ଭୁବନେଶ୍ବର: ରାଜଧାନୀରେ ଜଳବନ୍ଦୀ ସମସ୍ୟାକୁ ନେଇ ସରଗରମ୍‌ ବୟାନବାଜି ପରେ ଆଜି ସାଂସଦ ଓ ବିଧାୟକ ପାଣି ଭିତରକୁ ଓହ୍ଲାଇଛନ୍ତି। ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସମର୍ଥକଙ୍କ ଗହଣରେ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସହ ଆଲୋଚନା କରିଛନ୍ତି। କାହିଁକି ଜଳବନ୍ଦୀ ସମସ୍ୟା ଉପୁଜିଲା ଏବଂ ସମାଧାନ କରିବା ଦିଗରେ ପଦକ୍ଷେପ ନେବାରେ ବିଳମ୍ବ ହେବାର କାରଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଗୋଟିଏ ପଟେ ଜଳବନ୍ଦୀ ସମସ୍ୟା ନେଇ ବିଜେଡି ଓ ବି‌ଜେପି ନେତାଙ୍କ ମଧ୍ୟରେ ଟୁଇଟ୍ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ପ୍ରତିଯୋଗିତା ଚାଲିଥିଲା। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ‌ରେ ଥିଲେ ମଧ୍ୟ ଫୋନ୍‌ ଯୋଗେ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ବିଏମ୍‌ସି କମିସନର୍‌ ସଞ୍ଜୟ ସିଂହଙ୍କ ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।

Advertisment

ଅଧିକ ସମ୍ବେଦନଶୀଳ ଅଞ୍ଚଳ ଥିବା ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା ଦିନତମାମ ବିଭିନ୍ନ ୱାର୍ଡ ବୁଲିଥିଲେ। ସହିଦ ନଗର ତେଲଗୁ ବସ୍ତିରେ ଏକ ଗଛ ଉପୁଡି ପଡ଼ିବା ଖବର ଶୁଣି ସେଠାକୁ ଟେକ୍ନିକାଲ ଟିମ୍ ପଠେଇ ରାସ୍ତା ସଫା କରା‌ଇଥିଲେ। ୩୪ ନମ୍ବର ୱାର୍ଡର ଶାନ୍ତିପଲ୍ଲୀ ବସ୍ତି ପରିଦର୍ଶନ କରି ଜଳ ନିଷ୍କାସନ ପାଇଁ ପମ୍ପ ଯୋଗାଇ ଦେବା ସହ ଗାୟତ୍ରୀନଗର ଡ୍ରେନ୍‌ ପାଚେରି ଭୁଶୁଡ଼ିବା ଖବର ପାଇ ବିଭାଗୀୟ ଯନ୍ତ୍ରୀ ଓ ଟେକ୍ନିକାଲ ଟିମ୍ ସହାୟତାରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରା‌ଇଥିଲେ। ସେହିପରି ସନ୍ତୋଷୀନଗରରେ ଜଳ ନିଷ୍କାସନ, ବମିଖାଲ ଇମ୍ଫା ପାର୍କ ପାଖ ଗ୍ରୀନ ଉଡ୍‌ ପ୍ୟାଲେସ ଆପାର୍ଟମେଣ୍ଟ ପାଚେରି ଭୁଶୁଡ଼ି ପରେ ପଶିଥିବା ପାଣିକୁ ନିଷ୍କାସନର ବ୍ୟବସ୍ଥା କରାଇଥିଲେ। ବିଏମ୍‌ସି ୩୧ ନମ୍ବର ୱାର୍ଡ ଅନ୍ତର୍ଗତ ଭାଗବତ ସନ୍ଧାନ ଚକ୍ରଧର ମାନ୍‌ସନ୍‌ ପାଖ ସାଇଫନ ଅଞ୍ଚଳ ପରିଦର୍ଶନ କରି ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ନିଷ୍କାସନ ଉପରେ ଆଲୋଚନା କରିଥିଲେ ଅନନ୍ତ। ନିଗମାନନ୍ଦ ନଗରରେ ସ୍ବେରେଜ ବୋର୍ଡ ଅଧା କାମ କରି ପକେଇ ରଖିବା ଫଳରେ ଜନ ସାଧାରଣ ଭୋଗୁଥିବା ଅସୁବିଧା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ କାମ ସାରିବାକୁ ନିର୍ଦେଶ ଦେଇଥିଲେ। ୟୁନିଟ ୩ ମାଳି ସାହି ଦେଇ ଯାଇଥିବା ଡ୍ରେନ ପରିଦର୍ଶନ କରି ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କଲି ଆଗୁଆ ପଦକ୍ଷେପ ସ୍ୱରୂପ ସଜାଗ ରହି କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ବକ୍ସ ଡ୍ରେନ କରାଯିବ ଏବଂ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଜେନା କହିଛନ୍ତି।

ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ରୁଦ୍ରପୁର, ନହରକଣ୍ଟା, ହଂସପାଳ, ହରିଦାସପୁର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ। ଜଳବନ୍ଦୀ ଭିତରେ ଥିବା ଲୋକଙ୍କ ପାଇଁ ପାଣି ପମ୍ପ ଲଗାଯାଇଥିଲା। ଏହି ଅବସରରେ ଶ୍ରୀ ରାଉତ ଡ୍ରେନେଜ୍‌ ଅଧିକାରୀ, ଜଳସେଚନ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ୱାର୍ଡରେ ଜଳବନ୍ଦୀ ସମସ୍ୟା ଲାଗିରହିଥିବାରୁ ଦିଲ୍ଲୀର ଏକ ସଂସ୍ଥା ସହାୟତାରେ ସ୍ଥାୟୀ ସମାଧାନ କରାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସକାଳୁ ସକାଳୁ ଭୁବନେଶ୍ବର ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ଗତକାଲିଠାରୁ ଏଠାରେ ବର୍ଷା ଜଳ ଜମି ରହିଥିବାରୁ ତାହାର ନିଷ୍କାସନ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଜଳ ଟ୍ରାକ୍‌ରେ ଲହଡ଼ି ଭାଙ୍ଗୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଛାଡ଼ି ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଥିଲେ। ‌ପରେ ରାମେଶ୍ବର ପାଟଣାଠାରେ ଦେଢ଼ କିମି ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ। ଏହି ଅଞ୍ଚଳରେ ଅଧିକ ବସ୍ତିବାସିନ୍ଦା ରହୁଥିବାରୁ ୧୦୦ରୁ ଅଧିକ ଲୋକଙ୍କ ଘରକୁ ଘର ବୁଲି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।