ଦୂରଦର୍ଶନ କେନ୍ଦ୍ରରେ ଆତଙ୍କବାଦୀ ମୁକାବିଲା, ଏସ୍‌ଓଜି ଯବାନଙ୍କ ମକ୍‌ଡ୍ରିଲ୍‌

ଅପରେସନ ଟାଇଗର ପାଇଁ ଲାଗିଲା ୬ ଘଣ୍ଟା

ଚନ୍ଦ୍ରଶେଖରପୁର: ଅପରାହ୍‌ଣ ପ୍ରାୟ ୫ଟା। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଭିତରେ ପଶିଥିଲେ ଆତଙ୍କବାଦୀ। ୮ ଜଣ ବନ୍ଧୁକଧାରୀ ଦୂରଦର୍ଶନ କେନ୍ଦ୍ରରେ ପଶି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ରଖିଥିଲେ। ହଲିବାକୁ କି କୁଆଡେ ଯିବାକୁ ସୁଯୋଗ ଦେଉନଥିଲେ। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କ’ଣ କରିବେ କେହି କିଛି ବି ଜାଣିପାରୁ ନ ଥିଲେ। କୌଶଳକ୍ରମେ ଜଣେ କର୍ମଚାରୀ ସେଠାରୁ ବାହାରି ଫୋନ ଯୋଗେ ସହିଦନଗର ପୁଲିସକୁ ଖବର ଦେଇଥିଲେ। ଖବର ପାଇବା କ୍ଷଣି ଏକାଧିକ ପୁଲିସ ଭ୍ୟାନ୍ ଘଟଣା ସ୍ଥଳରେ ପହଁଚିଥିଲା। ଚନ୍ଦକାରେ ଥିବା ଏସଓଜି କ୍ୟାମ୍ପ ଅଫିସକୁ ଖବର ଦିଆଯାଇଥିଲା। ସେମାନେ ବି ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ଧ୍ୟା ୭ଟା ସୁଦ୍ଧା ଅଗ୍ନିଶମ କର୍ମଚାରୀ, ମେଡିକାଲ ଟିମ, ଆମ୍ବୁଲାନ୍ସ ପ୍ରଭୃତି ପହଞ୍ଚିଲା ପରେ ଆରମ୍ଭ ହୋଇଥିଲା ଅପରେସନ ‘ଟାଇଗର’।

ଆତଙ୍କବାଦୀଙ୍କ କବଳରୁ ଦୂରଦର୍ଶନ କର୍ମଚାରୀଙ୍କୁ କିଭଳି ଭାବେ ଉଦ୍ଧାର କରାଯିବ ଓ ଆତଙ୍କୀମାନଙ୍କୁ କିପରି ଦମନ କରାଯିବା ସେନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ। ଲେପ୍ଟନାଣ୍ଟ କମାଣ୍ଡରଙ୍କ ତତ୍ତ୍ବାବଧାନରେ ରଣନୀତି ପ୍ରସ୍ତୁତ ହୋଇଥିଲା। ଯବାନମାନେ କେନ୍ଦ୍ର ଭିତରକୁ ଧୀରେ ଧୀରେ ପ୍ରବେଶ କରିଥିଲେ। ପ୍ରଥମେ ଆତଙ୍କୀଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଯବାନଙ୍କୁ ଦେଖିବା ପରେ ଆତଙ୍କୀମାନେ ଗୁଳି ଚଳାଇଥିଲେ। ତାକୁ ପ୍ରତିହତ କରିବା ସହ ସୁବିଧା ଦେଖି ଜଣକ ପରେ ଜଣେ ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ। ଉଭୟ ପକ୍ଷର ଗୁଳି ବିନିମୟରେ ୮ ଜଣ ଯାକ ଆତଙ୍କୀ ଟଳିପଡ଼ିଥିଲେ। ୨ ଜଣ ଯବାନ ବି ଆହତ ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା। ପାଖାପାଖି ୬ ଘଣ୍ଟା ଧରି ଅପେରସନ ଟାଇଗର ଚାଲିଥିଲା।

୨ ଦିନ ତଳେ ୨ ଦିନ ଧରି ଏସଓଜି ଯବାନଙ୍କ ପକ୍ଷରୁ ମକଡ୍ରିଲ ଚାଲିଥିବା ବେଳେ ଆଜି ଦୂରଦର୍ଶନ କେନ୍ଦ୍ରରେ ମକଡ୍ରିଲ କରାଯାଇଛି। ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ଏହି ମକଡ୍ରିଲ ରାତି ୧୧ ଟା ଯାଏ ଚାଲିଥିଲା। ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ରଣନୀତି ଅନୁଯାୟୀ କମାଣ୍ଡୋମାନେ ନିଜ ସହ ଅତ୍ୟାଧୁନିକ ବନ୍ଧୁକ, ୱାରଲେସ୍ ଓ ଉଦ୍ଧାର ସାମଗ୍ରୀ ଆଦି ଆଣି ଆସିଥିଲେ। ଏହି ମକଡ୍ରିଲ ଫଳରେ କମାଣ୍ଡୋମାନେ ଆପାତକାଳୀନ ଆତଙ୍କି ଆକ୍ରମଣରୁ ଦେଶବାସୀଙ୍କ ଜୀବନ ରକ୍ଷା କିଭଳି କରିପାରିବେ ସେନେଇ ଅଭ୍ୟାସ କରିଥିଲେ। ଜଣେ ଅଧିକାରୀଙ୍କ କହିବାନୁଯାୟୀ ୨ ଦିନ ତଳେ ରଙ୍ଗମାଟିଆ ଗ୍ରାମ ନିକଟରେ ମକଡ୍ରିଲ କରାଯାଇଥିଲା। ଜନବସତି, କେନାଲ୍, ଟ୍ରେନ୍ ଲାଇନ୍ ଓ ଅଭ୍ୟାସ ପାଇଁ ସ୍କୁଲ୍ ପଡ଼ିଆ ଥିବାରୁ ଯବାନମାନେ ଏହି ଅଭ୍ୟାସ୍ ଭଲ ଭାବେ କରିପାରିଥିଲେ। ଆଜି ଦୂରଦର୍ଶନ କେନ୍ଦ୍ର ଭିତରେ କରାଗଲା। ପ୍ରତିବର୍ଷ ଏଭଳି ଅଭ୍ୟାସ କରାଯାଇଥାଏ। ବିଶେଷକରି ଜନଗହଳି ସ୍ଥାନ, ରେଳ ଷ୍ଟେସନ, ଜାତୀୟ ଅନୁଷ୍ଠାନ ଏଭଳି ଅଭ୍ୟାସ ପାଇଁ ଉପଯୁକ୍ତ ସ୍ଥାନ। ଯବାନଙ୍କ ସମେତ ଆତଙ୍କୀ ମୁକାବିଲାରେ ଆବଶ୍ୟକ ହେଉଥିବା ସମସ୍ତ ବିଭାଗକୁ ଏଥିରେ ସାମିଲ କରାଯାଇଥିଲା। ରାତି ୧୧ଟା ଯାଏ ଚାଲିବା ପରେ ଅପେରସନ ଟାଇଗରକୁ ସଫଳତା ମିଳିଥିଲା।

ସମ୍ବନ୍ଧିତ ଖବର