ଏମ୍‌ଟେକ୍‌ ଛାତ୍ର ମୃତ, ୨ ଗୁରୁତର: ଘାଟିକିଆରେ ହାଇଓ୍ଵା-ବାଇକ୍‌ ଧକ୍କା

ଖଣ୍ଡଗିରି: ରବିବାର ରାତି ପ୍ରାୟ ସାଢ଼େ୮ଟା ସମୟରେ ସ୍ଥାନୀୟ ଘାଟିକିଆ ଗାଁ ମୁଣ୍ଡ ଦୁର୍ଗା ମଣ୍ଡପ ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଏମ୍‌ ଟେକ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭଦ୍ରକ ବ୍ରାହ୍ମଣୀପାଳର ଉମାକାନ୍ତ ପତି(୨୫)। ଏକ ହାଇଓ୍ଵା ଓ ବାଇକ୍‌ ଧକ୍କା ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଓମ୍‌ପ୍ରକାଶ ଦାଶ ଓ ଭବାନୀଶଙ୍କର ସାହୁ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି।

ସୂଚନାନୁସାରେ ମୃତ ଉମାକାନ୍ତ ଓ ତାଙ୍କ ଦୁଇ ବନ୍ଧୁ ଏକ ପଲସର୍‌(ଓଡି୦୨ଆର୍‌-୨୦୩୨) ଯୋଗେ କଳିଙ୍ଗବିହାର ଟି-ଛକରୁ ନାକାଗେଟ୍‌ ଦିଗରେ ଯାଉଥିବାବେଳେ ଘାଟିକିଆ ଦୁର୍ଗାମଣ୍ଡପ ନିକଟରେ ଏକ ହାଇଓ୍ଵା(ଓଡି୦୨ଏଏଫ୍‌-୭୨୯୧)ରେ ପିଟି ହୋଇ ଯାଇଥିଲେ। ହାଇଓ୍ଵାଟି ଏକ କଟ୍‌ରେ ବୁଲୁଥିବାବେଳେ ପଲସର ସହ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଚଳାଉଥିବା ଉମାକାନ୍ତ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଓମ୍‌ପ୍ରକାଶ ଓ ଭବାନୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ହସ୍ପିଟାଲ ପଠାଇବା ସହ ଗାଡ଼ି ଦୁଇଟିକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର