ଭୁବନେଶ୍ୱର: ପ୍ରତିଦିନ ଶହଶହ ଭାରୀଯାନ ମଞ୍ଚେଶ୍ୱର ଓ ଭିଏସ୍‌ଏସ୍‌ନଗର ରାସ୍ତା ଦେଇ ଯାଉଥିବାରୁ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରେଳ ଓଭରବ୍ରିଜ୍‌ ନିର୍ମାଣ ଚାଲିଥିବା ବେଳେ ଏହା ସଂଲଗ୍ନ ରାସ୍ତାଗୁଡ଼ିକ ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଭିଏସ୍‌ଏସ୍‌ନଗରର ଜନଆରୋଗ୍ୟ କେନ୍ଦ୍ରରୁ ଆରମ୍ଭ ହୋଇଥିବା ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ହେଲେ ସମାଧାନ ପାଇଁ କେହି କର୍ଣ୍ଣପାତ କରୁନାହାନ୍ତି। ଭିଏସ୍‌ଏସ୍‌ନଗର-ଗାଡ଼କଣକୁ ଯାଉଥିବା ଏକମାତ୍ର ରୁଟ-୨୫ରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହେଉଛି। ବର୍ଷା ହେଲେ କାଦୁଅ ହୋଇଯିବାରୁ ବସ୍‌ ଅଧାରେ ଅଟକି ଯାଉଛି। ଫଳରେ ଯାତ୍ରୀ ହଇରାଣ ହେଉଛନ୍ତି। ବିଶେଷ କରି ଏହି ରାସ୍ତା ଦେଇ ରୋଗୀଙ୍କୁ ନେବାରେ ଅସୁବିଧା ହେଉଛି।  ବହୁ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ ସମେତ ଶିକ୍ଷାନୁଷ୍ଠାନ ମଧ୍ୟ ଅଞ୍ଚଳରେ ଥିବାରୁ, ରାସ୍ତା ସମସ୍ୟା ଚିନ୍ତା ବଢ଼ାଉଛି।

Advertisment

ତେବେ ଏନେଇ କର୍ପୋରେଟର ପ୍ରଭାସିନୀ ମହାନ୍ତି କହିଛନ୍ତି, ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସେ ଯନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ରାସ୍ତାର ଗୋଟିଏ ପାର୍ଶ୍ୱର କାମ ଆରମ୍ଭ ହୋଇଗଲାଣି। ଖୁବ୍‌ଶୀଘ୍ର କାମ ସରିଯିବ। ସେହିପରି ମଞ୍ଚେଶ୍ବର-ଚକେଇସିଆଣି ରାସ୍ତାରେ ଓଭର୍‌ବ୍ରିଜ୍‌ ନିର୍ମାଣ ଆରମ୍ଭ ପରଠୁ ଏହି ରାସ୍ତା ମଧ୍ୟ ଶୋଚନୀୟ ହୋଇଯାଇଛି। ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ସାମାନ୍ୟ ବର୍ଷାରେ କାଦୁଅରେ ଚାଲିଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି। କେବଳ ଏତିକି ନୁହେଁ, ସ୍ଥାନେ ସ୍ଥାନେ ଡ୍ରେନ୍‌ ମଧ୍ୟ ମୁକୁଳା ପଡ଼ିଛି। ତେବେ ଏନେଇ କର୍ପୋରେଟର ଏସ୍‌କେ ନୁର୍‌ ହାସନ୍‌ କହିଛନ୍ତି, ରାସ୍ତାଟି ରେଳବିଭାଗ ଅଧୀନରେ ରହିଛି। ରେଳ ପ୍ରଶାସନ ସହିତ ଆଲୋଚନା କରାଯାଇଛି। କାମ ଶୀଘ୍ର ସାରିବାକୁ ଆଶା ରଖାଯାଇଛି।