ରାଜଧାନୀର ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ମୁଁ ସଫେଇବାଲା’ ଅଭିଯାନ

ଭୁବନେଶ୍ବର : ରାଜଧାନୀର ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିଏମ୍‌ସି ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ମୁଁ ସଫେଇବାଲା ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ସତ୍ୟନଗରଠାରେ ଶୁଭାରମ୍ଭ କରିଛନ୍ତି। ସତ୍ୟନଗରଠାରେ ବିଏମ୍‌ସି ଓ ବକୁଳ ଫାଉଣ୍ଡେସନ୍‌ ପକ୍ଷରୁ କାନ୍ଥରେ ଅଙ୍କା ହୋଇଥିବା ଝାଡ଼ୁ ଚିତ୍ର ଉପରେ ମୁଖ୍ୟମନ୍ତ୍ରୀ ରଙ୍ଗ ତୂଳୀରେ ଏନ୍‌.ପି ଲେଖି ଏହି ଅଭିଯାନ ଆରମ୍ଭ କରିଥିଲେ।

ମୁଁ ସଫେଇବାଲା ଅଭିଯାନରେ ସ୍କୁଲ ଛାତ୍ରଛାତ୍ରୀ ଓ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନଙ୍କ ଦ୍ବାରା ପରିବେଶକୁ ସ୍ବଚ୍ଛ ରଖିବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ୟୁନିଟ-୩ ହସ୍ପିଟାଲ ପରିସରରେ ୧୫୦ଜଣ ସଫେଇ କର୍ମଚାରୀଙ୍କୁ ବିଏମ୍‌ସି ପକ୍ଷରୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା, ସତ୍ୟନଗର ଚର୍ଚ୍ଚ ପଛ ପାଖରେ ଥିବା ପାଚେରିରେ ‘ବି ଦ ଚେଞ୍ଜ୍‌’ ଥିମ୍‌ରେ ଚିତ୍ର ଆଙ୍କିବା। ରଙ୍ଗ ତୂଳୀରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହୋଇଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଏବଂ ରାଜଧାନୀର ବହୁ ବ୍ୟକ୍ତି ଏଠାରେ ନିଜ ପସନ୍ଦର ଚିତ୍ର ଆଙ୍କିଥିଲେ। ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ, କମିସନର ପ୍ରେମଚନ୍ଦ୍ର ଚୌଧରୀ, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ର, ବକୁଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର