ଭୁବନେଶ୍ବର : ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହେଉଥିବା ମ୍ୟୁକର୍ମାଇକୋସିସ୍ ରୋଗୀ ବି ସୁସ୍ଥ ହେଉଛନ୍ତି। ଏମ୍ସରେ ଚିକିତ୍ସାଧୀନ ୪ଜଣ ସୁସ୍ଥ ହୋଇ ଘରକୁ ଗଲେଣି। ଆଉ କିଛି ଚିକିତ୍ସାଧୀନ ରୋଗୀଙ୍କ ସ୍ଥିତିରେ ଉନ୍ନତି ହେଉଥିବାରୁ ଆସନ୍ତା ସପ୍ତାହକ ମଧ୍ୟରେ ସେମାନଙ୍କୁ ଡିସଚାର୍ଜ କରି ଦିଆଯିବ। ଅନ୍ୟପକ୍ଷରେ ଚିକିତ୍ସାଧୀନ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଏମ୍ସ ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି।
ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ମ୍ୟୁକରମାଇକୋସିସ ରୋଗୀ ସଂଖ୍ୟା ୪୦କୁ ପହଞ୍ଚିଲାଣି। ଏଥିରୁ ୧୧ଜଣ ସନ୍ଦିଗ୍ଧ। ଓଡ଼ିଶା ସମେତ ଅହମଦାବାଦ, ପୁଣେରୁ ରୋଗୀ ଆସି ଏଠାରେ ଚିକିତ୍ସିତ ହେଉଛନ୍ତି। ଗତ ମାସ ଏହି ସମୟରେ ଏହି ଡାକ୍ତରଖାନାର ଚିକିତ୍ସାଧୀନ ରୋଗୀ ସଂଖ୍ୟା ମାତ୍ର ୫ ରହିଥିଲା। ବର୍ତ୍ତମାନ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଏହାର ଇଂଜେକସନ୍ ଆମ୍ଫୋଟେରିସିନ-ବିର ସଂକଟ ଦେଖାଦେଇଛି। ଏମ୍ସ ଅଧୀକ୍ଷକ କହିଛନ୍ତି, ମ୍ୟୁକରମାଇକୋସିସ ପାଇଁ ଏଠାରେ ୨ଟି ୱାର୍ଡର ସମୁଦାୟ ୬୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସନ୍ଦିଗ୍ଧଙ୍କୁ ଗୋଟିଏ ୱାର୍ଡରେ, ରିପୋର୍ଟରେ କନଫର୍ମ ହେଲା ପରେ ଅନ୍ୟ ୱାର୍ଡରେ ଭର୍ତ୍ତି କରାଯାଉଛି। ଏହାପରେ ସର୍ବନିମ୍ନ ୧୦ରୁ ସର୍ବାଧିକ ୨୮ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଯାଉଛି। ଏହାର ଇଂଜେକସନ ଆମ୍ଫୋଟେରିସିନ-ବି ୬ଟି ଭାଏଲ ଲେଖାଏଁ ଡୋଜ୍ ଦିଆଗଲେ ୬୦ଟି ଇଂଜେକସନ ୧୦ ଦିନ ଦିଆଯାଏ। ଏହାପରେ ବି ଅବସ୍ଥାରେ ସୁଧାର ନ ଆସିଲେ, ଆହୁରି କିଛି ଦିନ ରଖାଯାଉଛି। ଚିକିତ୍ସାଧୀନ ୫୦ପ୍ରତିଶତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଛି। ଅନ୍ୟମାନେ ଇଂଜେକସନ ଜରିଆରେ ସୁସ୍ଥ ହୋଇଛନ୍ତି। ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇଂଜେକସନ ଆମ୍ଫୋଟେରିସିନ-ବି ସଙ୍କଟ ଦେଖାଦେଇଛି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ସକୁ ଏହି ଇଂଜେକସନ ଦିଆଯାଉଥିବା ଅଧୀକ୍ଷକ ଡ. ମହାନ୍ତି କହିଛନ୍ତି।
ଇଏନ୍ଟି ବିଭାଗ ସିଧାସଳଖ ଏହାର ଚିକିତ୍ସା କରୁଛି। ଆଖି, ଶ୍ବାସରୋଗ (ପଲ୍ମୋନାରି)ବିଭାଗ ଅଧୀନରେ ମଧ୍ୟ କିଛି ରୋଗୀଙ୍କ ଚିକିତ୍ସା କରାଯାଉଛି। ଏମ୍ସରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ୨୨ଜଣ ଏମକେସିଜି, ଏସସିବି, ଆମ୍ରି, ହାଇଟେକ୍ ଭଳି ଡାକ୍ତରଖାନାରୁ ଗୁରୁତର ଅବସ୍ଥାରେ ରେଫର ହୋଇ ଆସିଛନ୍ତି। ଅନ୍ୟମାନେ ସିଧାସଳଖ ଏହି ଡାକ୍ତରଖାନାକୁ ଆସିଛନ୍ତି। ବର୍ତ୍ତମାନ ମଧ୍ୟ ମ୍ୟୁକରମାଇକୋସିସ୍ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟାର ଅଭାବ ନାହିଁ। ଅଧିକ ରୋଗୀ ଆସିଲେ ମଧ୍ୟ ଏଠାରେ ଭର୍ତ୍ତି ହୋଇପାରିବେ ବୋଲି ଅଧୀକ୍ଷକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/aiims-bbsr.jpg)