ଏମ୍‌ଏସ୍‌ଏମ୍‌ଇ ଟ୍ରେଡ୍‌ ଫେୟାର  : କ୍ଷୁଦ୍ର ଶିଳ୍ପରେ ଓଡ଼ିଶାର ମହିଳାଙ୍କ ସ୍ଥାନ ଜାତୀୟ ହାରଠୁ ଊର୍ଧ୍ୱରେ

ଭୁବନେଶ୍ୱର : ଓଡ଼ିଶାରେ ୩୮ହଜାର ୪୭୭ଜଣ ମହିଳା ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗର ନେତୃତ୍ୱ ନେଉଛନ୍ତି। ଏହି କ୍ଷେତ୍ରର ଶିଳ୍ପରେ ଓଡ଼ିଶାର ମହିଳାଙ୍କ ହାର ୧୨.୩ ପ୍ରତିଶତ। ଯାହା ଜାତୀୟ ହାରଠୁ ବି ଅଧିକ ବୋଲି କହିଛନ୍ତି ଏମ୍‌ଏସ୍‌ଏମ୍‌ଇର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌ ଏନ୍‌ ଗୁପ୍ତା। ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଏମ୍‌ଏସ୍‌ଏମ୍‌ଇ ଟ୍ରେଡ୍‌ ଫେୟାରରେ ‘ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ଶିଳ୍ପୋଦ୍ୟୋଗୀ’ ସଂକ୍ରାନ୍ତୀୟ କର୍ମଶାଳାରେ ବକ୍ତବ୍ୟ ରଖି ସେ କହିଲେ, ଓଡ଼ିଶାରେ ୨୮ ହଜାର ୮୩୫ (୯%) ଅନୁସୂଚିତ ଜାତି ଏବଂ ୧୮ହଜାର ୮୦୦ ଅନୁସୂଚିତ ଜନଜାତି (୬%)ର ବ୍ୟକ୍ତିବିଶେଷ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ନେତୃତ୍ୱ ନେଉଛନ୍ତି। ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ନୀତି ଅନୁଯାୟୀ ସେମାନଙ୍କୁ ୫% ଅତିରିକ୍ତ ସହାୟତା ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ଆଧାରରେ ୮% ଅତିରିକ୍ତ ସହାୟତା ପ୍ରଦାନ କରାଯାଉଛି। ସେହିପରି ବ୍ୟାଙ୍କ୍‌ର ପ୍ରତ୍ୟେକ ଶାଖା ଜଣେ ମହିଳା ଏବଂ ଜଣେ ଏସ୍‌ସିଏସ୍‌ଟିଙ୍କୁ ୧୦ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବ। ତେଣୁ ଏ ବାବଦରେ ଯଥେଷ୍ଟ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏମ୍‌ଏସ୍‌ଏମ୍‌ଇ ବିଭାଗର ମନ୍ତ୍ରୀ ପ୍ରଫ୍‌ୁଲ୍ଲ ସାମଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମିସନ୍‌ ଶକ୍ତି ଏବଂ ଶିଳ୍ପୋଦ୍ୟୋଗୀଙ୍କ ସମ୍ପର୍କରେ ଉପଲବ୍ଧ ସୁବିଧା ସମ୍ପର୍କରେ କହିଥିଲେ। ଏନ୍‌ଏସ୍‌ଆଇସିର ମୁଖ୍ୟ ପରିଚାଳନା ନିର୍ଦେଶକ ରବୀନ୍ଦ୍ରନାଥ ବକ୍ତବ୍ୟରେ ଜାତୀୟ ଏସ୍‌ସିଏସ୍‌ଟି ହବ୍‌ ସମ୍ବନ୍ଧରେ କହିବା ସହ ଓଡ଼ିଶାରେ ଶିଳ୍ପୋଦ୍ୟୋଗର ଉନ୍ନତି ପାଇଁ ସେ ଇନ୍‌କ୍ୟୁବେସନ୍‌ କେନ୍ଦ୍ର ସ୍ଥାପନ ପାଇଁ ଜାଗା ଯୋଗାଇ ଦେବାକୁ ନିବେଦନ କରିଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା କହିଲେ, ମହିଳା ଉଦ୍ୟୋଗୀମାନେ ଗୋ ସ୍ୱିଫ୍ଟ, ଗୋ ସ୍ମାଇଲ୍‌ ଓ ଆପା ଭଳି ଅନ୍‌ଲାଇନ୍‌ ମାଧ୍ୟମକୁ ନିଜ ଶିଳ୍ପ କ୍ଷେତ୍ରରେ ଆପଣେଇବା ଉଚିତ୍‌। ଏହି ଅବସରରେ ଓଡ଼ିଶା ମେଡିକାଲ୍‌ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଅର୍ଚନା ପଟ୍ଟନାୟକ, ମିଲ୍‌କ ମନ୍ତ୍ରାର ସହ ପ୍ରତିଷ୍ଠାତା ରଶିମା ମିଶ୍ର, ଗୋବିନ୍ଦ ଧୂପକାଠି କ୍ଲଷ୍ଟର୍‌ର ସମ୍ପାଦିକା ଯାଜ୍ଞସେନୀ ଜେନା, ଲୁମିନୋସ୍‌ ଇନ୍‌ଫୋେଓ୍ଵଜ୍‌ର ସହପ୍ରତିଷ୍ଠାତା ଜୟଶ୍ରୀ ମହାନ୍ତି ସେମାନଙ୍କ ସଫଳ ବ୍ୟବସାୟ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି କାର୍ତିିକେଶ୍ୱର ସେଠୀ, ଏବଂ ଓଓ୍ଵାଇଇଏର ସଭାପତି ବିଏନ୍‌ ମିଶ୍ର ବ୍ୟାବସାୟିକ ଯାତ୍ରା ସମ୍ପର୍କରେ ମତ ରଖିଥିବା ବେଳେ ଶେଷରେ ଓଏସ୍‌ଏଫ୍‌ସିର ପରିଚାଳନା ନିର୍ଦେଶକ ପିକେ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର