ବାଲିପାଟଣା: ଓଡ଼ିଆ ରାପ୍-ଗୀତ ‘ମୁଁ ଇ-ସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି’କୁ ନେଇ ବିବାଦ ଘନେଇଛି। ଏହି ଗୀତକୁ ଶୀଘ୍ର ବନ୍ଦ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି କରିଛନ୍ତି। ପରିବାରର ବିନା ଅନୁମତିରେ ପିଲାଟିର ଭାବବିହ୍ଵଳ କେଇ ପଦ କଥାକୁ ନେଇ ରାପ-ସଙ୍ଗ୍ ପ୍ରସ୍ତୁତ କରିବା ଆଦୌ ଠିକ୍ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ, ଉପସ୍ଥାନ କମ୍ ଥିବାରୁ ବାଲିପାଟଣା ଗୋଷ୍ଠୀ ଶିକ୍ଷା ମଣ୍ଡଳ ଅଧୀନ ଆମୋଣକୁଦ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ପ୍ରାଚୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି। କିଛି ଦିନ ତଳେ ଅଞ୍ଚଳର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଅତିଥି ଭାବେ ଯୋଗ ଦେଇ ଘରୋଇ ସ୍କୁଲ ବନ୍ଦ ହେଲେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ିବ ବୋଲି କହିଥିଲେ। ସଭାରେ ଉପସ୍ଥିତ ଥିବା ପ୍ରଥମ ଶ୍ରେଣୀର ଛାତ୍ର ତ୍ରୈଲୋକ୍ୟ ରାୟ ସେହି ସମୟରେ କିଛି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲା। ୫ବର୍ଷର ଏହି ଶିଶୁଟି ଖନେଇ ଖନେଇ କହିଥିଲା ଯେ ‘ମୁଁ ଇସ୍କୁଲରେ ପଢୁଛି...। ମୁଁ ପ୍ରଥମ ଶ୍ରେଣୀରେ ପଢୁଛି..। ମୁଁ କ’ଣ ଶୁଣୁଛି ଆମ ସ୍କୁଲ ଉଠିଯାଇଛି...। ପିଲାଟିର ଏଇ କେଇପଦ କଥା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାହା ଭାଇରାଲ ହୋଇଥିଲା। ପରେ ଏହାକୁ ନେଇ ଜେଡି କ୍ରିଏସନ୍ ଏକ ରାପ୍-ଗୀତ ପ୍ରସ୍ତୁତ କରିଥିଲା। ସେଥିରେ ହ୍ୟୁମାନ୍ ସାଗର କଣ୍ଠ ଦେଇଛନ୍ତି। ସେଥିରେ ତ୍ରୈଲୋକ୍ୟର ଭଏସ୍ ସ୍ଥାନ ପାଇଥିଲେ ହେଁ ଭିଡିଓରେ ସେ ନାହାନ୍ତି।
ତେବେ ଏନେଇ ବିବାଦ ହେବା ପୂର୍ବରୁ ଗତକାଲି ଜେଡି କ୍ରିଏସନ୍ର ମୁଖ୍ୟ ଜଗନ୍ନାଥ ଦାସ ମହାନ୍ତି ଆମେଣାକୁଦ ଗ୍ରାମରେ ପହଞ୍ଚି ତ୍ରୈଲୋକ୍ୟଙ୍କୁ ଗୀତ ଶିକ୍ଷା ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କ ପରିବାର ସହ କଥାବାର୍ତ୍ତା ହେବା ସହ ଖୁବ୍ଶୀଘ୍ର ଷ୍ଟୁଡିଓରେ ତ୍ରୈଲୋକ୍ୟଙ୍କୁ ନେଇ ଏକ ଗୀତ ପ୍ରସ୍ତୁତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତ୍ରୈଲୋକ୍ୟଙ୍କ ବାପା ତ୍ରିଲୋଚନ ରାୟ କହିଛନ୍ତି ଯେ ଏପରି ଗୀତ ପ୍ରସ୍ତୁତି ପୂର୍ବରୁ ଆମ ପରିବାରର ଅନୁମତି ନେବାର ଥିଲା। ସ୍କୁଲ ଖୋଲା ନ ହେଲେ ଗୀତ ମୂଲ୍ୟହୀନ। ଗୀତରେ ମୋ ପୁଅର ମୁଖ୍ୟ ଦାବି ସ୍କୁଲ ଖୋଲିବା ବି ସ୍ଥାନ ପାଇନାହିଁ। ଅପରପକ୍ଷେ ଅଭିଭାବକ ମହାସଙ୍ଘର ସଭାପତି ଶ୍ରୀ ଭଟ୍ଟଙ୍କ କହିଛନ୍ତି ଯେ ଏହି ସ୍କୁଲକୁ ପୁନଃ ଖୋଲିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କିନ୍ତୁ ପିଲାଟିର ଭାବବିହ୍ବଳ କଥାକୁ ନେଇ ରାପ-ଗୀତ ତିଆରି ହେବା ଉଚିତ ନୁହେଁ। ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଭଟ୍ଟ କହିଛନ୍ତି।