ଏମ୍‌ସ ଡାକ୍ତରୀ ଟିମ୍‌ର ଗବେଷଣା: ମ୍ୟୁକରମାଇକୋସିସ୍‌ ଲକ୍ଷଣ ଥିବା ନୂତନ ଫଙ୍ଗସ୍‌ ଚିହ୍ନଟ

ଗୁରୁଙ୍କ ନାମ ଅନୁସାରେ ନାଁ ଦେଲେ କନିଙ୍ଗମେଲା ଅରୁଣୋଲୋକି
ଗବେଷଣାରେ ପିଜିଆଇ ଚଣ୍ଡିଗଡ଼ର ଡାକ୍ତର ବି ସାମିଲ

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରରେ ଫଙ୍ଗାଲ୍‌ ସଂକ୍ରମଣକୁ ନେଇ ଗବେଷଣା କରୁଥିବା ଏକ ଡାକ୍ତରୀ ଟିମ୍‌ ‘କନିଙ୍ଗମେଲା ଅରୁଣୋଲୋକି’ ନାମକ ଏକ ନୂତନ ଫଙ୍ଗସ୍‌ ଚିହ୍ନଟ କରିଛନ୍ତି। ଏହି ଟିମ୍‌ର ନେତୃତ୍ବ ନେଉଥିବା ଡାକ୍ତର ବିନୟ ହାଲୁର ଏହି ଫଙ୍ଗସ୍‌ର ନାମ ନିଜ ଶିକ୍ଷକ ତଥା ଫଙ୍ଗାଲ ଇନ୍‌ଫେକସନ୍‌ ବିଶେଷଜ୍ଞ ଡ. ଅରୁଣଲୋକ ଚକ୍ରବର୍ତ୍ତୀଙ୍କ ନାମରେ ନାମିତ କରିଛନ୍ତି। ଏହି ଫଙ୍ଗସ୍‌ର ଲକ୍ଷଣ ମ୍ୟୁକର୍‌ମାଇକୋସିସ୍‌ ବା ବ୍ଲାକ୍‌ଫଙ୍ଗସ୍‌ ଭଳି। କିନ୍ତୁ ଏହାର କାରଣ ମଧୁମେହ କିମ୍ବା ଷ୍ଟେରଏଡ୍‌ ନୁହେଁ, ବରଂ ଅନ୍ୟ କିଛି ବୋଲି ଡାକ୍ତର ହାଲୁର କହିଛନ୍ତି।

ଡାକ୍ତର ହାଲୁର କହନ୍ତି, ୨୦୧୮ମସିହାରେ ଖୋର୍ଧା ଜିଲ୍ଲାର ୨୬ବର୍ଷୀୟ ଯୁବକ ଚର୍ମ ସଂକ୍ରମଣ ସମସ୍ୟା ନେଇ ଏମ୍‌ସ ଆସିଥିଲେ। ଏହା ପୂର୍ବରୁ ସେ ବିଭିନ୍ନ ଡାକ୍ତରଖାନା ଯାଇ ଔଷଧ ଖାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲେ। ଯୁବକଙ୍କ ମୁହଁଠାରୁ ନାକ, ଶ୍ବାସନଳୀ ପର୍ଯ୍ୟନ୍ତ ଚେହେରାର ପ୍ରାୟ ଅଧାଅଂଶକୁ ଫଙ୍ଗସ୍‌ ସଂକ୍ରମିତ କରି ବିକୃତ କରିଦେଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହା ମ୍ୟୁକରମାଇକୋସିସ୍‌ ବୋଲି ଅନୁମାନ କରାଯାଉଥିଲା। ତେବେ ମ୍ୟୁକରମାଇକୋସିସ୍‌ ମୁଖ୍ୟତଃ ମଧୁମେହ ଏବଂ ଦୀର୍ଘ ଧରି ଷ୍ଟେରଏଡ୍‌ରେ ଚିକିତ୍ସାଧୀନ ରୋଗୀଙ୍କଠାରେ ହୋଇଥାଏ। ମଧୁମେହ ନିୟନ୍ତ୍ରଣ କରାଯାଇ ଔଷଧ ଦିଆଯାଏ, ଏହା ପରେ ରୋଗୀ ସୁସ୍ଥ ହୋଇଯାଆନ୍ତି। ଏହି ଯୁବକଙ୍କ ମଧୁମେହ, ରକ୍ତଚାପ, ଏଡ୍‌ସ କିମ୍ବା କୌଣସି ପ୍ରକାର ରୋଗ ପୂର୍ବରୁ ହୋଇନଥିଲା। ତେଣୁ କେଉଁ ସମସ୍ୟାକୁ ନିୟନ୍ତ୍ରଣ କରାଯାଇ ଚିକିତ୍ସା କରାଯିବ, ଏଥିପାଇଁ ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ମ୍ୟୁକରମାଇକୋସିସ୍‌ରେ ଦିଆଯାଉଥିବା ଔଷଧ ଯୁବକଙ୍କୁ ଦିଆଗଲା। ଫଳସ୍ବରୂପ ଯୁବକଜଣକ ଯେତେ ଦିନ ଔଷଧ ଖାଆନ୍ତି, ସେତେଦିନ ସୁସ୍ଥ ରହନ୍ତି। ଔଷଧ ବନ୍ଦ କରିଦେଲେ, ଫଙ୍ଗସ୍‌ ସଂକ୍ରମଣ ପୁଣି ମାଡ଼ିଯାଏ। ଏହିଭଳି ସ୍ଥିତିରେ ଚଳିତ ବର୍ଷ କରୋନା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା।

ତେବେ ଏମ୍‌ସର ଫଙ୍ଗାଲ ଗବେଷଣା କେନ୍ଦ୍ର ପକ୍ଷରୁ ଏହାକୁ ନେଇ ଗବେଷଣା କରାଗଲା। ରୋଗୀଙ୍କଠାରେ ଚିହ୍ନଟ ଫଙ୍ଗସ୍‌ ନୂତନ ପ୍ରକାରର ଥିଲା ବୋଲି ଗବେଷଣାରୁ ଜଣାପଡ଼ିଲା। ବିଶ୍ବରେ କୌଣସି ସ୍ଥାନରେ ଏଭଳି ଫଙ୍ଗସ୍‌ ଚିହ୍ନଟ ହୋଇ ନଥିବା ବେଳେ ମ୍ୟୁକରମାଇକୋସିସ୍‌ରେ ମଧ୍ୟ ଏହା ଦେଖାଯାଏ ନାହିଁ। ଏହା ସାଧାରଣ ମ୍ୟୁକରମାଇକୋସିସ୍‌ ନୁହେଁ; କିନ୍ତୁ ମ୍ୟୁକରମାଇକୋସିସ୍‌ର ଆଉ ଏକ ରୂପ ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ।

ଡ. ହାଲୁରଙ୍କ ସୂଚନା ଅନୁଯାୟୀ, ଫଙ୍ଗାଲ୍‌ ସଂକ୍ରମଣ ନେଇ ଦେଶରେ ଖୁବ୍‌ କମ୍‌ ଗବେଷଣା ହୋଇଥାଏ। ଏମ୍ସ ଭୁବନେଶ୍ବର ପକ୍ଷରୁ ଏହି ଗବେଷଣା କରାଯାଉଛି, ବର୍ତ୍ତମାନ ଏମ୍ସ ପୂର୍ବ ଭାରତର ରେଫରାଲ ସେଣ୍ଟର ପାଲଟିଛି। ଏହି ଗବେଷଣା ଟିମ୍‌ରେ ଇଏନ୍‌ଟି ବିଭାଗର ଡା. ସି ପ୍ରୀତମ, ଡା. ମୁକୁନ୍ଦ ସାବଲେ, ଡା. ପ୍ରଶାନ୍ତ ପୁରୁଷୋତ୍ତମ, ରବୀନ୍ଦ୍ର ସେନାପତି, ଡା. ଏନ୍‌. ଦୀପବାଗ, ପିଜିଆଇ ଚଣ୍ଡିଗଡ଼ର ଡା. ଶିବପ୍ରକାଶ, ଡା. ହରିପ୍ରସାଦ ପ୍ରକାଶ, ଶ୍ୟାମନାଥ ଆଧେଖଣ୍ଡି ରହିଛନ୍ତି। ଗବେଷଣାରେ ସଫଳତା ପାଇଁ ନିର୍ଦ୍ଦେଶକ ପ୍ରଫେସର୍‌ ଗୀତାଞ୍ଜଳି ବି, ମାଇକ୍ରୋଲୋଜି ବିଭାଗୀୟ ମୁଖ୍ୟ ବୈଜୟନ୍ତୀମାଳା ମିଶ୍ର ମଧ୍ୟ ସହଯୋଗ କରିଥିବା ଡ. ହାଲୁର କହିଛନ୍ତି।

ସମ୍ବନ୍ଧିତ ଖବର