ଦୃଷ୍ଟି ଆଢ଼ୁଆଳରେ ମୁଖାର୍ଜୀ ପାର୍କ

ଭାଙ୍ଗିଗଲାଣି ପିଲାଙ୍କ ଖେଳ ସାମଗ୍ରୀ
ମହିଳା ଶୌଚାଳୟରେ ପଡ଼ିଛି ତାଲା

ଭୁବନେଶ୍ୱର : ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢ଼ି ବିଭିନ୍ନ ବର୍ଗର ଲୋକ ଖୋଲା ଆକାଶ ତଳେ ସମୟ ବିତେଇବା ପାଇଁ ପାର୍କକୁ ଆସିଥାନ୍ତି। ଏଥିପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲାଯାଇଛି ମାଳ ମାଳ ପାର୍କ। ହେଲେ ସେଗୁଡ଼ିକର ରକ୍ଷଣାବେକ୍ଷଣ କେମିତି ହେଉଛି ତାହା ଏବେ ନଜରକୁ ଆସିଛି। ପ୍ରଶାସନର ନାକ ତଳେ ରାଜଧାନୀର ବ୍ୟସ୍ତବହୁଳ ଅଞ୍ଚଳ ବାଣୀବିହାର ଓ ରସୁଲଗଡ଼ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ଅବସ୍ଥା ଦେଖିଲେ ଏଥିରୁ ସ୍ପଷ୍ଟ ଅନୁମେୟ। ଏହି ପାର୍କର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ଲାଗି ବିଡିଏ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହାର ଅବସ୍ଥା ଖରାପ ହେବାରେ ଲାଗିଛି।

ଏହି ପାର୍କର ମଧ୍ୟ ଭାଗ ସଫା ରହିଛି। ଘାସ ଗାଲିଚା ସାଙ୍ଗକୁ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଥିବାରୁ ତାହାର ଯତ୍ନ ନିଆଯାଉଛି। ବାକି ସ୍ଥାନ ଅବସ୍ଥା ନ କହିବା ଭଲ। ଯୁଆଡ଼େ ଚାହିଁଲେ ସିଆଡେ କୁଢ଼ କୁଢ଼ ଆବର୍ଜନା। ଆଲୋକୀକରଣ, ଲାଇଟ୍‌, ପରିମଳ, ଶୌଚାଳୟ, ଫାଉଣ୍ଟେନ୍‌ ଧୀରେ ଧୀରେ ଅଚଳ ହେବାରେ ଲାଗିଛି। ପାର୍କ ଭିତର ପାଚେରିକୁ ଲାଗି ଥିବା ସ୍ଥାନରେ ଅନାବନା ଗଛ ଉଠିଛି। ଫଳରେ ସନ୍ଧ୍ୟା ସମୟ ତ ଦୂରର କଥା ଭୋର ସମୟରେ ଏଠାରେ ବୁଲିବାକୁ ଲୋକେ ଭୟ କରୁଛନ୍ତି। ପାର୍କ ପରିସରରେ ମହିଳା ଓ ପୁରୁଷଙ୍କ ଲାଗି ଶୌଚାଳୟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଅବସ୍ଥା ନ କହିବା ଭଲ। ମହିଳାଙ୍କ ଶୌଚାଳୟରେ ସବୁବେଳେ ତାଲା ଝୁଲୁଛି। ପାର୍କକୁ ଆସୁଥିବା ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁରୁଷଙ୍କ ଲାଗି ଥିବା ଶୌଚାଳୟ ଖୋଲାଥିଲେ ମଧ୍ୟ ତାହାକୁ ସଫା କରାଯାଉ ନ ଥିବାରୁ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି।

ସବୁଠାରୁ ଚିନ୍ତାର ବିଷୟ ହୋଇଛି ଯେ ଯୁବପିଢ଼ିଙ୍କ ଲାଗି ଏଠାରେ ପ୍ରତିଷ୍ଠା ହୋଇଥିବା ଓପନ୍‌ ଜିମ୍‌ ଖରାପ ହେବାକୁ ବସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଯନ୍ତ୍ରପାତିରେ କଳଙ୍କି ଲାଗିଗଲାଣି। କେତେକ ସାମଗ୍ରୀ ମାସ ମାସ ଧରି ଅଚଳ ହୋଇ ପଡ଼ୁଥିଲେ ମଧ୍ୟ ସେଗୁଡ଼ିକୁ ସଜଡ଼ା ଯାଉ ନାହିଁ। ପିଲାଙ୍କ ପାଇଁ ଥିବା ଖେଳ ପାର୍କର ସାମଗ୍ରୀଗୁଡ଼ିକ ଭାଙ୍ଗି ଗଲାଣି। ବର୍ଷାଧିକକାଳ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାହାର ମରାମତି କରାଯାଉ ନାହିଁ। ଖେଳିବା ସ୍ଥାନରେ ଘାସ ନ ଥିବାରୁ ପିଲାମାନେ ତଳେ ପଡ଼ି ଆହତ ହେଉଛନ୍ତି। ଚିନ୍ତାର ବିଷୟ ହେଉଛି ଯେ, ଏହା ପରିସରରେ ଏକ ବିଦ୍ୟୁତ୍‌ ତାର ବିପଜ୍ଜନକ ଅବସ୍ଥାରେ ପଡ଼ିରହିଛି। ଓ୍ଵାଟର ଫାଉଣ୍ଟେନ୍‌ ଭାଙ୍ଗି ପଡ଼ିଛି। ତାହା ଚାଲୁ ନ ଥିବାରୁ ପାଣିରୁ ଦୁର୍ଗନ୍ଧ ବାହାରିବା ସହ ପୋକ ବାହାରୁଛନ୍ତି। ପାର୍କର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଲାଣି।

ପାର୍କକୁ ବୁଲି ଆସିଥିବା ଡ. ବିଶ୍ୱାଳ କୁହନ୍ତି ଯେ ପାର୍କର ଯତ୍ନ ଠିକ୍‌ ଭାବେ ନିଆଯାଉ ନାହିଁ। ପିଲାମାନଙ୍କ ଖେଳିବା ସ୍ଥାନରେ ଘାସ ନ ଥିବାରୁ ତଳେ ପଡ଼ି ଆହତ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ମଞ୍ଜୁଶ୍ରୀ ଭଞ୍ଜ କହିଛନ୍ତି ଯେ, ଶୌଚାଳୟ ପ୍ରତ୍ୟକ ଦିନ ବନ୍ଦ ହୋଇ ରହୁଥିବାରୁ ହଇରାଣ ହେବାକୁ ପଡ଼ୁଛି। ପୁରୁଷମାନେ ପାର୍କର ଏଣେ ତେଣେ ପରିସ୍ରା କରୁଥିବାରୁ ପାର୍କ ପରିସରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଦୁର୍ଗନ୍ଧ ବି ହେଉଛି।

ପାର୍କରେ ଲାଗି ରହିଥିବା ସମସ୍ୟା ନେଇ ବିଡିଏର ଉଦ୍ୟାନ ବିଭାଗ ଅଧିକାରୀ ଅଶୋକ ନନ୍ଦ ଧରଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ତୁରନ୍ତ ପାର୍କର ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର