ମୁକ୍ତ ଚିନ୍ତନ ମଞ୍ଚର ଆଲୋଚନାଚକ୍ର : ଚନ୍ଦ୍ରଶେଖର ଅମୃତର ସନ୍ତାନ

ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଥିଲେ ଅମୃତର ସନ୍ତାନ। ତାଙ୍କ ଶବ୍ଦ ସଂଯୋଜନା ଉଚ୍ଚକୋଟୀର ଥିଲା। ଲେଖାରେ ଶବ୍ଦକୁ ଗଣିତର ଫର୍ମୁଲା ଭଳି ବ୍ୟବହାର କରୁଥିଲେ। ‘ମୁକ୍ତ ଚିନ୍ତନ ମଞ୍ଚ’ ଏବଂ ‘ଭାରତୀୟ ବିଦ୍ୟାଭବନ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୪୩ତମ ଆଲୋଚନାଚକ୍ର ‘ଅମୃତର ସନ୍ତାନ ଚନ୍ଦ୍ରଶେଖର’ ବିଷୟରେ ଆଲୋକପାତ କରି ଏଭଳି ବକ୍ତବ୍ୟ ରଖିଛନ୍ତି ଅତିଥିବୃନ୍ଦ। ସାହିତ୍ୟିକ ଓ ସ୍ତମ୍ଭକାର ତଥା ଚନ୍ଦ୍ରଶେଖର ରଥଙ୍କ ପୁତ୍ର ଶଶିଭୂଷଣ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଚନ୍ଦ୍ରଶେଖରଙ୍କ ସାହିତ୍ୟ ଭଳି ବ୍ୟକ୍ତିତ୍ୱ ମଧ୍ୟ ଉଚ୍ଚକୋଟୀର ଥିଲା। ସବୁବେଳେ ସରଳ, ସହଜ, ସୁନ୍ଦର ଓ ସ୍ୱାଭାବିକ ବ୍ୟକ୍ତିତ୍ୱ ପାଇଁ ଶ୍ରୀ ରଥ ପ୍ରେରଣା ଦେଉଥିଲେ ବୋଲି ସେ କହିଥିଲେ। ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩ଜଣ ସାରସ୍ୱତ ସ୍ରଷ୍ଟା ଚନ୍ଦ୍ରଶେଖରଙ୍କ ସାରସ୍ୱତ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହତ୍ୟିକା ଡ.ଅର୍ଚ୍ଚନା ନାୟକ ‘ଚନ୍ଦ୍ରଶେଖର ରଥ ଓ ଶ୍ରୀ ଅରବିନ୍ଦ ଦର୍ଶନ’ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ସାହିତ୍ୟିକ ଓ ସମାଲୋଚକ ଡ.ବାଉରୀବନ୍ଧୁ କର ‘ଚନ୍ଦ୍ରଶେଖରଙ୍କ ସାହିତ୍ୟ କୃତିି’ ଉପରେ ଆଲୋକପାତ କରିଥିଲେ। ଗବେଷକ ଓ ସ୍ତମ୍ଭକାର ଅସିତ୍‌ ମହାନ୍ତି ‘ଚନ୍ଦ୍ରଶେଖର ରଥଙ୍କ ରଥ ସପ୍ତକ’ ଶୀର୍ଷକ ବିଷୟ ଉପରେ ନିଜର ଅଭିମତ ରଖିଥିଲେ।

ଏହି ଅବସରରେ ‘ଦର୍ଶନ ସାର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁକ୍ତ ଚିନ୍ତନ ମଞ୍ଚର ସଂପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର