ଆଧୁନିକତା ଭୁଲାଇପାରିନି ମାଟିର ବାସ୍ନାକୁ

ଘରସଜ୍ଜାରେ ମାଟି ତିଆରି ସାମଗ୍ରୀ

ଭୁବନେଶ୍ୱର : ଯୁଗ ଅତ୍ୟାଧୁନିକ ହେଲାଣି। ଘରଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଅତ୍ୟାଧୁନିକ ଆଲୋକସଜ୍ଜା, କାଚ, ପ୍ଲାଏ ଓ ପ୍ଲାଷ୍ଟିକ୍‌ ତିଆରି ସୁନ୍ଦର ସୁନ୍ଦର ସାମଗ୍ରୀରେ ଚମତ୍କାର ସାଜସଜ୍ଜା। ହେଲେ ଏସବୁ ଭିତରେ ଯେ ମଣିଷ ତା’ର ଅସ୍ତିତ୍ୱକୁ ଭୁଲିନି। ଭୁଲିନି ତା’ର ମା’ ମାଟିକୁ କି ସେଇ ମାଟିର ଅଦ୍ଭୁତ ବାସ୍ନାକୁ। କହିଲେ ଏହି କଥା ବିଶ୍ୱାସ କରି ନ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ମାଟି ଓ ଟେରୋକୋଟା ଶିଳ୍ପ ମେଳା ‘ମୃତ୍ତିକା’ରେ ଗହଳ ଚହଳ ଏହାର ପ୍ରମାଣ ଦେଉଛି। ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ମେଳାରେ ଚିତ୍ତାକର୍ଷକ ଘରସଜ୍ଜା ସାମଗ୍ରୀ ସହ ରହିଛି ଘରକରଣା ସାମଗ୍ରୀର ବିଶାଳ ପସରା।

ମେଳାର ବେଶ୍‌ ଆକର୍ଷଣୀୟ ହୋଇଛି ବାଲେଶ୍ୱରରୁ ଆସି ଏଠାରେ ପସରା ଖୋଲିଥିବା ରମେଶ ଚନ୍ଦ୍ର ମୁଦୁଲିଙ୍କ କଳା ମାଟି ଶିଳ୍ପ। ଘରକରଣା ସାମଗ୍ରୀ ଅପେକ୍ଷା ତାଙ୍କ ପାଖରେ ଅଧିକ ରହିଛି ଘରସଜ୍ଜା ସାମଗ୍ରୀ। ହ୍ୟାଙ୍ଗିଙ୍ଗ୍‌ ଦୀପ, ଟ୍ରାଇବାଲ୍‌ ଫିଗର୍‌, ବଡ଼ ବଡ଼ ଦୀପ ଷ୍ଟାଣ୍ଡ୍‌, ହ୍ୟାଙ୍ଗିଙ୍ଗ୍‌ ଦୀନ ଲ୍ୟାମ୍ପ, ଘୋଡ଼ା ସହ ବିଭିନ୍ନ ପ୍ରକାର କୌତୁକିଆ ମୂର୍ତ୍ତି ଏଠାରେ ଉପଲବ୍ଧ। ସେ ଏହି ସବୁରେ କୌଣସି ପ୍ରକାର ରଙ୍ଗ ବ୍ୟବହାର କରି ନଥା’ନ୍ତି। ଏସବୁ ସାମଗ୍ରୀ ପୋଡ଼ିବା ସମୟରେ ଯାହା ରଙ୍ଗ ହୁଏ ତାହାକୁ ସେ ବିକ୍ରି କରନ୍ତି। ଆଜିକାଲି ଦୁନିଆ ବହୁ ରଙ୍ଗିନ୍‌ ହୋଇଥିଲେ ମଧ୍ୟ ପାରମ୍ପରିକ ଜିନିଷ ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏସବୁ ବହୁ ପରିମାଣରେ ବିକ୍ରି ହେଉଥିବା ସେ କହିଛନ୍ତି। ତେବେ ତାଙ୍କ ପାଖରେ ଥିବା ହ୍ୟାଙ୍ଗିଙ୍ଗ୍‌ ଦୀପର ଦାମ୍‌ ୧୬୦ରୁ ୨୦୦ ଟଙ୍କା ଥିବା ବେଳେ ଦୀପଷ୍ଟାଣ୍ଡ୍‌ ୧୩ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

ସେହିପରି ଖୋର୍ଧାରୁ ଆସିଥିବା ସଞ୍ଜୟ କୁମାର ମୁଦୁଲିଙ୍କ ପାଖରେ ରହିଛି ମାଟି ତିଆରି ଫାଉଣ୍ଟେନ୍‌। ଗଛର କାଣ୍ଡ ଭଳି ହୋଇଥିବା ଏହି ଫାଉଣ୍ଟେନ୍‌ରେ ସୋପନ ଭଳି ଦୀପ ଖଞ୍ଜାଯାଇଛି। ଏଥିରେ ପାଣି ମଧ୍ୟ ରହିଛି। ମଟର୍‌ ଲଗାଇଲେ ପାଣି ଉପର ତଳ ହେଉଛି। ତେବେ ଏହି ଫାଉଣ୍ଟେନ୍‌ ମୁହଁରେ ତୁଳସୀ ଗଛ ଲଗାଇ ଚଉରା ମୂଳ କରାଯାଇପାରେ। କିମ୍ବା ଫୁଲ ଗଛ ବି ଲଗାଯାଇପାରେ। ତାଙ୍କ ପାଖରେ ଛୋଟଠାରୁ ଆରମ୍ଭ କରି ୩ ଫୁଟ ପର୍ଯ୍ୟନ୍ତ ଫାଉଣ୍ଟେନ୍‌ ଉପଲବ୍ଧ। ୧୦୦୦ ଟଙ୍କାରୁ ଆରମ୍ଭ କରି ୩୫,୦୦ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ୍‌ ରହିଛି। ଶ୍ରୀ ମୁଦୁଲି କୁହନ୍ତି, ଏସବୁ ଯତ୍ନର ସହ ରଖିଲେ ଏହା ବର୍ଷ ବର୍ଷ ରହିପାରେ। ଯେଉଁଭଳି ମହେଞ୍ଜୋଦାରୋ ସଭ୍ୟତାର ମାଟି ପାତ୍ର ଏବେ ବି ଅକ୍ଷୁର୍ଣ୍ଣ ଉଦ୍ଧାର ହେଉଛି। ଏହା ମାଟିରେ ମିଶିଯିବ ନାହିଁ। କିନ୍ତୁ ତଳେ ପଡ଼ିଗଲେ ଭାଙ୍ଗିଯିବ। ଏହି ଆଧୁନିକ ଯୁଗରେ ମଧ୍ୟ ଲୋକଙ୍କ ଏଥିପ୍ରତି ରୁଚି ବଢ଼ିଛି ସିନା କମିନି। ମାଟି ଓ ଟେରାକୋଟା ଶିଳ୍ପର ଚାହିଦା ବଢ଼ିବା ସହ ଏହା ଏବେ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କ ପସନ୍ଦରେ ସ୍ଥାନ ନେଲାଣି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର