ଖୋଲିଲା ମୁଗ ମଣ୍ଡି, ଚାଷୀ ଆଶ୍ବସ୍ତ

ବାଲିପାଟଣା: ଗତ ଶୁକ୍ରବାର ଦିନ ବାଲିପାଟଣା ସେବା ସମବାୟ ସମିତି ପରିସରରେ ମୁଗ ଓ ବିରି ମଣ୍ତି ଉଦ୍‌ଘାଟିତ ହୋଇଯାଇଛି। ବିଳମ୍ବରେ ହେଲେ ବି ସରକାରୀ ମଣ୍ଡି ଖୋଲିଥିବାରୁ ଏବେ ଚାଷୀମାନେ ଆଶ୍ବସ୍ତ ହୋଇଛନ୍ତି। ଫଳରେ ମୁନାଫାଖୋର୍ ବେପାରୀମାନଙ୍କୁ କମ୍ ଦରରେ ବିକିବାକୁ ବାଧ୍ୟ ହେଉଥିବା ଚାଷୀମାନେ ଏଣିକି ସରକାରୀ ଦରରେ ମୁଗ ଓ ବିରି ବିକି ସେମାନଙ୍କ ପରିଶ୍ରମର ଉଚିତ ଫଳ ପାଇବେ ବୋଲି କୁହାଯାଉଛି। ଗତବର୍ଷ ବାତ୍ୟା ଫନି ପାଇଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ, କିନ୍ତୁ ଚଳିତ ବର୍ଷର ଭଲ ଅମଳ ଓ ସରକାରୀ ଦରରେ ବିକିବା ମଉକା ସେମାନଙ୍କୁ ବେଶ୍ ସୁହାଇଛି ବୋଲି ଚାଷୀମାନେ କହିଛନ୍ତି।

ମଣ୍ଡି ଖୋଲିବାର ପ୍ରଥମ ଦିନରେ ୯ ଜଣ ଚାଷୀଙ୍କଠାରୁ ମୁଗ ଓ ବିରି କ୍ରୟ କରାଯାଇଥିଲା। ମୋଟ୍‌ ୫୧ କ୍ବିଣ୍ଟାଲ୍‌ କ୍ରୟ କରାଯାଇଥିଲା। ସରକାରୀ ଦର ହିସାବରେ ମୁଗ କ୍ବିଣ୍ଟାଲ୍‌ ୭୦୫୦ ଟଙ୍କା ଓ ବିରି କ୍ବିଣ୍ଟାଲ ୫୭୦୦ ଟଙ୍କାରେ ଚାଷୀମାନେ ବିକ୍ରି କରିଥିଲେ। ଏଣିକି ସପ୍ତାହରେ ତିନି ଦିନ ପାଇଁ ମଣ୍ଡି ଖୋଲା ରହିବ। ମଙ୍ଗଳବାର, ବୁଧବାର ଓ ଶନିବାର ଦିନ ମଣ୍ତି ଖୋଲା ରହିବ। କରୋନା କଟକଣା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ହୋଇଥିବାରୁ ପ୍ରତି ପାଳିରେ କମ୍ ସଂଖ୍ୟକ ଚାଷୀଙ୍କୁ ଟୋକନ୍‌ ଦିଆଯାଉଛି। ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ତି ଚାଲୁ ରହିବା ପାଇଁ ନିର୍ଦ୍ଦେଶ ଥିବାରୁ ଏହି ଅବଧି ମଧ୍ୟରେ ବ୍ଲକର ସମସ୍ତ ଚାଷୀଙ୍କୁ ଫସଲ ବିକିବା ସୁଯୋଗ ମିଳିବ। କୌଣସି ଚାଷୀ ଯେମିତି ଫସଲ ବିକିବାରୁ ବଞ୍ଚିତ ହେବେ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୃଷି ବିଭାଗ ଅଧିକାରୀ କହିଛନ୍ତି। ଆବଶ୍ୟକ ହେଲେ ପରେ ପ୍ରତି ପାଳିରେ ଅଧିକ ଚାଷୀଙ୍କୁ ଟୋକନ୍ ଦିଆଯିବ ବୋଲି କୁହାଯାଇଛି। ତେଣୁ ଏବେ ଯେତିକି ଚାଷୀଙ୍କୁ ଟୋକନ୍ ଦିଆଯାଉଛି, କେବଳ ସେହିମାନେ ଧାର୍ଯ୍ୟ ବାରରେ ମଣ୍ଡିରେ ଫସଲ ବିକ୍ରି କରିବେ। ଫସଲ ବିକିଥିବା ଚାଷୀମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଦିଆଯିବ।

ସୂଚନାଯୋଗ୍ୟ ଯେ ବାଲିପାଟଣା ବ୍ଲକରେ ମୋଟ ୫୫୦୦ ହେକ୍ଟର ମୁଗ ଓ ୧୦୪୦ ହେକ୍ଟର ଜମିରେ ବିରି ଜାତୀୟ ଫସଲ ହୋଇଥିବା ଜଣାପଡ଼ିଛି। ପମ୍ପାଲୋ, ଗାରେଡ଼ିପାଞ୍ଚଣ, କୁରୁଞ୍ଜିପୁର, ତୁରିନ୍ଦ୍ରା, ନରିସ ଓ ଦେଉଳିଧରପୁର ଆଦି ଗାଁର ଶହ ଶହ ଚାଷୀ ଚଳିତ ବର୍ଷ ମୁଗ ଓ ବିରି ଚାଷ କରିଛନ୍ତି। ଗତ ପ୍ରାୟ ମାସକ ପୂର୍ବରୁ ଫସଲ ଅମଳ ହୋଇ ସାରିଛି। ଏହି ଚାଷ ପାଇଁ ବହୁ ଚାଷୀ କରିଥିବା ଧାରକରଜ ଶୁଝିବା ପାଇଁ ଅମଳ ସରୁ ସରୁ ଫସଲ ବିକିବାକୁ ବାଧ୍ୟ ହୋଇଥିଲେ। ସରକାରୀ ମଣ୍ଡି ଖୋଲିବା ବିଳମ୍ବ ହେବାରୁ ସେମାନେ ସ୍ଥାନୀୟ ବେପାରୀଙ୍କୁ କମ୍ ଦରରେ ବିକି ଦେଇଥିଲେ। ଫଳରେ ବେପାରୀମାନେ ଶହ ଶହ କ୍ବିଣ୍ଟାଲ ମୁଗ ବିରି କିଣି ନେଇଥିବା ଜଣାପଡ଼ିଛି। ମୁଗର ସରକାରୀ ଦର ୭୦୫୦ ଟଙ୍କା ଓ ବିରି ୫୭୦୦ ଟଙ୍କା ହୋଇଥିବାବେଳେ ଚାଷୀମାନେ ବେପାରୀଙ୍କୁ ମୁଗ କ୍ବିଣ୍ଟାଲ ୬ ହଜାର ଟଙ୍କା ଓ ବିରି କ୍ବିଣ୍ଟାଲ ୫ ହଜାର ଟଙ୍କାରେ ବିକି ଦେଇଥିଲେ। ତେବେ ଏଣିକି ସରକାରୀ ମଣ୍ଡି ଖୋଲିଥିବାରୁ ବେପାରୀଙ୍କ ଉପରେ ଅଙ୍କୁଶ ଲାଗିଛି। ଉପ କୃଷି ନି‌େର୍ଦ୍ଦଶକ ଭାସ୍କର ଚନ୍ଦ୍ର ବାରିକ, ଜିଲ୍ଲା କୃଷି ଅଧିକାରୀ ତରୁଣ ଦୁର୍ଯ୍ୟୋଧନ ପଟାଙ୍ଗୀ, ଜିଲ୍ଲା ଉପ ନିବନ୍ଧକ ସୁଷମାରାଣୀ, ବାଲିପାଟଣା ବ୍ଲକ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ ଏବଂ ସହ କୃଷି ଅଧିକାରୀ ବିଭୁଦତ୍ତ ସାହୁ ପ୍ରମୁଖ ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର