ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକାଦଶ ଶତାବ୍ଦୀର ପ୍ରାଚୀନ ଶିବ ମନ୍ଦିର ଏବେ ଦୟନୀୟ ଅବସ୍ଥାରେ। ମନ୍ଦିର ନିକଟ ସୁବର୍ଣ୍ଣ ମୁକୁଟେଶ୍ୱର (ଏକାମ୍ରେଶ୍ୱର) ମନ୍ଦିର ପାର୍ଶ୍ୱ ଏବେ ଡ୍ରୋଜର୍ ସାହାଯ୍ୟରେ ଖୋଳା ହେଉଥିବାରୁ ଏହା ଭୁଶୁଡ଼ିଯିବା ଆଶଙ୍କା ଦେଖାଦେଇଛି।
ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାରଠାରୁ ଦକ୍ଷିଣ-ପୂର୍ବ କୋଣରେ ମାତ୍ର ୪୦ଫୁଟ୍ ଦୂରରେ ରହିଛି ସୁବର୍ଣ୍ଣ ମୁକୁଟେଶ୍ୱର ମନ୍ଦିର। ଦୀର୍ଘ ଦିନ ଅବହେଳିତ ହୋଇ ପଡ଼ି ରହିଥିବା ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୫ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏଠାରେ ଖନନ ବେଳେ ଗୋଟିଏ ଭଗ୍ନ ମନ୍ଦିର ଓ ୫ଟି ପୁରାତନ ଶିବଲିଙ୍ଗ ବାହାରିଥିଲା। ସେତେବେଳେ ମନ୍ଦିରଟି ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ୨୦୧୨ ଡିସେମ୍ବର ୩ ତାରିଖରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ବିଶେଷଜ୍ଞ ଦଳ ଏହାକୁ ଯାଞ୍ଚ କରିଥିଲେ। ମନ୍ଦିରଟି ପ୍ରାୟ ୧୫/୨୦ ଫୁଟ୍ ମାଟି ତଳେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପଶ୍ଚିମ-ଦକ୍ଷିଣ ପାର୍ଶ୍ୱ ଓ ପୂର୍ବ-ଉତ୍ତର କୋଣରେ ଖନନ ପରେ ୨ଟି ଭଗ୍ନ ମନ୍ଦିର ବାହାରିଥିଲା। ସେହିପରି ମନ୍ଦିରର ଚତୁଃପାର୍ଶ୍ୱ ଖନନ ବେଳେ ପର୍ଯ୍ୟାୟକ୍ରମେ ୫ଟି ଶିବଲିଙ୍ଗ ବାହାରିଥିଲା। ଏହାପରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟୀକରଣ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ମନ୍ଦିରଟି ଦୁର୍ବଳ ଥିବା ସହ ବିଭିନ୍ନ ସ୍ଥାନରେ ଫାଟ ଦେଖାଦେଇଛି। ମନ୍ଦିରରେ ଗଛ ଉଠିଗଲାଣି। ଅପରପକ୍ଷେ ମାଟି ତଳୁ ବାହାରିଥିବା ୫ଟି ଶିବ ଲିଙ୍ଗ ଏବେ ଗାଏବ ହୋଇଯାଇଥିବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗବେଷକ ସୁଶାନ୍ତ ସ୍ୱାଇଁଙ୍କ କହିବାନୁଯାୟୀ, ଏହି ମୁଖ୍ୟ ମନ୍ଦିରଟି ପଞ୍ଚାୟତନ ଶୈଳୀରେ ଏକାଦଶ କିମ୍ବା ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି।