ଜଳବନ୍ଦୀ ସମସ୍ୟାକୁ ନେଇ ସାଂସଦଙ୍କ ସମୀକ୍ଷା: ‘କୌଣସି ପରିସ୍ଥିତିରେ ପ୍ରଭାବିତ ହେବନି ଗୋଟିଏ ବି ଜୀବନ’

ସଫା ହୋଇନି ୫୦ ପ୍ରତିଶତ ନଳା, ଆମେ ପ୍ରସ୍ତୁତ-ବିଏମ୍‌ସି

ଭୁବନେଶ୍ବର: ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ। ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟା ସମାଧାନ ହୋଇ ପାରୁନି। ଏଭଳି ଏକ ଗୁରୁତର ପ୍ରସଙ୍ଗକୁ ନେଇ ଆଜି ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏହି ସମୀକ୍ଷା ବୈଠକରେ କୌଣସି ପରିସ୍ଥିତିରେ ଯେଭଳି ଗୋଟିଏ ବି ଜୀବନ ପ୍ରଭାବିତ ହେବନି ତାହା ଉପରେ ଗୁରୁତ୍ବ ଦେଇଛନ୍ତି। ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଜଳବନ୍ଦୀ ସମସ୍ୟା ସମାଧାନ ଦିଗରେ ପ୍ରସ୍ତାବ ଦେବାସହ ଯୁଦ୍ଧକାଳୀନ ଭିତ୍ତି‌ରେ ନଳା ସଫା କରିବାକୁ କହିଛନ୍ତି। ମେୟର ସୁଲୋଚନା ଦାସ, କମିସନର ରାଜେଶ ପ୍ରଭାକର ପାଟିଲ୍‌, ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂହଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀମାନେ ନଳାର ସ୍ଥିତି ସମେତ ସମସ୍ୟା‌ ଓ ସମାଧାନ ବାବଦରେ ଅବଗତ କରାଇଛନ୍ତି। ଏଯାବତ୍‌ ୫୦ ପ୍ରତିଶତ ନଳା ସଫା ହୋଇନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ବିଏମ୍‌ସି ଆସନ୍ତା ମୌସୁମୀ ବର୍ଷା ପାଇଁ ପ୍ରସ୍ତୁତ ଥିବା ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛି। ଜଳବନ୍ଦୀ ସମସ୍ୟା ସହ କଳିଙ୍ଗ ଷ୍ଟାଡିୟମରେ ପ୍ରାତଃଭ୍ରମଣ ପାଇଁ ସୁଯୋଗ ଦେବା ଓ ଝାରପଡ଼ାରେ ଉଚ୍ଛେଦ ହୋଇଥିବା ହାଟ ବ୍ୟବସାୟୀଙ୍କ ସମସ୍ୟା ସମାଧାନ ଉପରେ ସାଂସଦ ଆଲୋଚନା କରିଥିଲେ। ତାଙ୍କ ସହ ଏକାଧିକ ବିଜେପି କର୍ମୀ ଯଥା, ଦୁଇ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର, ରଶ୍ମୀ ମହାପାତ୍ର ଓ ଅନ୍ୟମାନେ ରହିଥିଲେ।

କିଛିଦିନ ହେବ ‌ସାଂସଦ ଓ ବିଧାୟକ ବିଭିନ୍ନ ସ୍ଥାନରେ ବୁଲି ନଳାଗୁଡ଼ିକର ସ୍ଥିତି ଦେଖିଥିଲେ। ବିଭିନ୍ନ ସ୍ଥାନରେ ପରିସ୍ଥିତି ଉଦ୍‌ବେଗଜନକ ଥିବାରୁ ଏହି ସମୀକ୍ଷା ପାଇଁ ଯୋଜନା ହୋଇଥିଲା। ଗତକାଲି ‌ସାଂସଦ ବିଏମ୍‌ସି କମିସନରଙ୍କୁ ଚିଠିଲେଖି ସମୀକ୍ଷା ପାଇଁ କହିଥିଲେ। ସେହି ଅନୁସାରେ ଆଜି ପୂର୍ବାହ୍ନରେ ବୈଠକ ବସିଥିଲା। ପାୱାର ପଏଣ୍ଟରେ ଉପସ୍ଥାପନ ହୋଇଥିଲା। ବିଏମ୍‌ସିର ସର୍ଭେ ମୁତାବକ ସହର ଭିତରେ ୧୧ଟି ଓ ଉପକଣ୍ଠରେ ଗୋଟିଏ, ଏଭଳି ୧୨ଟି ସ୍ଥାନ ସବୁଠାରୁ ଅଧିକ ସମ୍ବେଦନଶୀଳ ରହିଛି। ସେଗୁଡ଼ିକ ହେଉଛି ଇସ୍କନ ମନ୍ଦିର, ବମିଖାଲ, ସିଟି ମହିଳା ମହାବିଦ୍ୟାଳୟ, ଷ୍ଟୁଡିଓ ଛକ, ସୁବାସନଗର ବସ୍ତି, ରୂଦ୍ରପୁର, ସ୍ବିଟି କମ୍ପ୍ଲେକ୍ସ, ରାଜୀବନଗର, ପାଇକନଗର, ବନଫୁଲ ବସ୍ତି ଓ ଲକ୍ଷ୍ମୀସାଗର ଗାଁ। ଏଠାରେ ଜଳ ନିଷ୍କାସନ ନେଇ ସମସ୍ୟା ଥିବାରୁ ସହର ଜଳମଗ୍ନ ହେଉଛି। ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିଥିବା ବିଏମ୍‌ସି ସୂଚନା ଦେଇଛି।

ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଦୟା ୱେଷ୍ଟ କେନାଲ। ଦାଢ଼ା ଗ୍ରାମପଞ୍ଚାୟତ ନିକଟରେ ପୁରୀ ମୁଖ୍ୟ କେନାଲ୍‌ରୁ ବାହାରିଥିବା ଏହି କେନାଲ୍‌ ସହର ଭିତରେ ୧୬.୧କିମି ରହିଛି। ୧୧ଟି ଜାଗାରେ ଏହା ଭିତରକୁ ସ୍ବେରେଜ୍‌ ପାଇପ୍‌ ସିଧା ସଳଖ ସଂଯୁକ୍ତ ହୋଇଛି। ଫଳରେ ଏହାର ପ୍ରଦୂଷଣର ମାତ୍ରା ସର୍ବାଧିକ। କିନ୍ତୁ ଉଭୟପାର୍ଶ୍ବରେ ଜବରଦଖଲ ଯୋଗୁ ଏହାର ପୁନରୁଦ୍ଧାର ସମ୍ଭବ ହେଉନାହିଁ, ଯଦିଓ ତାହା ହେଲେ ରାଜଧାନୀ ଜଳବନ୍ଦୀ ମୁକ୍ତ ହୋଇ ପାରିବ। ଏଥିପାଇଁ ବିଏମ୍‌ସି ଏକ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରିଛି। କିନ୍ତୁ ଏହା ଜଳସମ୍ପଦ ବିଭାଗ ଅଧୀନରେ ରହିଥିବାରୁ ସମ୍ଭବ ହୋଇ ପାରୁନାହିଁ। ଫଳରେ ଏହାର ସମାଧାନ ନେଇ ବିଏମ୍‌ସି ଏକପ୍ରକାର ହାତ ଟେକି ଦେଇଛି।

ସମ୍ବନ୍ଧିତ ଖବର