ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏମ୍ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହାର ଅଗ୍ରଗତି ଓ ଉପୁଜୁଥିବା ପ୍ରତିବନ୍ଧକ ସମାଧାନ ଦିଗରେ ଆଲୋଚନା ହୋଇଛି। ବୈଠକ ପରେ ସେ ସୂଚନା ଦେଇଛନ୍ତି କି ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ। ପ୍ରଥମ ପର୍ଯ୍ୟାୟରେ ୨୦ଟି ଷ୍ଟେସନ୍ ପ୍ରସ୍ତୁତ ହେବ। ଏଥିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍ ଦେଖିବାକୁ ମିଳିବ। ଏହା ସହ ୨୬ କିମି ଧାରଣା ପ୍ରସ୍ତୁତ ହେବ। ଏହି ଧାରଣାରେ ୧୩ଟି ଟ୍ରେନ୍ ଚାଲିବ।
କଣ୍ଟଦେଲେ, ୨୦୨୭ ଡିସେମ୍ବରରେ ସାର
ପ୍ରତ୍ୟେକ ଟ୍ରେନରେ ୩ ଲେଖାଏଁ କୋଚ୍ ରହିବ। ଏଥିପାଇଁ ମୋଟ ୬୨୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ନଭେମ୍ବର ୨୦୨୩ରୁ ଆଜି ସୁଦ୍ଧା ୪୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ମାସ(ଅକ୍ଟୋବର)ରେ ୨୫୦ କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି। ମାର୍ଚ୍ଚ ୩୧ ୨୦୨୫ ସୁଦ୍ଧା ରାଜ୍ୟ ସରକାର ଆଉ ୩୫୦ କୋଟି ଦେବେ। ବାକି ୧୭୫୦ କୋଟି ଟଙ୍କା ୨୦୨୫ -୨୦୨୬ ଆର୍ଥିକ ବର୍ଷରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
୨୦ଟି ଷ୍ଟେସନ ମଧ୍ୟରୁ ୩ଟି ଏକାମ୍ର, ୪ଟି ମଧ୍ୟ ଓ ୧୦ଟି ଉତ୍ତର ନିର୍ମାଚନମଣ୍ଡଳୀରେ ରହିବ। ୩ଟି ଷ୍ଟେସନ କଟକରେ ରହିବ। ଏଥିରେ ୯୫ ହଜାର ଲୋକ ପ୍ରତିଦିନ ଯିବା ଆସିବା କରିପାରିବେ। ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୭ ଏକର ଜମିରୁ ୯୨ ଏକର ମିଳି ସାରିଛି। ବାକି ୧୫ ଏକର ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ। ମଳିପଡ଼ାରେ ଥିବା ମେଟ୍ରୋ ରେଳ ଅଫିସ ପାଇଁ ୪୦ ଏକର ଜମି ଯୋଗାଇ ଦିଆଯାଇଛି। ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ। ଏହାପରେ କଣ କରାଯିବ, କେନ୍ଦ୍ରର ସହାୟତା ଦରକାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଅଧିକାରୀମାନେ ଉପସ୍ଥିତ ଥିଲେ।