ହସ୍ପିଟାଲ ପରିସରକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଏମ୍‌ଆର୍‌ଙ୍କୁ କ୍ୟାପିଟାଲ ହସ୍ପିଟାଲ ମନା

ମାନିଲେ କର୍ତୃପକ୍ଷ: ପାଥୋଲୋଜି, ସିଟି ସ୍କାନ୍ ଓ ଡାଏଲିସିସ୍ ସେଣ୍ଟର ଦଲାଲଙ୍କ ପେଣ୍ଠସ୍ଥଳୀ, ପ୍ରତିଦିନ ପ୍ରତି ବିଭାଗରୁ ପଠାଯିବ ସବୁ ରୋଗୀଙ୍କ ମୋବାଇଲ ନମ୍ବର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ୍‌କୁ ପଶି ପାରିବେନି ମେଡିସିନ୍ ରିପ୍ରେଜେଣ୍ଟେ‌ଟିଭ୍ (ଏମ୍‌ଆର)। ଗତକାଲି ହସ୍ପିଟାଲ ପରିସରକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ କ୍ୟାପିଟାଲ ହସ୍ପିଟାଲରୁ ୩ଜଣ ମେଡିସିନ୍‌ ଏମ୍‌ଆର ଓ ଜଣେ ଦଲାଲକୁ ପୁଲିସ ଗିରଫ କରିଥିଲା। ତେଣୁ ହସ୍ପିଟାଲ ପରିସରକୁ ଦଲାଲ ଓ ଏମ୍‌ଆରମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ହସ୍ପିଟାଲ କର୍ତୃପକ୍ଷ। କିଭଳି ଢଙ୍ଗରେ ସେମାନଙ୍କୁ ନିୟନ୍ତ୍ରଣ କରାଯିବ, ସେନେଇ ହସ୍ପିଟାଲ କର୍ତୃପକ୍ଷ କିଛି ସ୍ପଷ୍ଟ କରି ନାହାନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଅଶୋକ ପଟ୍ଟନାୟକ କହିଛନ୍ତି, ଦଲାଲରାଜ ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି। ଏଥିପାଇଁ ବହୁବାର ପୁଲିସ କମିସନରଙ୍କ ସହ ଆଲୋଚନା ହୋଇଛି। ଦଲାଲଙ୍କୁ ଚିହ୍ନଟ କରିବା କାମ ବେଶ କଷ୍ଟକର। ଏମ୍‌ଆରମାନଙ୍କୁ ମଧ୍ୟ ହସ୍ପିଟାଲକୁ ଆସିବା ପାଇଁ ପୂର୍ବରୁ ବାରଣ କରାଯାଇଥିଲା। ମନା କରିବା ସତ୍ତ୍ବେ ସେମାନେ ଆସୁଥିଲେ, ଯାହାର ପରିଣାମ ସେମାନେ ପାଇଛନ୍ତି। ଏବେ ହସ୍ପିଟାଲ ପରିସରକୁ ଡ୍ୟୁଟି ସମୟରେ ଏମ୍‌ଆରମାନଙ୍କ ପ୍ରବେଶକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯେଉଁ ଡାକ୍ତରମାନଙ୍କ ସହ ଏମ୍‌ଆରମାନେ ଯୋଗାଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଡାକ୍ତରଙ୍କୁ ଘରେ କିମ୍ବା ସେମାନଙ୍କ କ୍ଲିନିକ୍‌ରେ ଭେଟି ପାରିବେ। ଦଲାଲ ଓ ଅସାମାଜିକ ବ୍ୟକ୍ତି ହସ୍ପିଟାଲରୁ ଯେପରି ରୋଗୀଙ୍କୁ ପ୍ରଲୋଭିତ କରି ବାହାରକୁ ନେଇ ପାରିବେ ନାହିଁ, ସେଥିପାଇଁ ସ୍ବତନ୍ତ୍ର ଭାବେ ଏକ ଗେଟ୍‌ ଲଗା ଯାଇଛି। ସେହି ଅଞ୍ଚଳକୁ ସିସିଟିଭି ସ୍କାନର୍‌ରେ ମଧ୍ୟ ରଖାଯାଇଛି। ଜେନେରାଲ ଓପିଡିରେ ସିସିଟିଭି ଲଗାଯିବା ସହ ଟ୍ରାକ୍‌ କରାଯାଉଛି। ଏଭଳି ପଦକ୍ଷେପ ପରେ ହସ୍ପିଟାଲରେ ଦଲାଲରାଜ୍ କମିବ ବୋଲି ଆଶା କରାଯାଉଛି।

ହସ୍ପିଟାଲର ପାଥୋଲୋଜି, ସିଟି ସ୍କାନ୍ ଓ ଡାଏଲିସିସ୍ ସେଣ୍ଟର ଦଲାଲମାନଙ୍କ ପେଣ୍ଠସ୍ଥଳୀ ଥିବା ସ୍ବୀକାର କରିଛନ୍ତି ନିର୍ଦେଶକ ଡା. ପଟ୍ଟନାୟକ। ସେ କହିଛନ୍ତି, ପାଥୋଲୋଜି ପରିସରରେ ଥିବା ନମୁନା ସଂଗ୍ରହ କେନ୍ଦ୍ରରେ ମଧ୍ୟ କିଛି ଦଲାଲ ରୋଗୀଙ୍କୁ ହସ୍ପିଟାଲରେ ପରୀକ୍ଷା ବିଳମ୍ବ ହେବ ଦର୍ଶାଇ ଅନ୍ୟତ୍ର ପଠାଉଥିବା ନଜରକୁ ଆସିଛି। ତେଣୁ ଏସବୁ ସ୍ଥାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଏହାକୁ ହସ୍ପିଟାଲରେ କିଭଳି କାର୍ଯ୍ୟକାରୀ କରାଯିବ, ସେଥିପାଇଁ ସବୁ ବିଭାଗର ବିଭାଗୀୟ ମୁଖ୍ୟ, ସୁରକ୍ଷାକର୍ମୀ ସୁପରଭାଇଜର ଓ କ୍ଲିନିକ୍ ସୁପରଭାଇଜରଙ୍କ ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ। ସବୁ ଡାକ୍ତରମାନଙ୍କୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଛି।

‘ମୋ ସରକାର’ ଯୋଜନା ପାଇଁ ଚଳିତମାସ ଆରମ୍ଭରୁ ହସ୍ପିଟାଲର ପ୍ରତ୍ୟେକ ବିଭାଗର ବର୍ହିବିଭାଗ ବା ଓପିଡି, ପ୍ରସବ, ଚକ୍ଷୁ, ଇଏନ୍‌ଟି ଭଳି ଅସ୍ତ୍ରୋପଚାର କରୁଥିବା ସବୁ ରୋଗୀଙ୍କ ମୋବାଇଲ ନମ୍ବର ପ୍ରତିଦିନ ରାଜ୍ୟ ସରକାରଙ୍କୁ ପଠାଯାଉଛି ବୋଲି ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ବର୍ଷ ବର୍ଷ ଧରି ଦଲାଲ ଓ ଏମ୍‌ଆରଙ୍କ ରାଜୁତି ଚାଲି ଆସୁଥିଲା। ସମସ୍ତଙ୍କ ଜାଣତରେ ହସ୍ପିଟାଲରୁ ଗରିବ ରୋଗୀଙ୍କୁ ଦଲାଲମାନେ ଅନ୍ୟ ଘରୋଇ ପରୀକ୍ଷା କେନ୍ଦ୍ରକୁ ପଠାଉଥିଲେ। ଏଥିରେ କେବଳ ଦଲାଲ ନୁହେଁ, ଡାକ୍ତରଙ୍କଠାରୁ ଆରମ୍ଭ କରି ହସ୍ପିଟାଲ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଆସୁଥିଲା। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବହୁବାର ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖିବାକୁ ମିଳିନାହିଁ। ସେହିପରି ଏମ୍‌ଆରମାନେ ଡ୍ୟୁଟି ସମୟରେ ଡାକ୍ତରଙ୍କୁ ଭେଟିବା, ଏପରିକି ଏମ୍‌ଆରମାନେ ମଧ୍ୟ ଓପିଡି ପରିସରରେ ରୋଗୀଙ୍କ ନାଁ ଓ ଠିକଣା ମଧ୍ୟ ଲେଖୁଥିବା ନଜିର ରହିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ହସ୍ପିଟାଲ କର୍ତୃପକ୍ଷ ଓ ପୁଲିସ ତତ୍ପର ହୋଇଉଠିବା ସହ ୪ଜଣଙ୍କୁ ହସ୍ପିଟାଲରୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର