ବାଲିଅନ୍ତା : ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା। ଏବର୍ଷ କରୋନା ଲକ୍ଡାଉନ୍ ଦେଶରେ ନୂଆ ସମସ୍ୟା ରୂପେ ଦାଉ ସାଧୁଛି। ବେପାରୀ ନ ଆସିବା ଫଳରେ ବିଲରେ ପରିବା ନଷ୍ଟ ହେଉଛି। ଗତବର୍ଷ ଫନି ବାତ୍ୟାରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଧାନ, ମୁଗ ଓ ବିରି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପାନବରଜ ମାଟିରେ ମିଶିଯିବା ସହ ହଜାର ହଜାର ନଡ଼ିଆ ଗଛ ଭାଙ୍ଗି ଯାଇଥିଲା। ଆଉ ଦିନ କେଇଟା ପରେ ଫନି ବାତ୍ୟାକୁ ବର୍ଷେ ପୂରିବ। ତେବେ ଏହାର ସପ୍ତାହେ ପୂର୍ବରୁ ଅନୁରୂପ ଭାବେ କାଳବୈଶାଖୀ ବର୍ଷା ଓ ପବନର ତାଣ୍ଡବ ମୁଗ, ବିରି ଫସଲକୁ ଉଜାଡ଼ି ଦେଇଛି। କରୋନା ଲକ୍ଡାଉନ୍ ଯନ୍ତ୍ରଣାଠୁ ବର୍ଷା ବିତ୍ପାତ ବଳିପଡ଼ିଛି।
ଦୁଇ ଦିନ ହେଲା ଅପରାହ୍ଣରେ ଦୀର୍ଘ ସମୟ ଧରି ବର୍ଷା, ପବନ ହେବା ଫଳରେ ଶହଶହ ହେକ୍ଟର ମୁଗ ଓ ବିରି ଫସଲ ଉଜୁଡ଼ିବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଅଧିକାଂଶ ଚାଷୀଙ୍କ କ୍ଷେତରେ ମୁଗ ଓ ବିରି ଶୁଖି ଯାଇଥିବାରୁ ଅମଳ କରିବାର ପ୍ରକୃଷ୍ଟ ସମୟ। ଖୁବ୍ କମ୍ ଚାଷୀ ମୁଗ ବିରି ଖଳାକୁ ବୋହି ଆଣି ଅମଳ କରିସାରିଲେଣି। ଅନେକ ଚାଷୀ ଅବହେଳା କରି ଶୁଖାଇ ଖଳାକୁ ଆଣି ନଥିଲେ। ଅଦିନିଆ ବର୍ଷା ସେସବୁକୁ ଉଜାଡ଼ି ଦେଇଛି। କଚଡ଼ା ଉପରେ ବର୍ଷା ପାଣି ଚାଲୁଛି। ଭାଡ଼ିକି ଆସିବା ପୂର୍ବରୁ ଫସଲ ଉଜୁଡ଼ିବା ନେଇ ଚାଷୀ ଭାଙ୍ଗିପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉପୁଡ଼ା ହୋଇନଥିବା ମୁଗ ଛୁଇଁରେ ପାଣି ପଶି ଯିବାରୁ ସେଥିରୁ ଗଜା ବାହାରିଲାଣି। ବିଲରୁ ପାଣି ନିଷ୍କାସନ ହେବାରେ ମଧ୍ୟ ସମୟ ଲାଗିବ। ଆଗକୁ ଆଉ ବର୍ଷା ହେଲେ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ସମ୍ଭାବନା ଦେଖାଦେଇଛି। ତେଣୁ ମୁଗ ମଞ୍ଜି ପଇସା ଉଠିବ କି ନାହିଁ, ସେନେଇ ସନ୍ଦେହ ଉପୁଜିଛି ବୋଲି ଜଣେ ଚାଷୀ ପ୍ରତିନିଧି ଜଣାଇଛନ୍ତି।
ବୁଦ୍ଧିପଡ଼ା ଗ୍ରାମର ଶରତ ରାଉତ, ଗୋବିନ୍ଦ ମଲ୍ଲିକ, ଚିତ୍ତରଂଜନ ସାମନ୍ତରାୟ, ଧୂଳେନ୍ଦ୍ର ନାୟକ ଓ ନୃସିଂହ ଚରଣ ସାହୁଙ୍କ ସମେତ ଅନେକ ଚାଷୀଙ୍କ ମୁଗ ଫସଲ ନଷ୍ଟ ହୋଇଯାଇଛି। ସେହିପରି ରଣପୁର ଗ୍ରାମର ତ୍ରିଲୋଚନ ରାଉତ, ଶରତ ସେନାପତି, ପ୍ରଫୁଲ୍ଲ ସେନାପତି, ବାଉରୀବନ୍ଧୁ ପ୍ରଧାନ ଓ ବାଳକୃଷ୍ଣ ପ୍ରଧାନଙ୍କ ସମେତ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଷୀଙ୍କ କହିବାନୁଯାୟୀ, ଦୁଇବର୍ଷ ହେଲା ମେଘ ପବନ ଦାଉ ସାଧୁଛି। ଅମଳ କରିବା ସମୟ ବେଳକୁ ନଷ୍ଟ ହୋଇଯାଉଛି। ଫନିକୁ ବର୍ଷେ ପୂରିବାକୁ ବସିଲାଣି। ହେଲେ ସରକାରୀ ସହାୟତା ମିଳି ପାରିଲାନି। ୧୬ଟି ଯାକ ପଞ୍ଚାୟତରେ ମଧ୍ୟ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/balianta-5.jpg)