍କ କାର୍ଯ୍ୟାଳୟରେ ହୋଇଥିବା ଜନ୍ମଦିନ ପାର୍ଟି ପାଇଁ କୌଣସି ଅନୁମତି ନିଆଯାଇନଥିଲା କି ସେଠାରେ କୋଭିଡ୍‌ କଟକଣା ପାଳନ ହୋଇ ନ ଥିଲା। ଇନସିଡେଣ୍ଟ କମାଣ୍ଡର ହିସାବରେ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପୂର୍ବରୁ ବିଏମ୍‌ସି ଯେପରି କୋଭିଡ୍‌ କଟକଣା ଉଲ୍ଲଂଘନ ପାଇଁ ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ୍‌ ବିଲଡିଂ, ବାପୁଜୀନଗର ମାର୍କେଟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସିଲ୍‌ କରିଥିଲା, ସାଂସଦଙ୍କ କ୍ଷେତ୍ରରେ ସେହିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗତ କିଛି ଦିନ ହେଲା କୋଭିଡ୍‌ କଟକଣା ଉଲ୍ଲଂଘନ କରିଥିବା ପ୍ରାୟ ୨୫ରୁ ୩୦ଟି ଦୋକାନ, ସୋରୁମ୍‌ ସିଲ୍‌ କରାଯାଇଥିଲା। ପୂଜା ପାଇଁ ସେମାନେ ପ୍ରତିଷ୍ଠାନ‌ ଖୋଲିବାକୁ ଅନୁରୋଧ କରିବାରୁ ସେଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ତେଣୁ ସାଂସଦଙ୍କ କାର୍ଯ୍ୟାଳୟ ବି ଖୋଲାଯାଇଛି। ଆଗାମୀ ଦିନରେ ଯେଉଁମାନେ କୋଭିଡ୍‌ କଟକଣା ଉଲ୍ଲଂଘନ କରିବେ, ଯେଉଁମାନେ ବିନା ଅନୁମତିରେ କାର୍ଯ୍ୟ କରିବେ, ସେମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନର୍‌ କହିଛନ୍ତି।

ସମ୍ବନ୍ଧିତ ଖବର